କିନ୍ନରଙ୍କ ପାଇଁ ଆଶାର ଆଲୋକ ବସୁନ୍ଧରା ଯୋଜନା ।

0 215

ମାଲକାନଗିରି,୨୮/୦୫(ପିପିଟି): ଦିନେ ତାଳି ମାରି ଲୋକଙ୍କ ପାଖରେ ହାତ ପତେଇ ଟଙ୍କା ମାଗୁଥିବା କିନ୍ନର ମାନେ କିନ୍ତୁ ଏବେ ହୋଇ ପାରିବେ ସ୍ଵାବଲମ୍ବି । ରାଜ୍ୟର ଏକ ପ୍ରମୁଖ ସ୍ଵେଛାସେବି ସଂସ୍ଥା ସଖା ମାଧ୍ୟମରେ ମାଲକାନଗିରି ଜିଲ୍ଲା ପ୍ରଶାସନ ଅନ୍ୟ ମାନଙ୍କ ଭଳି କିନ୍ନର ମାନଙ୍କୁ ମଧ୍ୟ ମୁଣ୍ଡ ଟେକି ବଞ୍ଚିବାର ରାହା ଦେଖାଇଛି । ଓଠରେ ଲିପ୍ ଷ୍ଟିକ୍ ଓ ପାଦରେ ଅଳତା ଲଗାଇ ମହିଳାଙ୍କ ପରି ଶାଢୀ ପିନ୍ଧି ନିଜକୁ ସଜେଇ ହେଉଥିବା ମାଲକାନଗିରି ଜିଲ୍ଲାର ଏହି କିନ୍ନର ମାନଙ୍କୁ ଆଉ ତାଳି ମାରି ଲୋକଙ୍କ ପାଖରେ ହାତ ପତେଇବାକୁ ପଡିବ ନାହିଁ । ସମାଜର ତୃତୀୟ ଲିଙ୍ଗ କୁହାଯାଉଥିବା କିନ୍ନରମାନଙ୍କୁ ପୂର୍ବରୁ ଲୋକେ ଏକ ଭିନ୍ନ ଦୃଷ୍ଟିରେ ଦେଖୁଥିଲେ । ହେଲେ ସେମାନଙ୍କୁ ଏବେ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ଲାଗି ରାଜ୍ୟର ଏକ ପ୍ରମୁଖ ସ୍ବେଛାସେବୀ ଅନୁଷ୍ଠାନ ସଖାର ସହାୟତାରେ ମାଲକାନଗିରି ଜିଲ୍ଲା ପ୍ରଶାସନ ରାଜ୍ୟ ସରକାରଙ୍କ ବସୁନ୍ଧରା ଯୋଜନା ମାଧ୍ୟମରେ ସ୍ଵାବଲମ୍ବୀ କରିବା ଲାଗି ଏକ ଅଭିନବ ପନ୍ଥା ଅବଲମ୍ବନ କରିଛି । ଜିଲ୍ଲାର ଡିଆରଡିଏ କାର୍ଯ୍ୟାଳୟରେ ଜିଲ୍ଲାର ୬୧ଜଣ କିନ୍ନରମାନଙ୍କୁ ନେଇ ଏକ ସଚେତନତା କର୍ମଶାଳା ଆୟୋଜିତ ହୋଇଥିଲା। ପୂର୍ବରୁ ଜିଲ୍ଲାର କିଛି କିନ୍ନରଙ୍କୁ ଜିଲ୍ଲା ପୋଲିସ ସହାୟତାରେ ଟ୍ରେନିଂ ପ୍ରଦାନ କରାଯାଇଥିଲା, ଫଳରେ ବଦଳି ଯାଇଥିଲା କିନ୍ନରମାନଙ୍କ ବେଶ ଭୂଷା, ଶାଢୀ ବଦଳରେ ସୁରକ୍ଷା କର୍ମୀଙ୍କ ଡ୍ରେସ ପିନ୍ଧି ହାତରେ ବାଡି ଓ ହୁଇସିଲ ଧରି ଜିଲ୍ଲା ସଦର ଚିକିତ୍ସାଳୟରେ ସେକୁରିଟି ଗାର୍ଡ ଭାବେ ପାଇଥିଲେ ନିଯୁକ୍ତି । ୭ ମହଲା ବିଶିଷ୍ଟ ଏହି ଜିଲ୍ଲା ସଦର ଚିକିତ୍ସଳୟର ମୁଖ୍ୟ ଫାଟକ ସହ ଲିଫ୍ଟରେ ସୁରକ୍ଷା ପ୍ରଦାନ କରିବା ଠାରୁ ଆରମ୍ଭ କରି ଲେବର ରୁମ ଓ ଓଟି ଭଳି ଜରୁରି କାଳିନ କକ୍ଷରେ ପହରା ଦେବା ସହ ଓ ରୋଗିଙ୍କ ରୁମକୁ ମଧ୍ୟ ଏମାନେ ସୁରକ୍ଷା ଦେଉଛନ୍ତି । ଗୋଟିଏ ପଟେ ଜିଲ୍ଲା ସଦର ଚିକିତ୍ସାଳୟରେ କିନ୍ନରମାନଙ୍କ ଏଭଳି ସେବା ଦେଖି ରୋଗିମାନେ ଖୁସି ଅନୁଭବ କରୁଥିବା ବେଳେ ରୋଗିଙ୍କ ମୁଖର ହସ ଦେଖି କିନ୍ନରମାନେ ମଧ୍ୟ ଗର୍ବ ଅନୁଭବ କରୁଛନ୍ତି । ଅନ୍ୟ ମାନଙ୍କୁ ମଧ୍ୟ ଏପରି ସ୍ଵାବଲମ୍ବୀ କରିବାର ଲକ୍ଷ ରଖିଛି ଜିଲ୍ଲା ସମାଜ ମଙ୍ଗଳ ବିଭାଗ । ବଦଳିଛି ସମୟ ଆଉ ବଦଳିଛି କିନ୍ନର ମାନଙ୍କ ଆଖିର ଭାଷା । କାରଣ ସମାଜରେ କଳଙ୍କ ନେଇ ବଞ୍ଚୁଥିବା କିନ୍ନରଙ୍କ ପାଇଁ ଜିଲ୍ଲା ପ୍ରଶାସନର ଏହି ଉଦ୍ୟମ ଏବେ ସେମାନଙ୍କ ଲାଗି ଆଶାର ଆଲୋକ ହେବ ନିଶ୍ଚିତ ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.