ରାୟଗଡା,୩୦/୧୧(ପିପିଟି); ରାୟଗଡା ଜିଲ୍ଲା ଗୁଣପୁର ଉପଖଣ୍ଡରେ ତାଲୁକ ସ୍ତରୀୟ ଆଇନ ସଚେତନ ଶିବିର ଅନୁଷ୍ଠିତ ହୋଇଛି।କରୋନା କଟକଣା ହେତୁ ଏହି କାର୍ଯ୍ୟକ୍ରମ ଅନଲାଇନ ମାଧ୍ୟମରେ ହୋଇଥିଲା। ଏହି କ୍ରମରେ ଗୁଣପୁର ଉପଖଣ୍ଡର ୪ଟି କଲେଜକୁ ସ୍ଥାନିତ କରାଯାଇଥିଲା। ପଦ୍ମପୁର ବ୍ଲକର ଆର.ଜି.ଡିଗ୍ରୀ କଲେଜ,ଆର.ଜି.ଜୁନିୟର କଲେଜ, ଗୁଣପୁରର ବଂଶଧାରା +୨ ବିଜ୍ଞାନ ମହାବିଦ୍ୟାଳୟ ଓ ରାମନାଗୁଡା ବ୍ଲକର ଆର୍ୟନ ମହାବିଦ୍ୟାଳୟ।କଲେଜର ସବୁ ଛାତ୍ରୀ ଛାତ୍ର ଏହି ଶିବିରରେ ଯୋଗଦେଇ ଅନଲାଇନ ମାଧ୍ୟମରେ ଆଇନ ଓ ମୌଳିକ ଦାୟିତ୍ଵ ବିଷୟ ବୁଝିବାକୁ ଚେଷ୍ଟା କରିଥିଲେ।ସମସ୍ତେ ସବୁବେଳେ ମୌଳିକ ଅଧିକାର ବିଷୟରେ କହିଥାନ୍ତି, ମାତ୍ର ମୌଳିକ କର୍ତ୍ତବ୍ୟ ବା ଦାୟିତ୍ଵରୁ ଦୁରେଇ ରହିଥାନ୍ତି। ସମ୍ବିଧାନର ୪୨ ସଂଶୋଧନ ଆଇନ ୧୯୭୬ ରେ ୫୧ (କ)ଅନୁଯାୟୀ ୧୦ ଗୋଟି ମୌଳିକ କର୍ତ୍ତବ୍ୟ ପାଳନର ବ୍ୟବସ୍ଥା ରଖାଯାଇଛି।ସେଗୁଡିକ ସଂବିଧାନ,ଜାତୀୟ ପତାକା ଏବଂ ସଙ୍ଗୀତ ପ୍ରତି ସମ୍ମାନ, ସ୍ବାଧୀନତା ସଂଗ୍ରାମ ଆଦର୍ଶରେ ଅନୁପ୍ରାଣିତ, ସାର୍ବଭୌମତ୍ୟ ବଜାୟ ରଖିବା, ଦେଶର ସୁରକ୍ଷାକୁ ଅଗ୍ରାଧି କାର,ନାରୀଜାତିକୁ ମର୍ଯ୍ୟାଦା, ମିଶ୍ରିତ ସଂସ୍କୃତି ବଜାୟ ରଖିବା,ପ୍ରାକୃତିକ ପରିବେଶ, ସମ୍ପତ୍ତି ଏବଂ ପ୍ରାଣୀମାନଙ୍କ ପ୍ରତି ଅନୁକମ୍ପା, ମାନବିକତା,ବୈଜ୍ଞାନିକ ମନୋଭାବ ଏବଂ ସଂସ୍କାର ମୁଳକ ମନୋଭାବ ପୋଷଣ, ଜାତୀୟ ସମ୍ପତ୍ତିର ସୁରକ୍ଷା, ସ୍ବତନ୍ତ୍ର ଏବଂ ସାମୁହିକ କାର୍ଯ୍ୟର ଶ୍ରେଷ୍ଠତା ଲାଭ କରିବାକୁ ଉଦ୍ୟମ କରିବା। ଏହି ସଚେତନ ଶିବିରକୁ ଆଗେଇ ନେବାରେ ଗୁଣପୁର ବାର ଆସୋସିଏସନର ସଭାପତି ବ୍ରହ୍ମାନନ୍ଦ ପଟ୍ଟନାୟକ, ସମ୍ପାଦକ ରମେଶ ଚନ୍ଦ୍ର ଲିମା,ଏଡିଜେ ଅଜୟ କୁମାର ପ୍ରଧାନ ମୁଖ୍ୟ ଦାୟିତ୍ଵ ନେଇଥିଲେ।ଏହି ଅବସରରେ ରାମନାଗୁଡା ଆର୍ୟାନ ମହାବିଦ୍ୟାଳୟ ଛାତ୍ରୀଛାତ୍ର ମଧ୍ୟ ମତ ବିନିମୟ କରିଥିଲେ। କଲେଜର ଅଧ୍ୟକ୍ଷ ରବି ଚୌଧୁରୀ କାର୍ଯ୍ୟକ୍ରମ ସମ୍ପାଦନା କରିଥିଲେ ।
(ରିପୋର୍ଟ- ନବୀନ ଚନ୍ଦ୍ର ନାୟକ ବେହେରା। )