କଟକ,୧୨/୧୨ : ମଣିଷ ମରଣଶୀଳ। ଜନ୍ମ ଯିଏ ହେଇଛି, ତାର ମୃତ୍ୟୁ ଅବସମ୍ଭାବୀ। ମୃତ୍ୟୁକୁ କେହି ରୋକି ପାରିବେ ନାହିଁ। ମାତ୍ର ଜୀବନରେ ସବୁଠୁ ବଡ଼ ହେଉଛି କର୍ମ, ଯାହା ମଣିଷକୁ ସମାଜରେ ବଞ୍ଚାଇ ରଖେ। ମଣିଷ କର୍ମ ପାଇଁ ହୁଏ କାଳଜୟୀ। ସେଭଳି ଜଣେ କର୍ମଦକ୍ଷ ଏବଂ ପ୍ରବୀଣ ପ୍ରାଧ୍ୟାପକ ହେଉଛନ୍ତି ଭଦ୍ରକ କଲେଜର ପ୍ରାକ୍ତନ ପଦାର୍ଥ ବିଜ୍ଞାନ ପ୍ରାଧ୍ୟାପକ ଦାମୋଦର ସାହୁ। ଆଜି ସ୍ଥାନୀୟ ଭାଗବତ ମଣ୍ଡପଠାରେ ବିଭୂତି ସେନାପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସ୍ମୃତିଚାରଣ ସଭାରେ ଅତିଥିମାନେ ସ୍ବର୍ଗତ ସାହୁଙ୍କ ସ୍ମୃତିଚାରଣ କରି ଏକଥା କହିଛନ୍ତି। ବକ୍ତାମାନେ କହିଥିଲେ ଯେ ଅଧ୍ୟାପକ ଜୀବନରେ ସବୁଠୁ ବଡ଼ କଥା ହେଉଛି ଶିକ୍ଷାଦାନ। ଶିକ୍ଷକ ଓ ଶିଷ୍ୟର ସମ୍ପର୍କ ମଧୁର ଏବଂ ଉତ୍ତମ ହେବା ଆବଶ୍ୟକ। ଅଧ୍ୟାପନା ପାଇଁ ଅଧ୍ୟୟନ ଜରୁରୀ। ଯାହା ଶ୍ରୀ ସାହୁଙ୍କ ପାଖରେ ଭରପୂର ହୋଇ ରହିଥିଲା। ପାଠ ପଢ଼ିବା ଏବଂ ପଢ଼ାଇବାରେ ସେ ଥିଲେ ଧୁରନ୍ଧର ବୋଲି ବକ୍ତାମାନେ କହିଥିଲେ।
ଅବସରପ୍ରାପ୍ତ ଅଧ୍ୟାପିକା ଡକ୍ଟର ରାଧାରାଣୀ ମହାପାତ୍ରଙ୍କ ସଂଯୋଜନାରେ ଆୟୋଜିତ ଏହି ଉତ୍ସବରେ ବରିଷ୍ଠ ସାମ୍ବାଦିକ ତଥା ସାହିତ୍ୟିକ ଡକ୍ଟର ଚିତ୍ତରଂଜନ ବେହେରା, କମଳାକାନ୍ତ ସ୍ବାଇଁ, ସଚ୍ଚିଦାନନ୍ଦ ପଣ୍ଡା, ବାବୁଲାଲ ଦାସ, ପଦ୍ମନ ରାୟ, କୈଳାସ ମହାପାତ୍ର, ଝରଣା ପଟ୍ଟନାୟକ, ଶାନ୍ତନୁକୁମାର ରାଉତ, ଡ. ପ୍ରଭାତନଳିନୀ ମହାପାତ୍ର, ପ୍ରେମପୃଥିବୀର ସମ୍ପାଦକ କୈଳାଶ ପଣ୍ଡା ପ୍ରମୁଖ ଯୋଗଦେଇ ପ୍ରାଧ୍ୟାପକ ସ୍ବର୍ଗତ ସାହୁଙ୍କ ତୃତୀୟ ଶ୍ରାଦ୍ଧୋତ୍ସବରେ ସ୍ମୃତିଚାରଣ କରିଥିଲେ। ଏହି ଅବସରରେ ଧୁରୀଣ ପଦାର୍ଥ ବିଜ୍ଞାନ ପ୍ରଫେସର କମଳାକାନ୍ତ ଜେନାଙ୍କୁ ଦାମୋଦର ସାହୁ ସ୍ମୃତି ସଂସଦ ପକ୍ଷରୁ ମାନପତ୍ର, ପୁଷ୍ପଗୁଚ୍ଛ ଓ ଉପଢୌକନ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ସ୍ବର୍ଗତ ସାହୁଙ୍କ ଅଧ୍ୟାପିକା ପତ୍ନୀ ମଧୁଶ୍ରୀ ବେହେରା ସମସ୍ତଙ୍କୁ ସ୍ବାଗତ କରିଥିଲା ବେଳେ କାର୍ଯ୍ୟକ୍ରମକୁ ଦିଗମ୍ବର ଖଟୁଆ ଏବଂ ତାଙ୍କ ପତ୍ନୀ ପଦ୍ମାବତୀ ଖଟୁଆ ପରିଚାଳନା କରିଥିଲେ। ଶେଷରେ ମନୋରଂଜନ ଦାସ ଧନ୍ୟବାଦ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ସାମ୍ବାଦିକ ଡ. ହରିହର ନାୟକ, ପୁଣ୍ୟଶ୍ଳୋକ ବେହେରା, ମୀନାକ୍ଷୀ ବେହେରା, ଦେବେନ୍ଦ୍ର ଖୁଣ୍ଟିଆ ପ୍ରମୁଖ ଉପସ୍ଥିତ ଥିଲେ।
Prev Post