କରୋନା ସଂକ୍ରମଣ ଭୟାବହତା ଯୋଗୁଁ ମନରେଗା ଶ୍ରମିକଙ୍କ ୮ ଜୁଲାଇ ପଦଯାତ୍ରା ସାମୟିକ ସ୍ଥଗିତ ।

0 588

ବ୍ରହ୍ମପୁର, ୦୭/୦୭(ପିପିଟି); କରୋନା ମହାମାରୀ ଗଞ୍ଜାମ ଜିଲ୍ଲାର ବ୍ୟାପକ ଅଞ୍ଚଳକୁ କବଳିତ କରିଚାଲିଛି ।ହିଞ୍ଜିଳିକାଟୁ,ଆସିକା, ଭଞ୍ଜନଗର, କବିସୂର୍ଯ୍ୟନଗର, ପୋଲସରା, ପୁରୁଷୋତ୍ତମପୁର ଆଦି ଅଞ୍ଚଳରେ ଆତଙ୍କ ସୃଷ୍ଟି କରୁଛି । କରୋନା ଯୋଦ୍ଧା ସମେତ ବହୁ ସାଧାରଣ ଜନତା କରୋନା ସଂକ୍ରମଣର ଶିକାର ହୋଇ ମୃତ୍ୟୁ ବରଣ କରୁଛନ୍ତି । ଏହାକୁ ଆଖି ଆଗରେ ରଖି କ୍ରାନ୍ତିକାରୀ କୃଷକ ସଭା ଗଞ୍ଜାମ ଜିଲ୍ଲା କମିଟିର ସଦସ୍ୟା ପି. ପାର୍ବତୀ ଏକ ଜରୁରୀ ବୈଠକ ପାଇଁ ପ୍ରଦାନ କରିଥିଲେ ।  ସେ ଅନୁଯାୟୀ  ଆଜି ତା ୭ ଜୁଲାଇ ୨୦୨୦ ମଙ୍ଗଳବାର ଦିନ ପୂର୍ବାହ୍ନ ୧୧ ଘଟିକାରେ  ଟେଲିଫୋନିକ ଆଲୋଚନା ସଭା ଅନୁଷ୍ଠିତ ହୋଇଥିଲା । କ୍ରାନ୍ତିକାରୀ କୃଷକ ସଭାର ରାଜ୍ୟ ସମ୍ପାଦକ ଶଙ୍କର ସାହୁ ଏବଂ ଜିଲ୍ଲା ସମ୍ପାଦକ ଟୁନା ମଲ୍ଲିକ, ମନରେଗା ଶ୍ରମିକ ଆନ୍ଦୋଳନର କୋର କମିଟିର ସାଥି ସଂଯୁକ୍ତା ନାୟକ, ବୁଲି ବେହେରା, ଲକ୍ଷ୍ମୀ ନାୟକ ଏବଂ କାହ୍ନୁ ବେହେରା ୦୮ ଜୁଲାଇ ପଦଯାତ୍ରାକୁ ସାମୟିକ ସ୍ଥଗିତ ରଖିବା ପାଇଁ ମତ ପ୍ରକାଶ କରିଥିଲେ । ହିଞ୍ଜିଳିକାଟୁ ବ୍ଳକର ବଡଖଣ୍ଡି ଗ୍ରାମ ପଞ୍ଚାୟତ ସମେତ ବହୁ ଅଞ୍ଚଳରେ ଥଣ୍ଡା, ଖାଶ, ଜ୍ବର ଘରକୁ ଘର ବ୍ୟାପିବା ନେଇ ଉଦବେଗ ପ୍ରକାଶ କରିଥିଲେ । ଥଣ୍ଡା,ଖାଶ, ଜ୍ବର ସମ୍ପର୍କରେ ବାହାରେ ପ୍ରଘଟ କଲେ କୋଭିଡ ହସ୍ପିଟାଲକୁ ନେଇ ମାରି ଦେବେ ଏବଂ କିଏ ଛୁଇଁବେ ନାହିଁ ବୋଲି ଭୟର ବାତାବରଣ ଗରିବ, ଖଟିଖିଆ ଦଳିତ ପରିବାରେ ଚର୍ଚ୍ଚା ଜୋର ହେଉଛି । ଆଶା ଅଙ୍ଗନୱାଡିଙ୍କ  ଦୃଷ୍ଟି ଆକର୍ଷଣ କଲେ ପାରାସିଟମଲ ଦେଇ କହୁଛନ୍ତି ୩-୪ ଦିନ ଅପେକ୍ଷା କର ନହେଲେ ନେଇ ଟେଷ୍ଟ କରାଯିବ । ଏଥିପାଇଁ ଜନସାଧାରଣଙ୍କ ମନରେ କୋକୁଆଭୟ ସୃଷ୍ଟି ହେଉଛି । ଭୟଭୀତ ନହୋଇ ସ୍ବାସ୍ଥ୍ୟକର୍ମୀଙ୍କ ପରାମର୍ଶ ନେଇ ନିଜ ସ୍ବାସ୍ଥ୍ୟର ଯତ୍ନ ନିଅନ୍ତୁ, ଆବଶ୍ୟକ ସ୍ଥଳେ ଘର ପାଖକୁ ଡାକ୍ତରଙ୍କୁ ଡାକି ଚିକିତ୍ସା କରିବା ପାଇଁ ସ୍ବାସ୍ଥ୍ୟ କର୍ମୀଙ୍କୁ ଅନୁରୋଧ କରିବା ପାଇଁ ସଙ୍ଗଠନରୁ ପରାମର୍ଶ ପ୍ରଦାନ କରାଯାଇଛି । ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ଜିଲ୍ଲାପାଳଙ୍କ ନିକଟରେ ଦୃଷ୍ଟି ଆକର୍ଷଣ କରାଯିବ ପାଇଁ ନିଷ୍ପତ୍ତି ନିଆଯାଇଛି । ଏହାସହ ମନରେଗା ଶ୍ରମିକଙ୍କ ନିର୍ଦ୍ଧାରିତ ଦୈନିକ ସର୍ବନିମ୍ନ ମଜୂରୀ ଠାରୁ ବହୁତ କମ ମାତ୍ର ୧୨୦-୧୪୦ ଟଙ୍କା ପ୍ରଦାନ କରିବା ଏବଂ ଅନ୍ୟାନ୍ୟ ଦାବୀକୁ ନେଇ ମୂଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀର ପଦଯାତ୍ରାକୁ ସାମୟିକ ସ୍ଥଗିତ କରାଗଲା । କରୋନା ମହାମାରୀର ପରସ୍ଥିତିକୁ ଦେଖି ଆଗାମୀ ପଦକ୍ଷେପ ବୈଠକରେ ନିଷ୍ପତ୍ତି ନିଆଯିବ । ଆସନ୍ତା ଜୁଲାଇ ୦୮ ଗାଁ ରୁ ହିଞ୍ଜିଳିକାଟୁ ପଦଯାତ୍ରା ସାମୟିକ ସ୍ଥଗିତ ସମ୍ପର୍କରେ ହିଞ୍ଜିଳିକାଟୁ ବ୍ଳକର ସମସ୍ତ ନରେଗା ଶ୍ରମିକ, ପ୍ରବାସୀ ଶ୍ରମିକ, କୃଷି ଶ୍ରମିକ, ଭୂମିହୀନ, ଭାଗଚାଷୀ ସମେତ ସମସ୍ତ ଗରିବ ପରିବାରକୁ ଆଜି ଅବଗତ କରିବା ସହ  ମନରେଗାରେ ମେସିନ ବ୍ୟବହାର, କମ ମଜୂରୀ, ଦୁର୍ନୀତି ଓ ହରିଲୁଟ ବ୍ୟବସ୍ଥା ବିରୁଦ୍ଧରେ ରାଜ୍ୟବ୍ୟାପୀ ପ୍ରତିବାଦ ଗଢି ତୋଳିବା ପାଇଁ ବ୍ୟାପକ ପ୍ରସ୍ତୁତି ସହ ଏକଲକ୍ଷ ସ୍ବାକ୍ଷର ସମ୍ବଳିତ ସ୍ମାରକପତ୍ର ମୂଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କ ନିକଟକୁ ପ୍ରେରଣ କରିବା ପାଇଁ ସାମାଜିକ ଗଣମାଧ୍ୟମରେ ଅଭିଯାନ ଆରମ୍ଭ ହେବ ବୋଲି ନିଷ୍ପତ୍ତିରେ ଉପନୀତ ହେଲେ । ନରେଗା ଶ୍ରମିକଙ୍କ ଜୀବନ ଓ ଜୀବିକାକୁ ଦୃଷ୍ଟିରେ ରଖି ମୂଖ୍ୟମନ୍ତ୍ରୀ ତୁରନ୍ତ ନିମ୍ନ ୮ ଦଫା ଦାବୀ ମାନିନେବା ପାଇଁ କ୍ରାନ୍ତିକାରୀ କୃଷକ ସଭା ପକ୍ଷରୁ ଅନୁରୋଧ କରାଯାଇଛି । ଏଥିରେ ଅବହେଳା କଲେ ଦୁର୍ବାର ଜନ ଆନ୍ଦୋଳନ ଗଢ ଉଠିବ ବୋଲି ଚେତାବନୀ ପ୍ରଦାନ କରାଯାଇଛି ।୧. ନିର୍ଧାରିତ ମଜୁରୀ ୨୦୭ ଟଙ୍କା ସହ ବଞ୍ଚିବା ଯୋଗ୍ୟ ମଜୂରୀ ପ୍ରଦାନ କର, ବକେୟା ମଜୂରୀ ତୁରନ୍ତ ପ୍ରଦାନ କର।  ୨. ନରେଗାରେ ୨୦୦ ଦିନର କାମ ସହ ଦୈନିକ ମଜୁରୀ ୬୦୦ ଟଙ୍କାକୁ ବୃଦ୍ଧି କର,୩.  କୃଷି କ୍ଷେତ୍ରର ଋଆ, ବଛା, କାଟିବା, ଜଙ୍ଗଲ ସୁରକ୍ଷା ଓ ଜଙ୍ଗଲ ଜାତ ଦ୍ରବ୍ୟ ସଂଗ୍ରହ ଆଦି କାର୍ଯ୍ୟକୁ ନରେଗା ସହ ଯୋଡି  ଶ୍ରମିକଙ୍କ ମଜୂରୀ ପ୍ରଦାନ କର, ୪. ସମସ୍ତ ନରେଗା ଶ୍ରମିକଙ୍କୁ  ନିର୍ମାଣ ଶ୍ରମିକ ସହାୟତା ୧୫୦୦ ଟଙ୍କା ଏବଂ ନିର୍ମାଣ ଶ୍ରମିକ ପରିଚୟ ପତ୍ର ପ୍ରଦାନ କର, ୫. ରାସନକାର୍ଡରୁ ବଞ୍ଚିତ ହୋଇଥିବା ନରେଗା ଶ୍ରମିକଙ୍କୁ ତୁରନ୍ତ ରାସନକାର୍ଡ ଏବଂ ମୁଣ୍ଡ ପିଛ ୧୦ କେଜି ଚାଉଳ ସହ ଅତ୍ୟାବଶ୍ୟକ  ସାମଗ୍ରୀ ପ୍ରଦାନ କର ଏବଂ ରୋଜଗାର ବିହୀନ ପରିବାରକୁ ମାସିକ ୧୦ ହଜାର ଟଙ୍କା ସହାୟତା ପ୍ରଦାନ କର, ୬. ଅଚଳ ହୋଇ ପଡିଥିବା ସୁତାକଳ, ଚିନିକଳ, ଲୁଗାକଳ ଆଦି ର ପୁନରୁଦ୍ଧାର କରି ନିଯୁକ୍ତି ଦିଅ, ୭. ସଂଘରୋଧ କେନ୍ଦ୍ରରୁ ଫେରିଥିବା ଶ୍ରମିକଙ୍କୁ ୨ ହଜାର ଟଙ୍କା ତୁରନ୍ତ ପ୍ରଦାନ କର, ଗରିବ କଲ୍ୟାଣ ଯୋଜନାରେ ଅନ୍ତର୍ଭୁକ୍ତ ହୋଇଥିବା ଗଞ୍ଜାମ ଜିଲ୍ଲାର ସମସ୍ତ ଗରିବ ପରିବାରର ଉନ୍ନତିର ଦାୟିତ୍ୱ ନିଅ, ୮. ମନରେଗା କାର୍ଯ୍ୟରେ ନିୟୋଜିତ ସମସ୍ତ ମେସିନକୁ ଜବତ ଓ ମଜୂରୀ ହଡପ କରୁଥିବା ଅଧିକାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ । ଏ ସମ୍ପର୍କରେ କ୍ରାନ୍ତିକାରୀ କୃଷକ ସଭା ଗଞ୍ଜାମ ଜିଲ୍ଲା କମିଟି ସଦସ୍ୟା ପି.ପାର୍ବତୀ ଏକ ପ୍ରେସ ନୋଟ ମାଧ୍ୟମରେ ସୂଚନା ପ୍ରଦାନ କରିଛନ୍ତି ।

Leave A Reply

Your email address will not be published.