ବେଲଗୁଣ୍ଠା,୦୧/୦୫(ପିପିଟି); ଦିନକୁଦିନ ଦେଶରେ କରୋନା ସଂକ୍ରମଣ କମିବାର ନାଆଁ ଧରୁନି । ସଂକ୍ରମିତ ଏବଂ କରୋନା ଜନିତ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବା ଫଳରେ ଲୋକ ଭୟ ଏବଂ ଆଶଙ୍କା ଭିତରେ ଦିନ କାଟୁଛନ୍ତି । ଏହିଭଳି ପରିସ୍ଥିତିରେ ଗଞ୍ଜାମ ଜିଲ୍ଳା ବେଲଗୁଣ୍ଠା ବ୍ଳକ୍ ପ୍ରଶାସନ ତତ୍ପର ହୋଇଉଠିଛି । ଏହି ବ୍ଳକ୍ ରେ ଥିବା ଗ୍ରାମାଞ୍ଚଳ ଗୁଡ଼ିକ ପାଇଁ ଗାଙ୍ଗପୁର ଏବଂ ଗୋବରା ଦୁଇଟି ପ୍ରମୁଖ ବଜାର ହୋଇଥିବା ବେଳେ ଉଭୟ ବଜାରରେ ନିକଟସ୍ଥ ଗ୍ରାମ ଗୁଡ଼ିକରୁ ଦୈନିକ ୫୦୦୦ ରୁ ଉର୍ଦ୍ଧ୍ବ ଲୋକ ବ୍ୟବସାୟ ବାଣିଜ୍ୟ ପାଇଁ ଏକାଠି ହୋଇଥାନ୍ତି । ତେଣୁ ଏହି ଦୁଇ ବଜାରରେ ସଂକ୍ରମଣର ବୃଦ୍ଧି ଆଶଙ୍କା କରି ବ୍ଲକ୍ ପ୍ରାଶାସନ ଏବଂ ବଣିକ ସଂଘର ମିଳିତ ସହଯୋଗରେ ଉଭୟ ବଜାରକୁ ଶୁକ୍ରବାର ଠାରୁ ଦିନ ଦୁଇଟା ପରେ ସଟ୍ ଡ଼ାଉନ୍ ଘୋଷଣା କରାଯାଇଛି । ବ୍ଳକ୍ ପ୍ରଶାସନର ପୂର୍ବ ଘୋଷଣା ଅନୁଯାୟୀ ଗାଙ୍ଗପୁରରେ ଗତ ୨୮ ତାରିଖ ଏବଂ ୨୯ ତାରିଖରେ ସକାଳ ସାତଟାରୁ ଦିନ ଗୋଟାଏ ପର୍ଯ୍ୟନ୍ତ ଦୋକାନ ବଜାର ଖୋଲା ଯାଇଥିବା ବେଳେ ଆଜି ଠାରୁ କଟକଣାରେ ଆଉ ଘଣ୍ଟାଏ କୋହଳ କରାଯାଇ ଅପରାହ୍ଣ ଦୁଇଟା ପରେ କେବଳ ଔଷଧ ଦୋକାନକୁ ଛାଡି ଆଉ ସମସ୍ତ ଦୋକାନ ବଜାର ବନ୍ଦ କରାଯାଇଥିଲା । ଏହା ସହିତ ଉଭୟ ବଜାରରେ ମାସ୍କ ବ୍ୟବହାର, ସାମାଜିକ ଦୂରତା ରକ୍ଷା ଏବଂ ସ୍ଵଚ୍ଛତା ପ୍ରତି ତହସିଲଦାର ସରୋଜ କୁମାର ବେହେରା ବୁଲି ବୁଲି ସଚେତନତା କରୁଥିବା ଦେଖିବାକୁ ମିଳିଛି । ଉଭୟ ବଜାରରେ ଗାଙ୍ଗପୁର ଥାନା ଅଧିକାରୀ ଧୀରେଶ କୁମାର ଦାସଙ୍କ ନେତୃତ୍ୱରେ ପୋଲିସ୍ ଟିମ୍ କଟକଣା ଉଲଂଘନ କରୁଥିବା ବ୍ୟକ୍ତିଙ୍କୁ ତାଗିଦ୍ କରୁଥିବା ଦେଖିବାକୁ ମିଳିଛି ।
( ରିପୋର୍ଟ- ସୁଶାନ୍ତ କୁମାର ବେହେରା। )