ଭଞ୍ଜନଗର,୧୬/୦୬(ପିପିଟି); ଗତ ଦୁଇ ବର୍ଷ ହେଲା କରୋନା ପ୍ରଭାବରେ ବହୁ ସାଧାରଣ ଓ ଗରିବ ଶ୍ରେଣୀର ଲୋକଙ୍କ ଜୀବନ ଜୀବିକା ବଦଳି ଯାଇଛି। ପୂର୍ବରୁ ବିଭିନ୍ନ ରୋଜଗାର ପନ୍ଥା ଆପଣେଇ ହସ ଖୁସିରେ ଥିବା ବହୁ ଲୋକ ଆଜି ବଞ୍ଚିବା ପାଇଁ ସଂଗ୍ରାମ ଚଳାଇଥିବା ବେଳେ କେତେକ ଏଥିରେ ସଫଳ ହୋଇଥିବା ବେଳେ ଅଧିକାଂଶ ଅର୍ଥାଭାବରୁ ଅଭାବ ଅନାଟନରେ ଦିନ କାଟୁଛନ୍ତି। ମୁହଁରେ ଭୋକ ଥାଇ ମଧ୍ୟ ଲୋକ ଲଜ୍ଜ୍ୟାରୁ ବର୍ତ୍ତିବା ପାଇଁ ନିଜର ସ୍ୱାଭିମାନକୁ ଜାବୁଡ଼ି ଧରି କେବେ କାହା ଆଗରେ ହାତ ପତାଇ ନଥାନ୍ତି। ସେହିପରି ଭଞ୍ଜନଗର ଭେଜିପୁଟ ମୁଖ୍ୟ ରାସ୍ତାରେ ରହୁଥିବା ଅନୀଲ କୁମାର ବିଷୋୟୀ ପୂର୍ବରୁ ସ୍ଥାନୀୟ ବିଜୁ ପଟ୍ଟନାୟକ ଶିଶୁ ଉଦ୍ୟାନକୁ ଆସୁଥିବା ପର୍ଯ୍ୟଟକଙ୍କ ଫୋଟ ଉତ୍ତୋଳନ କରି ଭଲ ଦୁଇ ପଇସା ରୋଜଗାର କରିବା ସହ ବିଭିନ୍ନ ସାମାଜିକ, ସାଂସ୍କୃତିକ କାର୍ଯ୍ୟକ୍ରମରେ ମଧ୍ୟ ଫୋଟ ଓ ଭିଡ଼ିଓ ସୁଟ କରି ପରିବାର ପ୍ରତିପୋଷଣ କରି ଆସୁଥିଲେ। ହେଲେ ଗତ ଦୁଇ ବର୍ଷ ହେଲା କରୋନା କଟକଣା ଯୋଗୁଁ ପାର୍କ ସମ୍ପୁର୍ଣ୍ଣ ବନ୍ଦ ରହିବା ସହ ବିଭିନ୍ନ କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହେଉନାହିଁ। ଯାହାଫଳରେ ଅନୀଲଙ୍କ ହାତ ଏକଦମ ବନ୍ଦ ହୋଇଯାଇଛି।ସେଥିରେ ଗୋଟିଏ ପୁଅର ପଢ଼ା ଖର୍ଚ୍ଚ, ପରିବାର ଖର୍ଚ୍ଚ, ଔଷଧ ଓ ପର୍ବ ପର୍ବାଣୀ ପାଳନ କଷ୍ଟକର। ଅନ୍ୟ ଉପାୟ ନପାଇ ଘର ଚଳାଇବା ପାଇଁ ଏହି ଲକ ଡାଉନ ସମୟରେ ଫୋଟ ଗ୍ରାଫର ଅନୀଲ ନିଜ ଘର ସାମ୍ନା ଫୁଟଫାଥରେ ଉଦୁଉଦିଆ ଖରାରେ ବସି କିଛି ଅଣ୍ଡା, ଛତୁ, ବଡ଼ି ଓ ପାମ୍ପଡ଼ ଧରି ବସିଲେ।ସେଥିରେ ଯାହା କିଛି ଆଦାୟ ହେଲା ସେଥିରେତ ଚଳିବା ମୁସ୍କିଲ ଥିଲା। ପୁଣି ପ୍ରବଳ ଖରାରେ ଦୀର୍ଘ ସମୟ ବସିବା ଦ୍ୱାରା ତାଙ୍କର ଦେହ ଖରାପ ହୋଇଗଲା।ଚିକିତ୍ସା ପାଇଁ ଗୁଡ଼ାଏ ପଇସା ମଧ୍ୟ ଖର୍ଚ୍ଚ ହେଲା। ହେଲେ ଆୟ ନହେଲେ ଘରଖର୍ଚ୍ଚ କିପରି ହେବ ଏହା ଚିନ୍ତା କରି କରି ତାଙ୍କ ପତ୍ନୀ ମଧ୍ୟ ଅସୁସ୍ଥ ହୋଇ ପଡିଲେ। ଚିକିତ୍ସା ପାଇଁ ଅର୍ଥ ଅଭାବ ଲାଗି ରହିଥିବା ବେଳେ ଶେଷରେ ହୃଦଘାତରେ ମଙ୍ଗଳବାର ସକାଳେ ତାଙ୍କର ମୃତ୍ୟୁ ଘଟିଲା। ଏଭଳି ଘୋର ଦୁର୍ଦ୍ଦିନ ସମୟରେ ପତ୍ନୀ ମଧ୍ୟ ଅନୀଲର ହାତ ଛାଡ଼ି ଚାଲିଗଲେ। ଯାହାକୁ ନେଇ ସମ୍ପୂର୍ଣ୍ଣ ଭାଙ୍ଗି ପଡିଛନ୍ତି ଅନୀଲ।ଯଦି ତାଙ୍କୁ କିଛି ସରକାରୀ ସହାୟତା ଯୋଗାଇ ଦିଆଯାଏ ତାହେଲେ ସେ ଏହି ସମସ୍ୟାରୁ ମୁକୁଳି ପାରିବେ ବୋଲି ଆଶା କରାଯାଉଛି।
(ରିପୋର୍ଟ – ଜୟକୃଷ୍ଣ ପଟ୍ଟନାୟକ। )