କନ୍ଧମାଳ ଜିଲ୍ଲାରେ ବିଜୁ ଗ୍ରାମଜ୍ୟୋତି ଯୋଜନା ସଫଳ ହୋଇନାହିଁ ।

0 531

ଫୁଲବାଣୀ,୦୮/୧୦(ପିପିଟି); କନ୍ଧମାଳ ଜିଲ୍ଲାର ବିଜୁ ଗ୍ରାମଜ୍ୟୋତି ଯୋଜନାରେ ୨୦୦୯-୧୦ ମସିହାରୁ ଆରମ୍ଭ ହୋଇ ୪୦ କୋଟି ଟଙ୍କା ଖର୍ଚ୍ଚ ହୋଇସାରିଥିଲେ ମଧ୍ୟ ଧାର୍ଯ୍ୟ କରାଯାଇଥିବା ୩ ବର୍ଷ ଅବଧି ମଧ୍ୟରେ କାମ ସମ୍ପୂର୍ଣ୍ଣ ନ ହୋଇ ଆଜି ପର୍ଯ୍ୟନ୍ତ ପଡିରହିଛି । ସବୁ ଗ୍ରାମକୁ ବିଜୁଳି ପହଞ୍ଚିପାରି ନାହିଁ । ଏନେଇ ଜିଲ୍ଲାରେ ପ୍ରାୟ ୩୦ଟି ଠିକା କମ୍ପାନୀ ଟେଣ୍ଡର ପାଇ ୧,୪୦୦ ଗ୍ରାମକୁ ବିଜୁଳି ସଂଯୋଗ ପାଇଁ ୱାର୍କ ଅଡ଼ର ପାଇଥିବାବେଳେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗ ଏହି ଅଡର ପ୍ରଦାନ କରିଥିଲେ । ଜିଲ୍ଲା ସାଉଥକୋ ନିର୍ବାହୀ ଯନ୍ତ୍ରୀ ଏହାର ଟେକନିକାଲ ପାର୍ଶ୍ୱକୁ ତଦାରଖ କରୁଥିଲେ । ଇଂଲିଶ ଇଂଜିନିୟରିଂ , ବାସନ୍ତି ଇଲେକ୍ଟ୍ରିକଲ ,ଏନ.ଟି.ପି.ସି ଭଳି ଠିକା କମ୍ପାନୀ ମଧ୍ୟ ଏହି କାମ କରୁଥିବା ବେଳେ ପ୍ରାୟ ୪ ବର୍ଷ ହେବ କାମ ବନ୍ଦ ହୋଇ ପଡିଛି । ଏହି କମ୍ପାନୀ ଗୁଡିକ ଜିଲ୍ଲାର ପ୍ରାୟ ୨୦୦ରୁ ଅଧିକ ଗାଁରେ ପୋଲ ପୋତି ତାର ଭିଡି ନଥିବା ଓ କେଉଁଠାରେ ତାର ଭିଡା ସରି ମଧ୍ୟ ବିଜୁଳି ସଂଯୋଗ କରିନଥିବା ଅଭିଯୋଗ ହେଉଛି । କାମ ନ ସାରି ବିଲ୍ ଉଠାଇ କମ୍ପାନୀ ଗୁଡିକ ଚାଲିଯାଇଥିବା ନେଇ ମଧ୍ୟ ଅଭିଯୋଗ ହେଉଛି । ଏନ.ଟି.ପି.ସି କରିଥିବା ଗୁଡ଼ାଏ କାମରେ ଗାଁ ଲୋକଙ୍କୁ ଲଗାଇ ପୋଲ ପୋତିବା ତାର ଭିଡ଼ିବା ଭଳି କାମ କରାଇ ମଜୁରି ପ୍ରଦାନ କରିନଥିବା ନେଇ କାମ କରିଥିବା ଲୋକେ ଗ୍ରାମ୍ୟ ଉନ୍ନୟନ କାର୍ଯ୍ୟାଳୟ ଓ ଶ୍ରମ କାର୍ଯ୍ୟାଳୟକୁ ବାରମ୍ବାର ଦୌଡୁଥିଲେ ମଧ୍ୟ କୌଣସି ସୁଫଳ ପାଇନଥିବା ନେଇ ଅଭିଯୋଗ କରିଛନ୍ତି । ଏହି କମ୍ପାନୀ ଗୁଡିକ ସମ୍ପୂର୍ଣ୍ଣ କାମ ସାରିନଥିବା ବେଳେ କିଭଳି ବିଲ୍ ପ୍ରଦାନ କରାଗଲା ଏହା ବିରାଟ ପ୍ରଶ୍ନବାଚି ସୃଷ୍ଟି କରିଛି । ଚଳିତ ବର୍ଷ ଅକ୍ଟୋବର ସୁଦ୍ଧା ଏହି ଅସମ୍ପୂର୍ଣ୍ଣ କାମକୁ ସରିବା ପାଇଁ ପ୍ରଶାସନ ପ୍ରତିଶ୍ରୁତି ଦେଇଥିବା ବେଳେ ବର୍ତ୍ତମାନ ସୁଦ୍ଧା କାମ ଆରମ୍ଭ ହୋଇନଥିବା ଅଭିଯୋଗ କରିଛନ୍ତି ଗାଁ ଲୋକେ । ବର୍ତ୍ତମାନ ନୂଆ ନୂଆ କେନ୍ଦ୍ରୀୟ ଯୋଜନାକୁ କାର୍ଯ୍ୟକାରୀ କରାଯାଉଥିବା ବେଳେ ଏହି ବିଜୁ ଗ୍ରାମ ଜ୍ୟୋତି ଯୋଜନାର ସମୟ ସୀମା ୬ ବର୍ଷରୁ ଅଧିକ ସମୟ ଧରି ସରିନଥିବାବେଳେ ପ୍ରାୟ ୨୭୧ ଗାଁକୁ ବିଜୁଳି ସଂଯୋଗ କିଭଳି ହେବ ଓ ଅସମ୍ପୂର୍ଣ୍ଣ ହୋଇ ପଡ଼ିଥିବା ୨୦୦ ଗାଁର କାମ କିଭଳି ସମ୍ପୂର୍ଣ୍ଣ ହେବ ଏହା ଏକ ବଡ ପ୍ରଶ୍ନ ଛିଡା କରିଛି । ଜିଲ୍ଲାକୁ ଆସୁଥିବା ବିଭିନ୍ନ ଯୋଜନାର ସଫଳ କାର୍ଯ୍ୟକାରିତା ଓ ସ୍ୱଚ୍ଛତା ଉପରେ ତଦନ୍ତର ଆବଶ୍ୟକତା ହୋଇ ପଡିଛି । (ରିପୋର୍ଟ – ଶିବାନନ୍ଦ ପଟ୍ଟନାୟକ ।)

Leave A Reply

Your email address will not be published.