କନ୍ଧମାଳରେ ମରୁଡ଼ି ସ୍ଥିତି: ତିନି ମାସରେ ନିଅଣ୍ଟିଆ ବର୍ଷା, ଚାଷୀ ମୁଣ୍ଡରେ ଚଡ଼କ ।

0 316

କନ୍ଧମାଳ,୨୯/୦୮(ପିପିଟି): କନ୍ଧମାଳ ଜିଲ୍ଲାରେ ମରୁଡ଼ି ପରିସ୍ଥିତି ଉତ୍କଟ ରୂପ ଧାରଣ କରିଛି। ବିଶେଷକରି ଅଗଷ୍ଟ ମାସଟି କନ୍ଧମାଳ ଜିଲ୍ଲାର ଚାଷୀଙ୍କ ପାଇଁ ଅଭିଶାପ ପାଲଟିଛି। ପ୍ରତିବର୍ଷ ଅଗଷ୍ଟ ମାସରେ କନ୍ଧମାଳ ଜିଲ୍ଲାରେ ହାରାହାରି ୨୨୫ ମିମି. ବୃଷ୍ଟିପାତ ହେଉଥିବା ବେଳେ ଚଳିତବର୍ଷ ଅଗଷ୍ଟ ମାସ ୨୧ ତାରିଖ ସୁଦ୍ଧା ମାତ୍ର ୮୦ ମିମି ବୃଷ୍ଟିପାତ ହୋଇଛି। ଅଗଷ୍ଟ ମାସରେ ଏଭଳି ନିଅଣ୍ଟିଆ ବର୍ଷା ଫଳରେ କନ୍ଧମାଳ ଜିଲ୍ଲାରେ ଆସନ୍ନ ମରୁଡ଼ି ପରିସ୍ଥିତି ଉପୁଜିଛି। ଅଗଷ୍ଟ ମାସରେ କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଲକରେ ସର୍ବନିମ୍ନ ୧୮ ମିମି. ବୃଷ୍ଟିପାତ ରେକର୍ଡ କରାଯାଇଥିବା ବେଳେ କୋଟଗଡ଼ ବ୍ଲକରେ ସର୍ବାଧିକ ୧୮୦ ମିମି. ବର୍ଷା ହୋଇଛି। ସାମ୍ଭାବ୍ୟ ମରୁଡ଼ି ପରିସ୍ଥିତିର ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ଜରୁରୀକାଳୀନ ବୈଠକ ଡକାଯାଇଛି। କୃଷି ବିଭାଗ ସମେତ ଉଦ୍ୟାନ କୃଷି, ମୃତ୍ତିକା ସଂରକ୍ଷଣ, ପ୍ରାଣୀ ଚିକିତ୍ସା ବିଭାଗ, ବିଦ୍ୟୁତ୍‌ ବିଭାଗ, କ୍ଷୁଦ୍ର ଜଳସେଚନ, ମଧ୍ୟମ ଜଳସେଚନ ଏବଂ ଉଠା ଜଳସେଚନ ବିଭାଗର ଅଧିକାରୀମାନେ ଏହି ବୈଠକରେ ଉପସ୍ଥିତ ଥିଲେ। ମରୁଡ଼ି ପରିସ୍ଥିତିର ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ଆପାତକାଳୀନ ଯୋଜନା ପ୍ରସ୍ତୁତି କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ଏହି ଯୋଜନାରେ ଚାଷୀଙ୍କୁ ବିକଳ୍ପ ସହାୟତା ପ୍ରଦାନ କରାଯିବ। ଏହା ସହିତ ଅଚଳ ହୋଇ ପଡ଼ିଥିବା ଉଠାଜଳସେଚନର ମରାମତି, ବିଦ୍ୟୁତ୍‌ ଦେୟ ପୈଠ ହୋଇ ନଥିବାରୁ ସଂଯୋଗ ବନ୍ଦ କରି ଦିଆଯାଇଥିବା ଉଠାଜଳସେଚନ ପଏଣ୍ଟଗୁଡ଼ିକୁ ଯୁଦ୍ଧକାଳୀନ ଭିତ୍ତିରେ ବିଜୁଳି ଯୋଗାଣ କରିବା, ଚାଷୀଙ୍କୁ ଧାନ ବଦଳରେ ଅନ୍ୟାନ୍ୟ ଅଣଧାନ ଚାଷ ପାଇଁ ପ୍ରୋତ୍ସାହନ ଯୋଗେଇ ଦେବା ଉପରେ ପ୍ରଶାସନ ପକ୍ଷରୁ ଗୁରୁତ୍ବାରୋପ କରାଯାଇଛି ବୋଲି ଜିଲ୍ଲାପାଳ ଡ. ବୃନ୍ଦା ଡି. ସୂଚନା ଦେଇଛନ୍ତି।ଅପରପକ୍ଷେ, କେଉଁ କେଉଁ ବ୍ଲକ ମରୁଡ଼ି ପ୍ରଭାବିତ ହୋଇଛି ତାହାର ସର୍ଭେ କରିବାକୁ କୃଷି ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। କୃଷି ବିଭାଗ ପକ୍ଷରୁ ବ୍ଲକସ୍ତରରୁ ମରୁଡ଼ି ରିପୋର୍ଟ ଆସିବା ପରେ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି। କନ୍ଧମାଳ ଜିଲ୍ଲା କୃଷି ବିଭାଗର ତଥ୍ୟ ଅନୁସାରେ, ଗତ ୩ ମାସ ଧରି ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଛି। ଜୁନ୍‌ ମାସରେ ପ୍ରତିବର୍ଷ କନ୍ଧମାଳ ଜିଲ୍ଲାରେ ହାରାହାରି ୨୦୮ ମିମି ବୃଷ୍ଟିପାତ ହେଉଥିବାବେଳେ ଚଳିତବର୍ଷ ଜୁନ୍‌ ମାସରେ ୧୨୬ ମିମି ବୃଷ୍ଟିପାତ ହୋଇଛି। ଜୁନ୍‌ ମାସରେ କନ୍ଧମାଳ ଜିଲ୍ଲାରେ ୩୯.୫ ବୃଷ୍ଟିପାତ ହୋଇଛି। ସେହିଭଳି କନ୍ଧମାଳ ଜିଲ୍ଲାରେ ଜୁଲାଇ ମାସରେ ୩୨୫ ମିମି ବୃଷ୍ଟିପାତ ହେଉଥିବାବେଳେ ଚଳିତବର୍ଷ ଜୁଲାଇରେ ୨୯୯ ମିମି ବୃଷ୍ଟିପାତ ହୋଇଛି। କନ୍ଧମାଳ ଜିଲ୍ଲାରେ ଜୁଲାଇ ମାସରେ ୭.୯ ବୃଷ୍ଟିପାତ ହୋଇଛି। ଅଗଷ୍ଟ ମାସରେ କନ୍ଧମାଳ ଜିଲ୍ଲାରେ ୨୨୫ ମିମି ବୃଷ୍ଟିପାତ ହେଉଥିବା ବେଳେ ଚଳିତବର୍ଷ ଅଗଷ୍ଟ ମାସରେ (୨୧.୦୮.୨୧ ସୁଦ୍ଧା) ହୋଇଛି ମାତ୍ର ୮୦ ମିମି. ଚଳିତବର୍ଷ ଅଗଷ୍ଟ ମାସରେ କନ୍ଧମାଳ ଜିଲ୍ଲାରେ ୬୪ ବର୍ଷା ହୋଇଛି। ଚଳିତବର୍ଷ ନିଅଣ୍ଟିଆ ବର୍ଷା ଯୋଗୁଁ ଜିଲ୍ଲାରେ ତଳି ପକା କାର୍ଯ୍ୟକ୍ରମ ବିଳମ୍ବିତ ହୋଇଥିଲା। ତେବେ ଗତ ଜୁଲାଇ ମାସରେ ସାମାନ୍ୟ ଭଲ ବର୍ଷା ହେବାରୁ ରୁଆ କାର୍ଯ୍ୟ ହୋଇଥିଲା। ମାତ୍ର ଅଗଷ୍ଟ ମାସରେ ବର୍ଷା ନ ଥିବାରୁ ଜମିରେ ତଳି ଶୁଖିବା ସହ ରୁଆ ‌ହୋଇଥିବା ଗଛ ମଧ୍ୟ ମରିବାକୁ ବସିଲାଣି। ତେବେ ଚଳିତ ମାସ ଶେଷ ସୁଦ୍ଧା ବର୍ଷା ନ ହେଲେ ମରୁଡ଼ି ପରିସ୍ଥିତି ସୃଷ୍ଟି ହେବ ବୋଲି ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ପ୍ରଶାନ୍ତ କୁମାର ଶତପଥୀ ସୂଚନା ଦେଇଛନ୍ତି। ଗତ ତିନି ମାସରେ କନ୍ଧମାଳ ଜିଲ୍ଲାର ସମସ୍ତ ବ୍ଲକରେ ନିଅଣ୍ଟିଆ ବର୍ଷା ରେକର୍ଡ଼ କରାଯାଇଛି। ଖଜୁରୀପଡ଼ା ବ୍ଲକରେ ଜୁନ ମାସରେ ୧୪୬ ମିମି ବୃଷ୍ଟିପାତ ହୋଇଥିବାବେଳେ ଜୁଲାଇରେ ୨୫୮ ମିମି ଏବଂ ଅଗଷ୍ଟରେ ମାତ୍ର ୬୯ ମିମି ବର୍ଷା ହୋଇଛି। ସେହିଭଳି ଫିରିଙ୍ଗିଆ ବ୍ଲକରେ ଜୁନ୍‌ ମାସରେ ୧୪୬ ମିମି ବୃଷ୍ଟିପାତ ହୋଇଥିବା ବେଳେ ଜୁଲାଇ ମାସରେ ୪୪୬ ମିମି. ଅଗଷ୍ଟରେ ମାତ୍ର ୭୫ ମିମି. ଫୁଲବାଣୀ ବ୍ଲକରେ ଜୁନ୍‌ ମାସରେ ୯୮ ମିମି. ଜୁଲାଇ ମାସରେ ୨୮୭, ଅଗଷ୍ଟରେ ମାତ୍ର ୪୦ ମିମି. ବାଲିଗୁଡ଼ା ବ୍ଲକରେ ଜୁନ୍‌ ମାସରେ ୧୪୦ ମିମି ବୃଷ୍ଟିପାତ ହୋଇଥିବା ବେଳେ ଜୁଲାଇ ମାସରେ ୩୩୯ ମିମି. ଅଗଷ୍ଟ ମାସରେ ୧୧୫ ମିମି. କୋଟଗଡ଼ ବ୍ଲକରେ ଜୁନ୍‌ ମାସରେ ୧୬୫ ମିମି ବର୍ଷା ହୋଇଥିବାବେଳେ ଜୁଲାଇ ମାସରେ ୩୪୮ ମିମି. ଅଗଷ୍ଟରେ ୧୮୦ ମିମି. ତୁମୁଡ଼ିବନ୍ଧ ବ୍ଳକରେ ଜୁନ୍‌ ମାସରେ ୧୧୯ ମିମି ବୃଷ୍ଟିପାତ ହୋଇଥିବାବେଳେ ଜୁଲାଇ ମାସରେ ୨୨୯ ମିମି. ଅଗଷ୍ଟ ମାସରେ ୭୪ ମିମି. ଚକାପାଦ ବ୍ଲକରେ ଜୁନ୍‌ ମାସରେ ୮୮ ମିମି ବୃଷ୍ଟିପାତ ହୋଇଥିବାବେଳେ ଜୁଲାଇ ମାସରେ ୩୦୮ ମିମି. ଅଗଷ୍ଟ ମାସରେ ମାତ୍ର ୧୮ ମିମି. ଘୁ.ଉଦୟଗିରି ବ୍ଲକରେ ଜୁନ ମାସରେ ୧୧୧ ମିମି ବର୍ଷା ହୋଇଥିବାବେଳେ ଜୁଲାଇ ମାସରେ ୨୭୦ ମିମି. ଅଗଷ୍ଟ ମାସରେ ୮୭ମିମି, ରାଇକିଆ ବ୍ଲକରେ ଜୁନ୍‌ ମାସରେ ୧୯୪ ମିମି ବର୍ଷା ହୋଇଥିବା ବେଳେ ଜୁଲାଇ ମାସରେ ୨୬୬ ମିମି. ଅଗଷ୍ଟ ମାସରେ ୮୬ ମିମି. ଟିକାବାଲି ବ୍ଲକରେ ଜୁନ୍‌ ମାସରେ ୫୬ ମିମି ବର୍ଷା ହୋଇଥିବା ବେଳେ ଜୁଲାଇ ମାସରେ ୩୧୩ ମିମି. ଅଗଷ୍ଟ ମାସରେ ମାତ୍ର ୧୮ ମିମି. ଦାରିଂବାଡ଼ି ବ୍ଲକରେ ଜୁନ୍‌ ମାସରେ ୧୨୯ ମିମି ବର୍ଷା ହୋଇଥିବାବେଳେ ଜୁଲାଇ ମାସରେ ୨୭୮ ମିମି. ଅଗଷ୍ଟ ମାସରେ ୬୮ ମିମି. କ.ନୂଆଗାଁ ବ୍ଲକରେ ଜୁନ ମାସରେ ୧୧୮ ମିମି ବର୍ଷା ହୋଇଥିବା ବେଳେ ଜୁଲାଇ ମାସରେ ୨୪୯ ମିମି. ଅଗଷ୍ଟ ମାସରେ ୧୧୯ ମିମି ବର୍ଷା ହୋଇଛି।
(ରିପୋର୍ଟ:-ସୁଶାନ୍ତ କୁମାର ପାଣିଗ୍ରାହୀ ।)

Leave A Reply

Your email address will not be published.