କନ୍ଧମାଳରେ ପୁଣି ଆରମ୍ଭ ହେଲା ଚିଟଫଣ୍ଡ କେଳେଙ୍କାରୀ : ୧୩ ଲକ୍ଷ ଟଙ୍କା ନେଇ ଚମ୍ପଟ ।

0 374

କନ୍ଧମାଳ,୦୭/୦୨(ପିପିଟି): ରାଜ୍ୟରେ ଚିଟ୍‌ଫଣ୍ଡ ଠକେଇର ତଦନ୍ତ ଧିମେଇ ଯାଇଛି। ଏବେ କନ୍ଧମାଳ ଜିଲ୍ଲାରେ ପୁଣି ଏକ ଚିଟ୍‌ଫଣ୍ଡ ଠକେଇ ଘଟଣା ନଜରକୁ ଆସିଛି। ଭୁବନେଶ୍ବରର ସିଏମ୍‌ସି ପ୍ରାଇଭେଟ୍‌ ଲିମିଟେଡ୍‌ ନାମକ ଏକ ଠକ ସଂସ୍ଥା ଋଣ ଦେବା ନାଁ’ରେ ଲୋକଙ୍କ ଠାରୁ ୧୩ ଲକ୍ଷ ଟଙ୍କା ଚଳୁ କରିଛି। ଏହି ସଂସ୍ଥା ସ୍ଥାନୀୟ କେତେକ ଯୁବକଯୁବତୀଙ୍କ ଠାରୁ ୫ରୁ ୧୦ହଜାର ଟଙ୍କା ଲେଖାଏଁ ସିକ୍ୟୁରିଟି ଆକା‌ରରେ ନେଇ ସେମାନଙ୍କୁ ଚାକିରି ଦେଇଥିଲା। ହେଲେ ଏହା ଠକ ସଂସ୍ଥା ବୋଲି ଜଣାପଡ଼ିବା ପରେ ସମ୍ପୃକ୍ତ ଯୁବକ ଯୁବତୀମାନେ ଫୁଲବାଣୀ ଟାଉନ୍‌ ଥାନାରେ ଏତଲା ଦେଇଛନ୍ତି। ଅଭିଯୋଗ ଅନୁସାରେ ଏହି ସଂସ୍ଥା କନ୍ଧମାଳ ଜିଲ୍ଲାର ଫୁଲବାଣୀ, ବାଲିଗୁଡ଼ା, ଟିକାବାଲି ଓ ଖଜୁରୀପଡ଼ାରେ ୪ଟି ଅଫିସ୍ ଖୋଲି ଲୋକଙ୍କୁ ଋଣ ଦେବା ନାମରେ ଜଣକ ପିଛା ୫ ଶହ ଟଙ୍କା ଆଦାୟ କରିଥିଲା। ଜିଲ୍ଲାରେ ୩୫୦ରୁ ଊର୍ଦ୍ଧ୍ବ ଗ୍ରୁପ୍‌ (ଗୋଟିଏ ଗ୍ରୁପ୍‌ରେ ୬/୭ଜଣ) ଲୋକଙ୍କଠାରୁ ଉକ୍ତ ସଂସ୍ଥାର କର୍ମଚାରୀଙ୍କ ମାଧ୍ୟମରେ ୧୩ ଲକ୍ଷ ଟଙ୍କା ଠକି ନେଇଛନ୍ତି। ବିଶେଷକରି ଏହି ସଂସ୍ଥା ମହିଳା ଗ୍ରୁପ୍‌ଙ୍କୁ ଟାର୍ଗେଟ୍‌ କରି ସେମାନଙ୍କ ମନରେ ବିଶ୍ବାସ ଜନ୍ମାଇ ୫୦୦ ଟଙ୍କା ଲେଖାଏଁ ଆଦାୟ କରିଛି। ‌ତେବେ ଟଙ୍କା ନେଇଗଲା ପରେ ଏହି ଠକ ସଂସ୍ଥା ପାର୍‌ ହୋଇଯାଇଛି। ଏହି ସଂସ୍ଥାରେ ଚାକିରି କରୁଥିବା ଖଗେଶ୍ବରୀ ସାହାଣୀ, ମାଣିକ ଦିଗାଲ, ପ୍ରମୋଦିନୀ ସାହାଣୀ, ଦେବାଶିଷ ସାହାଣୀ, ଶୁଭମ କୁମାର ସେଠୀ, ଜିତୁ ନାୟକ ଓ ଶରତ ଚନ୍ଦ୍ର ଦିଗାଲ ପ୍ରମୁଖ ଫୁଲବାଣୀ ଟାଉନ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଏହି ଠକସଂସ୍ଥାର ମାଲିକଙ୍କୁ ଗିରଫ କରିବା ସହ ସେମାନଙ୍କ ଟଙ୍କା ଫେରାଇବାକୁ ଉକ୍ତ କମ୍ପାନିର କର୍ମଚାରୀ ଖଗେଶ୍ବରୀ ସାହାଣି ଦାବି କରିଛନ୍ତି। ଏତଲା ଆଧାରରେ ମାମଲା ରୁଜୁ କରି ପୁଲିସ ତଦନ୍ତ ଆରମ୍ଭ କରିଛି ବୋଲି ଟାଉନ ଥାନାଧିକାରୀ ସୁଶାନ୍ତ ସେଠୀ କହିଛନ୍ତି।
(ରିପୋର୍ଟ:-ସୁଶାନ୍ତ କୁମାର ପାଣିଗ୍ରାହୀ )

Leave A Reply

Your email address will not be published.