କନ୍ଧମାଳରେ କରୋନା ସଚେତନତା ସୃଷ୍ଟି କରୁଛନ୍ତି ଯମରାଜ ଓ ଚିତ୍ରଗୁପ୍ତ ।

0 237

କନ୍ଧମାଳ,୨୩/୦୪(ପିପିଟି): କନ୍ଧମାଳ ଜିଲ୍ଲାରେ ନିଆରା ଢଙ୍ଗରେ କରୋନା ସଚେତନତା ସୃଷ୍ଟି କରାଯାଉଛି। ଜିଲ୍ଲା ପୁଲିସ ପ୍ରଶାସନ ଓ ସ୍ବେଚ୍ଛାସେବୀ ସଂଗଠନ ଟିମ୍‌ ହ୍ୟୁମାନିଟର ସଦସ୍ୟମାନଙ୍କ ପକ୍ଷରୁ କରୋନା ସଚେତନତା ଅଭିଯାନକୁ ଜୋର୍‌ଦାର କରାଯାଉଛି। ସେମାନେ ଯମରାଜ ଓ ଚିତ୍ରଗୁପ୍ତ ଭୂମିକାରେ ଅବତୀର୍ଣ୍ଣ ହୋଇ କରୋନା ଭୂତାଣୁକୁ କିଭଳି ପ୍ରତିହତ କରାଯାଇପାରିବ ତାହା ଲୋକଙ୍କୁ ସଚେତନ କରୁଛନ୍ତି। ସମଗ୍ର ଦେଶରେ ପୁଣି କରୋନା କଡ ଲେଉଟଥିବା ବେଳେ ସେଥିରୁ କନ୍ଧମାଳ ଜିଲ୍ଲାକୁ ମଧ୍ୟ ଧିରେ ଧିରେ କବଳିତ କରିବାକୁ ଲାଗିଲାଣି। ତେଣୁ ଏନେଇ ଜିଲା ପ୍ରଶାସନ ଓ ପୁଲିସ ପ୍ରଶାସନ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ମାସ୍କ ବ୍ୟବହାର ,ସାମାଜିକ ଦୁରତା ବଜାୟ ରଖିବା ଭଳି ବିଭିନ୍ନ ପ୍ରକାର ସଚେତନତା କାର୍ଯ୍ୟକ୍ରମ ସମଗ୍ର ଜିଲାରେ ଆରମ୍ଭ କରିଥିବା ବେଳେ ଅତି ଆବଶ୍ୟକ ନଥିଲେ ଘରୁ ବାହାରକୁ ନବାହାରିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି। ସେହିଭଳି ବାରମ୍ବାର ହାତକୁ ଭଲଭାବରେ ଧୋଇବା ସହିତ ନିୟମ ମାନି ଚଳିବା ପାଇଁ ଏ ଗାଁରୁ ସେ ଗାଁକୁ ଗସ୍ତ କରି ସଚେତନତା କରିଛି ପ୍ରଶାସନ ଓ ପୁଲିସ୍। କିଲର ଭାଇରସ କରୋନାକୁ ସମୁଳେ ନିପାତ କରିବା ପାଇଁ ଜିଲା ପ୍ରଶାସନ ପକ୍ଷରୁ ଅନେକ ସଂଗଠନ ମଧ୍ୟ ସେମାନଙ୍କର ପ୍ରୟାସ ଜାରି ରଖିଥିବା ବେଳେ ଏଥିରେ କନ୍ଧମାଳ ଟିମ୍ ହ୍ୟୁମାନିଟ୍ ପ୍ରମୁଖ ଭୂମିକା ଗ୍ରହଣ କରିଛି। ଆଜି ଆଉ ଭିନ୍ନ ରୁପରେ ଟିମ୍ ହ୍ୟୁମାନିଟ ଓ ପୁଲିସ୍ ର ମିଳିତ ସହଯୋଗରେ ଅନୁଷ୍ଠିତ ହୋଇଯାଇଛି ଏକ କରୋନା ସଚେତନତା କାର୍ଯ୍ୟକ୍ରମ। ଏଥିରେ ସ୍ଥାନୀୟ ପୁଲିସ ପ୍ରଶାସନର ସଦର ଏସଡିପିଓ ମହେନ୍ଦ୍ରନାଥ ମୁର୍ମ୍ମୁ,ଆଦର୍ଶଥାନା ଏସ୍‌ଆଇ ଶାନ୍ତୁନୁ ପ୍ରଧାନ, କିଶୋର କୁମାର ମହାଙ୍କୁଡ ଓ ଅନ୍ୟ ପୁଲିସ କର୍ମଚାରୀ ମାନେ ଅଂଶ ଗ୍ରହଣ କରିବା ସହିତ ଟିମ୍ ହ୍ୟୁମାନିଟର ସଦସ୍ୟ ମାନଙ୍କ ମଧ୍ୟରେ ଯମରାଜ ଭୁମିକାରେ ପ୍ରଫୁଲ କୁମାର ପୃଷ୍ଟି ଓ ଚିତ୍ରଗୁପ୍ତ ବେଶରେ ଭି.ଜଗନ୍ନାଥ ରାଜୁ ଚରିତ୍ରର ରୁପାନ୍ତର ନାଟକ କରାଯାଇ ଲୋକଙ୍କୁ ସଚେତନ କରାଯାଇଥିଲା। ସାଇରାମ ପାତ୍ର ନିଜେ କରୋନା ବେଶରେ ଲୋକଙ୍କୁ ଅମାନିଆଙ୍କ ସଚେତନ ହେବା ପାଇଁ କହିଥିଲେ। ସହରର ବିଭିନ୍ନ ବଜାର ଓ ଛକ ମାନଙ୍କରେ ଏହି ସଚେତନ କାର୍ଯ୍ୟକ୍ରମ କରାଯିବା ସହିତ ଖୋଦ୍ ପୁଲିସ୍ ପକ୍ଷରୁ ମଧ୍ୟ ଆଜି ଅମାନିଆଙ୍କଠାରୁ ଜରିମାନା ଆଦାୟ କରାଯାଇଥିଲା। ସ୍ୱେଚ୍ଛାସେବୀ ସଂଗଠନ ଟିମ୍ ହ୍ୟୁମାନିଟର ଏଭଳି ସଚେତନ ପ୍ରୟାସକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି।
(ରିପୋର୍ଟ:-ସୁଶାନ୍ତ କୁମାର ପାଣିଗ୍ରାହୀ ।)

Leave A Reply

Your email address will not be published.