କଣ୍ଟେନର ମାଡି ଯିବାରୁ ବିଜେଡି କର୍ମୀଙ୍କ ମୃତ୍ୟୁ ।

0 226

ପୋଲସରା,୨୪/୦୩(ପିପିଟି):ଆଜି ଗୋଟିଏ କଣ୍ଟେନର ମାଡି ଯିବାରୁ ଜଣେ ବରିଷ୍ଠ ବିଜେଡି କର୍ମୀଙ୍କ ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ ଆଜି ପୋଲସରା ବ୍ଳକ ର ମାଳ ତେନ୍ତୁଳିଆ ପଞ୍ଚାୟତ ଅନ୍ତର୍ଗତ ଖଇରଚଟା ଗ୍ରାମର ବରିଷ୍ଠ ବିଜେଡି କର୍ମୀ ସତ୍ୟବାଦୀ ଗୌଡ (୫୫ ବର୍ଷ) ଆଜି ଅପରାହ୍ନ ପ୍ରାୟ ଏକ ଘଣ୍ଟା ସମୟରେ ସ୍ଥାନୀୟ ଷ୍ଟେଟ ବ୍ୟାଙ୍କ ଶାଖାକୁ କୌଣସି କାମରେ ଯାଇଥିଲେ। ବ୍ୟାଙ୍କ କାମ ସାରି ସତ୍ୟବାଦୀ ରାସ୍ତା ପାର୍ଶ୍ବରେ ଥିବା ନିଜର ମୋଟର ସାଇକେଲ ବାହାର କରି ଯିବା ପାଇଁ ପ୍ରସ୍ତୁତ ହେଉଥିବା ବେଳେ ବୁଗୁଡ଼ା ପଟୁ ଆସୁଥିବା ଏନ‌୍ଏଲ୍୦୧ଏଇ ୮୪୭୮ ନମ୍ବର କଣ୍ଟେନର ତାଙ୍କୁ ଧକ୍କା ଦେଇଥିଲା। ଫଳରେ ସତ୍ୟବାଦୀ ପଡ଼ି ଯାଇଥିଲେ। ଏହା ପରେ କଣ୍ଟେନର ଟି ତାଙ୍କ ଅଣ୍ଟା ଉପରେ ମାଡ଼ି ଯାଇଥିଲା। ଫଳରେ ସ୍ଥାନୀୟ ଲୋକମାନେ ଗୁରୁତର ସତ୍ୟବାଦୀଙ୍କୁ ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ଆଣିଥିଲେ। ତେବେ ସେତେବେଳକୁ ତାଙ୍କର ମୃତ୍ୟୁ ହୋଇ ଯାଇଥିଲା । ଅପରପକ୍ଷରେ କଣ୍ଟେନର ଚାଳକ ଦୁର୍ଘଟଣା ଘଟାଇ ଘଟଣା ସ୍ଥଳରୁ ଖସିଯିବା ପାଇଁ ଉଦ୍ୟମ କରିବା ସମୟରେ ହାଇସ୍କୁଲ ଛକ ଠାରେ ଲୋକମାନେ ତାକୁ କାବୁ କରି ସ୍ଥାନୀୟ ପୋଲିସକୁ ଦେଇଥିଲେ। ଏହାପରେ ପୋଲିସ କଣ୍ଟେନରକୁ ଜବତ କରିବା ସହ ଚାଳକ ବିଶ୍ବଜିତ ପାଲ୍ କୁ ଗିରଫ କରିଛି। ଏଥି ସହିତ ସତ୍ୟବାଦୀଙ୍କ ଶବକୁ ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ମେଡିକାଲ କଲେଜ ହସ୍ପିଟାଲକୁ ପଠାଇ ଘଟଣାର ତଦନ୍ତ ଚଳାଇଛି। ସତ୍ୟବାଦୀଙ୍କ ପୁଅ ରାମକୃଷ୍ଣ ମଧ୍ୟ ଏସମ୍ପର୍କରେ ଥାନା ରେ ଏତଲା ଦେଇଥିବା ଜଣାପଡ଼ିଛି । କଣ୍ଟେନର ଟି ଶାନ୍ତି ଟ୍ରାନ୍ସପୋର୍ଟ କମ୍ପାନୀର ଏବଂ ନାଗାଲାଣ୍ଡର ରାଜଧାନୀ କୋହିମା ପଞ୍ଜିକୃତ କାର୍ଯ୍ୟାଳୟରେ ପଞ୍ଜିକରଣ ହୋଇଥିବା ଜଣାପଡିଛି । ପୋଲସରା ସହର ମଧ୍ୟରେ ଏହି ଦୁର୍ଘଟଣା ଘଟି ଜଣେ ମହିଳାଙ୍କ ସମେତ ଚାରି ଜଣଙ୍କ ମୃତ୍ୟୁ ଘଟିଲାଣି। ଏହି ଦୁର୍ଘଟଣା ଗୁଡ଼ିକ ପ୍ରାୟତଃ ବ୍ୟାଙ୍କ ସମ୍ମୁଖରେ ହିଁ ଘଟିଛି । ଆଜିର ଦୁର୍ଘଟଣା ଷ୍ଟେଟ ବ୍ୟାଙ୍କ ସମ୍ମୁଖରେ ଘଟିଥିବା ବେଳେ ଫେବୃଆରୀ ମାସ ୨୩ ତାରିଖ ଦିନ ସ୍ଥାନୀୟ ୟୁନିୟନ ବ୍ୟାଙ୍କ ସମ୍ମୁଖରେ ଘଟିଥିବା ଅନ୍ୟ ଏକ ଦୁର୍ଘଟଣାରେ ସ୍ଥାନୀୟ ଦେଉଳପେଡି ସାହି ସୁଦୀର୍ଘ ପ୍ରଧାନ ଙ୍କ ମୃତ୍ୟୁ ଘଟିଥିଲା। ଏହା ପୂର୍ବରୁ ଉତ୍କଳ ଗ୍ରାମୀଣ ବ୍ୟାଙ୍କ୍ ସମ୍ମୁଖରେ ଘଟିଥିବା ଦୁର୍ଘଟଣାରେ ପୋଲସରା ବ୍ଳକ ଅନ୍ତର୍ଗତ ବଘାଡି ଗ୍ରାମର ସୁଶାନ୍ତି ମୃତ୍ୟୁ ବରଣ କରିଥିଲେ। ସେହିପରି ଗୋପବନ୍ଧୁ ହାଇସ୍କୁଲ ଛକ ଠାରେ ଗୋଟିଏ ଟ୍ରାକ୍ଟର ମାଡ଼ିଯିବାରୁ ଚିରିକିପଡା ଶାସନ ଗ୍ରାମର ଜଣେ ବ୍ୟକ୍ତି ମଧ୍ୟ ମୃତ୍ୟୁ ମୁଖରେ ପଡ଼ିଥିଲେ । ଫଳରେ ପୋଲସରା ସହରବାସୀ ଉଦବେଗ ପ୍ରକାଶ କରିବା ସହିତ ପ୍ରତିକାର ବ୍ୟବସ୍ଥା କରିବା ପାଇଁ ଦାବି କରିଛନ୍ତି । ଅନ୍ୟଥା ଭବିଷ୍ୟତରେ ଆହୁରି ଅନେକ ମୂଲ୍ୟବାନ ଜୀବନ ଚାଲିଯିବ ବୋଲି କହିଛନ୍ତି।
(ରିପୋର୍ଟ- ସନ୍ତୋଷ କୁମାର ପଣ୍ଡା। )

Leave A Reply

Your email address will not be published.