ସାନଖେମୁଣ୍ଡି,୦୫/୧୨(ପିପିଟି): ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅନ୍ତର୍ଗତ କଙ୍କୋରଡା ଗ୍ରାମ ସ୍ଥିତ ଅଧିଷ୍ଠାତ୍ରୀ ଦେବୀ ମାଁ ନାରାୟଣୀ ମନ୍ଦିର ପରିସରରୁ ଶୁକ୍ରବାର ବିଳମ୍ବିତ ରାତିରେ ଆଲମାରୀ ଭାଙ୍ଗି କିଛି ଦୁବୃର୍ତ୍ତ ମାଁ ଙ୍କ ସୁନା ଓ ରୂପା ଅଳଙ୍କାର ଲୁଟି ନେଇଥିବା ଜଣାପଡିଛି । ସୁଚନାନୁସାରେ ଶୁକ୍ରବାର ସନ୍ଧ୍ୟାରେ ପୁଜକ ଜଣକ ମନ୍ଦିର ପୁଜାର୍ଚ୍ଚନା କାର୍ଯ୍ୟ ସମ୍ପନ୍ନ କରି ମୁଖ୍ୟ ଫାଟକରେ ତାଲା ପକାଇ ଘରକୁ ଚାଲି ଯାଇଥିଲେ । ତେବେ ଗତକାଲି ଲଘୁଚାପଜନିତ ବର୍ଷା ଓ ପାଗ କୋହଲା ଯୋଗୁଁ ରାସ୍ତାଘାଟ ଶୁନଶାନ୍ ରହିଥିଲା । ଯାହାର ସୁଯୋଗ ନେଇ ଦୁବୃର୍ତ୍ତ ମାନେ ମନ୍ଦିରର ମୁଖ୍ୟ ଫାଟକ ତାଲା ଭାଙ୍ଗି ମନ୍ଦିର ଭିତରକୁ ପ୍ରବେଶ କରିଥିବା ବେଳେ ପରିସରରେ ଥିବା ଆଲମାରୀ ଲକର ଭାଙ୍ଗି ମାଁଙ୍କ ବିଗ୍ରହରୁ ପ୍ରାୟ ୪ ଭରି ଓଜନର ସୁନା ରୁପା ଅଳଙ୍କାର ନେଇଯାଇଥିବା ସୁଚନା ମିଳିପାରିଛି । ଏପରିକି ଚୋରମାନେ ମନ୍ଦିର ଦାନ ହୁଣ୍ଡି ଭାଙ୍ଗିବାକୁ ଚେଷ୍ଟା କରିଥିବା ବେଳେ ବିଫଳ ହୋଇଛନ୍ତି । ଶନିବାର ଭୋର ସମୟରେ ପୁଜକ ଜଣକ ମାଁଙ୍କ ପୁଜାର୍ଚ୍ଚନା କରିବା ପାଇଁ ଆସିଥିବା ବେଳେ ମନ୍ଦିର କବାଟ ଖୋଲା ରହିବା ସହ ତାଲା ଭାଙ୍ଗି ତଳେ ପଡ଼ିଥିଲା । ପରେ ଭିତରେ ରହିଥିବା ଆଲମାରୀ ମଧ୍ୟ ଭାଙ୍ଗିଥିବା ସହ ମାଁଙ୍କ ଅଳଙ୍କାର ନଥିବା ଜାଣି ପରିଚାଳନା କମିଟିକୁ ପୁଜାରୀ ଅବଗତ କରାଇଥିଲେ । ଘଟଣାପରେ କମିଟି ସଦସ୍ୟ ପହଞ୍ଚି ଘଟଣା ସମ୍ପର୍କରେ ପାଟପୁର ପୋଲିସକୁ ଖବର ଦେଇଥିଲେ । ଖବରପାଇ ପାଟପୁର ପୁଲିସ ପହଞ୍ଚି ଅନୁସନ୍ଧାନ କରିବା ପରେ ମାଁଙ୍କ ନାକର ସୁନା ଗୁଣା , ତିନିଗୋଟ ମଥାଗୁଣା ସୁନା ଶିରି , ଆଖି ନେଇ ଯାଇଥିବା ଜଣାପଡିଥିଲା । ତେବେ ପାଟପୁର ପୁଲିସ ଅପରାଧୀଙ୍କୁ ଦମନ କରିବା ପାଇଁ ପେଟ୍ରୋଲି ବ୍ୟବସ୍ଥା କଡାକଡି କରି ଆସୁଥିଲେ ମଧ୍ୟ କିଭଳି ଏଭଳି ଘଟଣା ଘଟିପାରିଲା ତାହା ସମସ୍ତଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏନେଇ ଗ୍ରାମବାସୀ ଘଟଣାର ତଦନ୍ତ କରି ଲୁଟେରାଙ୍କୁ ଗିରଫ କରିବା ସହ ସେମାନଙ୍କ ବିରୋଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି କହିଛନ୍ତି । ପାଟପୁର ପୋଲିସ ତରଫରୁ ଚୋର ମାନଙ୍କୁ ଧରିବାପାଇଁ ଛାନବିନ୍ ଆରମ୍ଭ କରିଛନ୍ତି ।
(ରିପୋର୍ଟ- ଆରତ କୁମାର ହୋତା। )