ଯାଜପୁର,୦୮/୦୬(ପିପିଟି): ଜାତୀୟ ଖାଦ୍ୟ ସୁରକ୍ଷା ଅଧିନିୟମ ୨୦୧୩ ଏବଂ ଓଡ଼ିଶା ରାଜ୍ୟ ଖାଦ୍ୟ ସୁରକ୍ଷା ନିୟମ ୨୦୨୦ ଅନୁଯାୟୀ ଖାଦ୍ୟ ସୁରକ୍ଷା ଜଡିତ ବିଭିନ୍ନ ଯୋଜନାର କାର୍ଯ୍ୟକାରିତା ଉପରେ ନଜର ରଖିବା ପାଇଁ ଓଡ଼ିଶା ରାଜ୍ୟ ଖାଦ୍ୟ ଆୟୋଗର ନିରବଚ୍ଛିନ୍ନ ଉଦ୍ୟମ ଜାରି ରହିଛି । ନିରନ୍ତର ଖାଦ୍ୟ ଏବଂ ପୁଷ୍ଟିକର ନିରାପତା ହାସଲ କରିବା ପାଇଁ ଓଡ଼ିଶା ରାଜ୍ୟ ଖାଦ୍ୟ ଆୟୋଗର ଏହି ମିଶନରେ ରାଜ୍ୟ ସରକାର, ସ୍ଥାନୀୟ କର୍ତ୍ତୁପକ୍ଷ, ହିତାଧିକାରୀମାନଙ୍କର ମହତ୍ୱପୂର୍ଣ୍ଣ ଭୂମିକା ରହିଛି । ବୁଧବାର ପୂର୍ବାହ୍ନରେ ଓଡ଼ିଶା ରାଜ୍ୟ ଖାଦ୍ୟ ଆୟୋଗର ଅଧ୍ୟକ୍ଷ ପ୍ରମୋଦ ମେର୍କାପ, ଖାଦ୍ୟ ଆୟୋଗର ସଦସ୍ୟ ଦିଗ୍ବିଜୟ ନାଥ ପାଢ଼ୀ, ପ୍ରଶାସନିକ ଅଧିକାରୀ ସମରେନ୍ଦ୍ର କୁମାର ଷଢ଼ଙ୍ଗୀ ଏବଂ ପରାମର୍ଶ ଦାତା ତମାଲ ରେଜା ଯାଜପୁର ଜିଲ୍ଲା ଗସ୍ତକରି ଖାଦ୍ୟ ସୁରକ୍ଷା ଅନ୍ତର୍ଗତ ବିଭିନ୍ନ ଯୋଜନାର ସମୀକ୍ଷା କରିଥିଲେ । ଏହି ଉପଲକ୍ଷେ ଯାଜପୁର ଜିଲ୍ଲାପାଳଙ୍କ ସମ୍ମିଳନୀ ଗୃହରେ ଆୟୋଜିତ ଏକ ସମୀକ୍ଷା ବୈଠକରେ ଜିଲ୍ଳାପାଳ ଚକ୍ରବର୍ତ୍ତୀ ସିଂହ ରାଠୋର, ଖାଦ୍ୟ ଆୟୋଗର ଅଧ୍ୟକ୍ଷ ଶ୍ରୀ ମେର୍କାପ ଏବଂ ସମସ୍ତ ପଦାଧିକାରୀଙ୍କୁ ସ୍ୱାଗତ କରିବା ସହ ପାୱାରପଏଣ୍ଟ ମାଧ୍ୟମରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ୍ ୨୦୧୩ ସହିତ ଜଡିତ ଓ ତଦ୍ ସମ୍ବନ୍ଧୀୟ ଆବଶ୍ୟକୀୟ ସୂଚନା ପ୍ରଦାନ କରିଥିଲେ । ସ୍ୱାସ୍ଥ୍ୟ ଏବଂ ପୋଷଣ, ଉଦ୍ୟାନ ବିଭାଗ ଦ୍ୱାରା ଜୀବିକା ଓ ଦକ୍ଷତା ବିକାଶ, ମତ୍ସ୍ୟ ଓ ପଶୁପାଳନ,ବିଦ୍ୟାଳୟରେ ପୁଷ୍ଟିକର କାର୍ଯ୍ୟକ୍ରମ, ନଗଡା ବିକାଶ ଓ ସଙ୍କଟ ନିରାକରଣ, ବିକାଶ ଯୋଜନା ଏବଂ ହସ୍ତକ୍ଷେପ, ବୃକ୍ଷରୋପଣ ଓ କୃଷି ଉଦ୍ୟାନ, ଅପପୃଷ୍ଟି କ୍ଷେତ୍ରରେ ଅଙ୍ଗନୱାଡିର ଭୂମିକା, ପାନୀୟ ଜଳ, ଗମନାଗମନ, ସାଧାରଣ ଜନ ବଣ୍ଟନ, ଜିଲ୍ଲାରେ ରେସନ୍ କାର୍ଡ, ମଧ୍ୟାହ୍ନଭୋଜନ, ପୋଷଣ ଅଭିଯାନ ଆଦିର ପରିସଂଖ୍ୟାନିକ ତଥ୍ୟ, ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ଖାଦ୍ୟସୁରକ୍ଷା ଅଧିନ ବିଭିନ୍ନ ଯୋଜନାର ଅଗ୍ରଗତି ତଥା ସଫଳ ରୂପାୟନ ନିମନ୍ତେ ଗ୍ରହଣ କରାଯାଇଥିବା ତ୍ୱରିତ ପଦକ୍ଷେପମାନ ଆୟୋଗ ନିକଟରେ ଶ୍ରୀ ରାଠୋର ଉପସ୍ଥାପନ କରିଥିଲେ । ଖାଦ୍ୟ ଆୟୋଗର ମାର୍ଗଦର୍ଶିକା ଅନୁସାରେ ଜିଲ୍ଳା ପ୍ରଶାସନ ସଠିକ୍ ଢ଼ଙ୍ଗରେ ସବୁକାର୍ଯ୍ୟ ସଂପାଦନ କରୁଛି ବୋଲି ଅଧ୍ୟକ୍ଷ ଶ୍ରୀ ମେର୍କାପ ସନ୍ତୋଷ ପ୍ରକାଶ କରିବା ସହ ଜିଲ୍ଲାପାଳ ଶ୍ରୀ ରାଠୋରଙ୍କ ନେତୃତ୍ୱ କାର୍ଯ୍ୟକଳାପକୁ ଭୂୟଶୀ ପ୍ରଶଂସା କରିଥିଲେ । ଖାଦ୍ୟ ସୁରକ୍ଷା ଯୋଜନା ଦିଗରେ ଜିଲ୍ଲା ପ୍ରଶାସନର ଆଭିମୁଖ୍ୟକୁ ପ୍ରଶଂସା କରିବା ସହିତ ଶିଶୁ ଓ ଗର୍ଭବତୀ ମହିଳାମାନଙ୍କ ସୁରକ୍ଷା, ପୋଷଣ ଅଭିଯାନ, ବିଦ୍ୟାଳୟରେ ସବୁଜ ବଗି ସୃଷ୍ଟି ଆଦି କାର୍ଯ୍ୟକୁ ତ୍ୱରାନ୍ନିତ ପ୍ରକ୍ରିୟାରେ ଆଗେଇ ନେବାକୁ ବିଭଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ । ଆଜିର ଏହି ସମୀକ୍ଷା ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଅଶୋକ କୁମାର ବେହୁରିଆ, ଜିଲ୍ଲା ଯୋଗାଣ ଅଧିକାରୀ ସଲାଉଦ୍ଦିନ୍ ଖାଁ, ଜିଲ୍ଳା ଶିକ୍ଷାଧିକାରୀ ରଞ୍ଜନ କୁମାର ଗିରି, ଜିଲ୍ଳା ସାମାଜିକ ସୁରକ୍ଷା ଅଧିକାରୀ ରବିନ୍ଦ୍ର କୁମାର ବେହେରା, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସୁବାଷ ଚନ୍ଦ୍ର ସାମଲ, ଜିଲ୍ଲା ମଙ୍ଗଳ ଅଧିକାରୀ ବୁଦ୍ଧଦେବ ପଣ୍ଡା, ଭାରପ୍ରାପ୍ତ ସୂଚନା ଓ ଲୋକସଂପର୍କ ଅଧିକାରୀ ସରୋଜ କୁମାର ଶତପଥୀ,ସହକାରୀ କୃଷିଅଧିକାରୀ,ମତ୍ସ୍ୟପାଳନ ଅଧିକାରୀ, ଜିଲ୍ଲା ଚିକିତ୍ସାଧିକାରୀ ଓ ଯୋଗାଣ ବିଭାଗର ସହଅଧିକାରୀ ପ୍ରମୁଖ ଯୋଗଦେଇ ଥିଲେ ।