ଭଞ୍ଜନଗର,୨୪/୧୧(ପିପିଟି): କେନ୍ଦ୍ର ସରକାରଙ୍କ ଅତ୍ୟାବଶ୍ୟକ ସାମଗ୍ରୀ ଓ ଘରୋଇ ରନ୍ଧନ ଗ୍ୟାସର ଅହେତୁକ ମୂଲ୍ୟ ବୃଦ୍ଧି ପ୍ରତିବାଦରେ ବିଜୁ ଜନତା ଦଳ ତରଫରୁ ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ସେହିପରି ଭଞ୍ଜନଗର ବ୍ଲକ ଓ ଏନ.ଏ.ସି ତରଫରୁ ବୁଧବାର ଏକ ବିଶାଳ ରାଲିର ଆୟୋଜନ କରାଯାଇଥିଲା । ଏଥିରେ ଶତାଧିକ ବିଜୁ ଜନତା ଦଳର ପୁରୁଷ ଓ ମହିଳା କର୍ମୀ ସାମିଲ ହୋଇଥିଲେ । ଭଞ୍ଜନଗର ନିୟନ୍ତ୍ରିତ ବଜାର କମିଟି ଠାରୁ ଏକ ଶୋଭାଯାତ୍ରା ବାହାରି ବସ ଷ୍ଟାଣ୍ଡ ଦେଇ ବିଜ୍ଞାପିତ ଅଞ୍ଚଳ ପରିଷଦ କାଯ୍ୟଳୟ ଠାରେ ପହଞ୍ଚିଥିଲା । ସେଠାରେ ଏକ ସାଧାରଣ ସଭାର ଆୟୋଜନ କରାଯାଇଥିଲା। ଏଥିରେ କେନ୍ଦ୍ର ସରକାରଙ୍କ ମନମୁଖୀ କାର୍ଯ୍ୟକଳାପ ଓ ଦରଦାମ ବୃଦ୍ଧିକୁ ନେଇ ବିଜେଡି ନେତୃ ବୃନ୍ଦ ନିଜର ମତାମତ ରଖିଥିଲେ ।ଏହାପରେ ଏନ.ଏ.ସି ନିର୍ବାହୀ ଅଧିକାରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା । ଏହାପରେ କର୍ମୀ ମାନେ ପୁଣି ଶୋଭାଯାତ୍ରା ରେ ବାହାରି କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ବିଭିନ୍ନ ସ୍ଲୋଗାନ ଦେଇ ଖାଲା ସାହି, ଷ୍ଟେଟ ବ୍ୟାଙ୍କ ଛକ, ଖ୍ରୀଷ୍ଟିଆନ ସାହି ଦେଇ ପଞ୍ଚାୟତ ସମିତି କାର୍ଯ୍ୟାଳୟ ଠାରେ ପହଞ୍ଚିଥିଲେ । ସେଠାରେ ପୁଣି ଏକ ସଭା କରିସାରିବା ପରେ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଥିଲେ । ଏଥିରେ ବ୍ଲକ ଉପାଧ୍ୟକ୍ଷ ଜିତେନ୍ଦ୍ର କେଶରୀ ଆରୁଖ, ବ୍ଲକ ସଭାପତି ରାଜେନ୍ଦ୍ର ପ୍ରଧାନ, ଏନ.ଏ.ସି ସଭାପତି ରାଜେନ୍ଦ୍ର ବିଷୋୟୀ, ପ୍ରାକ୍ତନ ନଗର ପାଳ ସୁଧୀର ରଞ୍ଜନ ବେହେରା, ଆଇନଜୀବି ଏମ.ତାଜ ଆଦେନି, ଶୂଳପାଣି ଶତପଥୀ, ମହିଳା ସଭାନେତ୍ରୀ ଶୈଳବାଳା ବିଷୋୟୀ, ସୁଜ୍ଞାନୀ କୁମାରୀ ଗୌଡ଼ ଓ ଅନ୍ୟମାନେ ସାମିଲ ଥିଲେ ।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )