ଏରସମା,୦୬/୦୬(ପିପିଟି);ସଂଯୁକ୍ତ କୃଷକ ମୋର୍ଚ୍ଚା ଓ ଅଖିଳ ଭାରତ କୃଷକ ସଂଘର୍ଷ ସମନ୍ୱୟ ସମିତିର ଆହ୍ୱାନ କ୍ରମେ ଅଖିଳ ଭାରତ କୃଷକ ସଭା ଏରସମା ବ୍ଲକ କମିଟି ପକ୍ଷରୁ ଏରସମା ସିପିଆଇ କାର୍ଯ୍ୟାଳୟ ରମାକାନ୍ତ ଭବନ ସମ୍ମୁଖରେ କୋଭିଡ କଟକଣା ମଧ୍ୟରେ ଦିଲ୍ଲୀ କୃଷକ ଆନ୍ଦୋଳନ ସମର୍ଥନରେ ଓ କୃଷି ଓ କୃଷକ ବିରୋଧୀ ନୂତନ କୃଷି ଆଇନ ପ୍ରତ୍ୟାହାର ଦାବିରେ ଜୁନ ୫କୁ ଚେତାବନୀ ଦିବସ ଓ ଜୁନ ୬ କୁ ସଂକଳ୍ପ ଦିବସ ଭାବରେ ପାଳନ କରାଯାଇଛି l ଉଲ୍ଲେଖଯୋଗ୍ୟ ୨୦୨୦ ଜୁନ ୫ ତାରିଖ ଦିନ କୃଷକ ଓ କୃଷି ବିରୋଧୀ ଆଧ୍ୟାଦେଶରେ ରାଷ୍ଟ୍ରପତି ସ୍ଵାକ୍ଷର କରିବାପରେ ତାହା ଆଇନରେ ପରିଣତ ହୋଇଥିଲା ଏବଂ ଏହି ଦିନ ଠାରୁ ସମଗ୍ର ଦେଶରେ କୃଷକମାନେ କଳା କୃଷି ଆଇନ ପ୍ରତ୍ୟାହାର ଦାବିରେ ଆନ୍ଦୋଳନ କରିଆସୁଛନ୍ତି, ଯାହା ଅଦ୍ୟାବଧି ବଳବତର ରହିଛି । ତେଣୁ ସଂଯୁକ୍ତ କୃଷକ ମୋର୍ଚ୍ଚାର ଆହ୍ୱାନକ୍ରମେ ଜୁନ ୫କୁ ଚେତାବନୀ ଦିବସ ଭାବରେ ପାଳନ କରାଯାଇଛି । ଅନୁରୂପ ଭାବେ ୨୦୧୮ ଜୁନ ୬ ତାରିଖ ଦିନ କୃଷକମାନଙ୍କ ସର୍ବନିମ୍ନ ସହାୟକ ମୂଲ୍ୟ ଦାବି କରି ହୋଇଥିବା ଆନ୍ଦୋଳନ ଉପରେ ମଧ୍ୟପ୍ରଦେଶର ବିଜେପି ସରକାରର ଗୁଳିରେ ମୃତ୍ୟୁବରଣ କରିଥିବା ୬ଜଣ କୃଷକଙ୍କ ସ୍ମୃତିରେ ଏହି ଦିନକୁ ସଂକଳ୍ପ ଦିବସ ଭାବରେ ଦେଶବ୍ୟାପୀ ପାଳନ କରିବା ପାଇଁ ସଂଯୁକ୍ତ କୃଷକ ମୋର୍ଚ୍ଚା ପକ୍ଷରୁ ଆହ୍ୱାନ ଦିଆଯାଇଥିଲା । ଏହି ଅବସରରେ କୃଷକ ସଭାର ରାଜ୍ୟ ସଭାପତି ଶଶୀଭୂଷଣ ସ୍ବାଇଁ ଓ ସିପିଆଇ ଜିଲ୍ଲା ସମ୍ପାଦକ ଅଭିଜିତ ସାହୁଙ୍କ ନେତୃତ୍ୱରେ କୋଭିଡ କଟକଣା ଓ ସତର୍କତା ଅବଲମ୍ବନ ପୂର୍ବକ ଏରସମା ପାର୍ଟି କାର୍ଯ୍ୟାଳୟ ସମ୍ମୁଖରେ ଶାରୀରିକ ଦୂରତା ଅବଲମ୍ବନ ପୂର୍ବକ କୃଷକ ସାଥିମାନେ ବିଭିନ୍ନ ସ୍ଲୋଗାନ ଦେବା ସହିତ କୃଷି ଆଇନ ପ୍ରତ୍ୟାହାର ପର୍ଯ୍ୟନ୍ତ ଆନ୍ଦୋଳନ ଜାରିରଖିବାକୁ ସଂକଳ୍ପ ନେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ କୃଷକ ନେତା ଦେବାଶିଷ ପରିଜା, ସିପିଆଇ ଏରସମା ଜୋନ ସହ ସମ୍ପାଦକ ସର୍ବେଶ୍ୱର ବେଉରା, ସମରେଶ ମୁଦୁଲି, ନୃସିଂହ ସ୍ୱାଇଁ, ବାନାମ୍ବର ଖଟୁଆ, ନଟବର ବାରିକ, ପ୍ରଭଞ୍ଜନ ରାଉତ, ରାଜକିଶୋର ସ୍ୱାଇଁ, ଅକ୍ଷୟ ମୁଦୁଲି ପ୍ରମୁଖ ଏହି ପ୍ରତୀକାତ୍ମକ ଆନ୍ଦୋଳନର ନେତୃତ୍ୱ ନେଇଥିଲେ ।