ଏରସମାକୁ ସମ୍ପୂର୍ଣ୍ଣ ଧୋଇ ଅଞ୍ଚଳ ଘୋଷଣା ଦାବିରେ ତହସିଲ ସମ୍ମୁଖରେ କୃଷକ ସଭାର ବିକ୍ଷୋଭ ।

0 204

ଏରସମା,୧୧/୧୦(ପିପିଟି): ସୋମବାର ଦିନ ଅଖିଳ ଭାରତ କୃଷକ ସଭା ଏରସମା ବ୍ଲକ କମିଟି ପକ୍ଷରୁ ଏରସମାକୁ ସମ୍ପୂର୍ଣ୍ଣ ଧୋଇ ଅଞ୍ଚଳ ଘୋଷଣା, କ୍ଷୟକ୍ଷତିର ତୁରନ୍ତ ଆକଳନ ପୂର୍ବକ ଚାଷୀକୁ ଏକର ପିଛା ୨୦୦୦୦ ଟଙ୍କା କ୍ଷତିପୂରଣ ପ୍ରଦାନ, କୃଷି ଋଣ ସମେତ ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କୁ ପ୍ରଦାନ କରାଯାଇଥିବା ସମସ୍ତ ପ୍ରକାର ଋଣ ଛାଡ଼, ଚାଷୀକୁ ନୂତନ କୃଷିଋଣ ପ୍ରଦାନ, ଚାଷୀକୁ ୧୦୦% ଇନ୍ସୁରାନ୍ସ ପ୍ରଦାନ,ଜଟାଧାର ମୁହାଣ ସମେତ ହଂଶୁଆ ଓ ବୃଦ୍ଧା ନଦୀର ଖନନ ଓ ଚିଙ୍ଗୁଡ଼ି ଚାଷର କ୍ଷୟ କ୍ଷତିର ଆକଳନ ପୂର୍ବକ କ୍ଷତିପୂରଣ ପ୍ରଦାନ ଦାବିରେ ଏରସମା ତହସିଲ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇ ଏରସମା ତହସିଲଦାରଙ୍କ ମାଧ୍ୟମରେ ମାନ୍ୟବର ଜିଲ୍ଲାପାଳଙ୍କ ଉଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଆଜି ଦିବା ୧୧ଘଟିକା ସମୟରେ କୃଷକ ସଭା ବ୍ଲକ ସମ୍ପାଦକ ସାଥି ରାମଚନ୍ଦ୍ର ମୁଦୁଲି ଓ ସଭାପତି ସାଥି ବଇଁଶୀଧର ବେହେରାଙ୍କ ନେତୃତ୍ୱରେ ଶତାଧିକ ଚାଷୀ ଏକ ଶୋଭାଯାତ୍ରା ରେ ବିଭିନ୍ନ ସ୍ଲୋଗାନ ଦେଇ ଏରସମା ବଜାର ପରିକ୍ରମା କରିବା ପରେ ଏରସମା ତହସିଲ ସମ୍ମୁଖରେ ପ୍ରତିବାଦ ବିକ୍ଷୋଭ ଅନୁଷ୍ଠିତ ହୋଇଥିଲା । ଚାଷୀ ନେତା ତଥା କୃଷକ ସଭା ଜିଲ୍ଲା ସମ୍ପାଦକ ସାଥି ପିତାମ୍ବର ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ପ୍ରତିବାଦ ସଭାରେ ସିପିଆଇର ଜିଲ୍ଲା ସମ୍ପାଦକ ଅଭିଜିତ ସାହୁ, ବରିଷ୍ଠ ସିପିଆଇ ନେତା ତଥା କୃଷକ ସଭା ରାଜ୍ୟ ସଭାପତି ଶଶିଭୂଷଣ ସ୍ୱାଇଁ ଓ ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ରାମଚନ୍ଦ୍ର ମୁଦୁଲି ପ୍ରମୁଖ ବକ୍ତବ୍ୟ ରଖି ଜଗତସିଂହପୁର ଜିଲ୍ଲା ପ୍ରଶାସନର ବିଫଳତା ଓ ଖାମଖିଆଲି ନୀତିର ତୀବ୍ର ସମାଲୋଚନା କରିଥିଲେ । ଗତ ସେପ୍ଟେମ୍ବର ୧୧ତାରିଖ ଠାରୁ ଲଘୁଚାପ ଜନିତ ଲଗାଣ ବର୍ଷା ଓ ସରକାରୀ ଅଦୁରଦର୍ଶୀତା ଓ ବିଫଳତା ପାଇଁ ଏରସମା ବ୍ଲକର ହଜାର ହଜାର ଲୋକ ଜଳବନ୍ଦୀ ଭାବେ ଜୀବନ ବିତାଇଥିଲେ ମଧ୍ୟ ପ୍ରଶାସନିକ ସାହାର୍ଯ୍ୟ ଏପର୍ଯ୍ୟନ୍ତ ଅପହଞ୍ଚ । କିଛି ପଞ୍ଚାୟତରେ ମୁଣ୍ଡପିଛା ୧୦୦ଗ୍ରାମ ଚୁଡା,୨୦ ରୁ ୪୦ ଗ୍ରାମ ଚିନି ଓ ସମୁଦ୍ରକୁ ଶଙ୍ଖେ ଭଳି ଗୋଖାଦ୍ୟ ଦିଆଯାଇଥିବା ବେଳେ ଘର ଭାଙ୍ଗିଯାଇଥିବା ଲୋକଙ୍କ ପାଖରେ ପାଲ ଖଣ୍ଡେ ବି ପହଁଞ୍ଚି ପାରିଲାନି । ଜଳବୁଡିର ମାସେ ବିତିଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଏରସମା ବ୍ଲକକୁ ଜିଲ୍ଲାପ୍ରଶାସନ ସମ୍ପୂର୍ଣ୍ଣ ଧୋଇ ଅଞ୍ଚଳ ଭାବେ ଘୋଷଣା ନକରିବା ଜିଲ୍ଲାପାଳଙ୍କ ଚାଷୀ ଓ ସାଧାରଣ ମଣିଷ ବିରୋଧୀ ମନୋଭାବ ଓ ଦୁର୍ଭାଗ୍ୟଜନକ ବୋଲି ସିପିଆଇ ଜିଲ୍ଲା ସମ୍ପାଦକ ଅଭିଜିତ ସାହୁ ଅଭିଯୋଗ କରିଥିଲେ । ଅପରପକ୍ଷରେ ହଂସୁଆ ନଦୀ ଖନନ ଓ ପୁନଃରୁଦ୍ଧାର ବା ସଫାକରିବା ନାମରେ ୨୦୨୦-୨୧ ମସିହାରେ ୧୧ଜଣ କଣ୍ଟ୍ରାକ୍ଟର, ସରକାରୀ ଅଫିସର ଓ ମନ୍ତ୍ରୀ ୭୦ ଲକ୍ଷ ଟଙ୍କା ଆତ୍ମସାତ କରିଥିବା ସିପିଆଇ ନେତା ଶ୍ରୀ ସାହୁ ଅଭିଯୋଗ କରିବା ସହିତ ତୁରନ୍ତ ଜଟାଧାର ମୁହାଣ, ହଂସୁଆ ଓ ବୃଦ୍ଧା ନଦୀର ପୁନଃରୁଦ୍ଧାର ଦାବି କରିଛନ୍ତି । ସିପିଆଇର କଣ୍ଟ୍ରୋଲ କମିଶନ ସଭ୍ୟ ଶଶିଭୂଷଣ ସ୍ୱାଇଁ ତୁରନ୍ତପଞ୍ଚାୟତ ସ୍ତରୀୟ କମିଟି ଗଠନ କରି ଚାଷୀମାନଙ୍କ କ୍ଷୟକ୍ଷତିର ଆକଳନ ପୂର୍ବକଏକର ପିଛା ୨୦୦୦୦ ଟଙ୍କା ଓ ଭାଙ୍ଗି ଯାଇଥିବା କଚା ଘରକୁ ପଲିଥିନ ଯୋଗାଇଦେବା ସହିତ ପ୍ରତି ଘର ପିଛା ୨୦୦୦୦ ଟଙ୍କା କ୍ଷତିପୂରଣ ପ୍ରଦାନ କରିବା ଓ କୃଷିଋଣ ସମେତ ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ପ୍ରଦାନ କରାଯାଇଥିବା ସମସ୍ତ ଋଣ ଛାଡ଼ ଓ ଶତ ପ୍ରତିଶତ ଇନ୍ସୁରାନ୍ସ ପ୍ରଦାନ କରିବାକୁ ଦାବି କରିଥିଲେ । ଆସନ୍ତା ୧୦ ଦିନ ମଧ୍ୟରେ ଏରସମା କୁ ଧୋଇ ଅଞ୍ଚଳ ଘୋଷଣା କରାନଗଲେ ଅନିଦ୍ଧିଷ୍ଟ କାଳପାଇଁ ଚାଷୀମାନେ ଏରସମା ବ୍ଲକ ଓ ତହସିଲ କାର୍ଯ୍ୟାଳୟକୁ ଅଚଳ କରିଦେବେ ବୋଲି ଚେତାବନୀ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ସିପିଆଇ ଏରସମା ଜୋନ ସମ୍ପାଦକ ସାଥି ବଇଁଶୀଧର ବେହେରା, ସହ ସମ୍ପାଦକ ସର୍ବେଶ୍ୱର ବେଉରା, ସାଥି ବସନ୍ତ ସାହୁ,ସାଥି ସମରେଶ ମୁଦୁଲି, ରବୀନ୍ଦ୍ର ପାଇଟାଳ, ଉତ୍ତମ ହାତି, ବସନ୍ତ ଦାସ, ସରୋଜ ଦାସ,ଅଜୟ ଗାଉଁଣିଆ,ନଟବର ବାରିକ, କୈଳାଶ ଦାସ, ଦେବଦତ୍ତ ଦାସ,ମାଗୁ ଚରଣ ସ୍ୱାଇଁ,ବିଜୟ ବେହେରା, କାହ୍ନୁ ଚରଣ ସେନାପତି, ଲଷ୍ମୀଧର ମହାପାତ୍ର, କାହ୍ନା ସେନାପତି,ଶ୍ରୀକାନ୍ତ ସ୍ୱାଇଁ, ବାମର ଗୁରୁ, ଅମୁଲ୍ୟ ଦାସ, ସୁରେନ୍ଦ୍ର ସ୍ୱାଇଁ, ଉତ୍ତମ ପାଇଟାଳ ପ୍ରମୁଖ ଆନ୍ଦୋଳନର ନେତୃତ୍ୱ ନେଇଥିଲେ ।

Leave A Reply

Your email address will not be published.