ଭଞ୍ଜନଗର,୨୩/୧୧(ପିପିଟି): ଘରୋଇ ଫାଇନାନ୍ସ କମ୍ପାନୀର ବିଭିନ୍ନ ସ୍କିମରୁ ଅଧିକ ଲାଭ ପାଇବା ଆଶାରେ ପେଟକୁ କାଟି ନିଜ କଷ୍ଟାର୍ଜିତ ଧନ ଅସମୟରେ କାମରେ ଲାଗିବ ଭାବି ବହୁ ସରଳ ଓ ନିରୀହ ଲୋକ ସାହାରା ଇଣ୍ଡିଆ ଶାଖାରେ ସଞ୍ଚୟ ଟଙ୍କା ଜମା କରିଥିଲେ। ହେଲେ ଗତ ୨୦୧୪ମସିହା ଠାରୁ ଜମାକାରୀ ମାନଙ୍କ ସମୟ ଅବଧି ଶେଷ ହୋଇ ତାହା ପରିପକ୍ଵ ହୋଇ ଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଟଙ୍କା ଲୋକଙ୍କୁ ମିଳିନାହିଁ।ଯାହାଫଳରେ ଉଭୟ ଏଜେଣ୍ଟ ଓ ଜମାକାରୀ ମାନେ ଶାଖା କାର୍ଯ୍ୟାଳୟକୁ ବାରମ୍ବାର ଦୌଡ଼ି ଦୌଡ଼ି ନିରାଶ ହେଉଛନ୍ତି। ବହୁ ଲୋକ ଟଙ୍କା ନପାଇ ହଇରାଣ ହରକତ ହୋଇ ଦୁଃଖ କଷ୍ଟରେ ମୃତ୍ୟୁବରଣ କରିସାରିଲେଣି। ଦିନକୁ ଦିନ ଏହାକୁ ନେଇ ସଂସ୍ଥା ବିରୁଦ୍ଧରେ ଜନ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି।ଯାହା ଫଳରେ ଗତ ଦୁଇ ତାରିଖ ଠାରୁ ଆସ୍କା ସ୍ଥିତ ଶାଖା କାର୍ଯ୍ୟାଳୟକୁ ବନ୍ଦ କରି ଦିଆଯାଇଛି। ମଙ୍ଗଳବାର ଆସ୍କା, ପୁରୁଷୋତ୍ତମ ପୁର, କବିସୂର୍ଯ୍ୟ ନଗର, କୋଦଳା ଓ ପୋଲସରା ଅଞ୍ଚଳରୁ ପ୍ରାୟ ୭୦ଜଣ ପୁରୁଷ ଓ ମହିଳା ଆସି ଭଞ୍ଜନଗର ମୁଖ୍ୟ ରାସ୍ତାରେ ଥିବା ସାହାରା ଇଣ୍ଡିଆ ଆଞ୍ଚଳିକ କାର୍ଯ୍ୟାଳୟକୁ ଘେରିଥିଲେ। ଏସମ୍ପର୍କରେ ସେମାନେ ଶାଖା ପରିଚାଳକ ସୀମାଞ୍ଚଳ ଦାଶଙ୍କୁ ପଚାରିବା ସହ ହୋହଲ୍ଲା କରିଥିଲେ। ବର୍ତ୍ତମାନ ଏହି ଘଟଣା କୋର୍ଟରେ ବିଚାରାଧୀନ ଥିବାରୁ ଲୋକଙ୍କୁ ଟଙ୍କା ଦିଆଯାଇ ପାରୁନାହିଁ ତେଣୁ ସେମାନେ କିଛି ଦିନ ଅପେକ୍ଷା କରିବାକୁ ଶ୍ରୀ ଦାଶ କହିଥିଲେ। ଆଗାମୀ ଦିନରେ ନିଜ ଜମା ଟଙ୍କା ଫେରିପାଇବା ପାଇଁ ରାସ୍ତା ରୋକ ସହ ଆନ୍ଦୋଳନ ଜୋରଦାର କରାଯିବ ବୋଲି ଜମାକାରୀ ମାନେ ଚେତାବନୀ ଦେଇଛନ୍ତି।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )