କବିସୂର୍ଯ୍ୟନଗର,୧୬/୦୯(ପିପିଟି):ଏକା ସମୟରେ ଗୋଟିଏ ବନ୍ଧରେ ଦୁଇଟି ପ୍ରକଳ୍ପ କାର୍ଯ୍ଯ, ମନରେଗା କାର୍ଯ୍ଯରେ ଦୁର୍ନୀତି ହୋଇଥିବା ନେଇ ଅଭିଯୋଗ ହୋଇଛି। କବିସୂର୍ଯ୍ୟନଗର ବ୍ଲକ ଅନ୍ତର୍ଗତ ସୁନାପଲ୍ଲୀ ପଞ୍ଚାୟତରେ ଏହି ଦୁର୍ନୀତି ପଦାକୁ ଆସିଛି।ସୁନାପଲ୍ଲୀ ପଞ୍ଚାୟତର ଅଶିଣପୁର ଗାଁରେ ୨୦୨୦-୨୧ ମସିହାରେ ଗୁଡି ବନ୍ଧ ପୁନରୁଦ୍ଧାର ଓ ଉନ୍ନତିକରଣ ନିର୍ମାଣ କାର୍ଯ୍ଯ ବର୍ତ୍ତମାନ ଚାଲୁରହିଛି। ଗୁଡି ବନ୍ଧ ଏଷ୍ଟିମେଟ ଅନୁଯାଇ କାର୍ଯ୍ଯ ହେଉ ନାହିଁ। ବର୍ତ୍ତମାନ ଉକ୍ତ ଗୁଡି ବନ୍ଧରେ ୨୦୨୨-୨୩ ଆର୍ଥିକ ବର୍ଷରେ ଅମୃତ ସରୋବରାହ କାର୍ଯ୍ଯ ଆରମ୍ଭ ହୋଇଛି। ଉକ୍ତ କାର୍ଯ୍ଯର ଅଟକଳ ମୂଲ୍ଯ ୨୦ଲକ୍ଷ ଟଙ୍କା ରହିଛି। ଅମୃତ ସରୋବରାହ ଗାଇଡ ଲାଇନ ଅନୁଯାଇ କାର୍ଯ୍ଯ ହେଉ ନାହିଁ। ଅଶିଣପୁର ଗାଁର ଗୁଡି ବନ୍ଧ ନିର୍ମାଣ ହେଉଥିବା ଅମୃତ ସରୋବରାହ କାର୍ଯ୍ଯ ସୁଚିନ୍ତିତ ଢଙ୍ଗରେ ଆର୍ଥିକ ଅନିୟମିତତା ଘଟଣାର ତଦନ୍ତ ପାଇଁ ସାମାଜିକ କର୍ମୀ ସମରଜିତ୍ ମହାନ୍ତି ଅଭିଯୋଗ ଉଠାଇ ମୁଖ୍ୟମନ୍ତ୍ରୀ,ମୁଖ୍ଯ ଶାସନ ସଚିବ, ପ୍ରମୁଖ ସଚିବ, ପଞ୍ଚାୟତ ରାଜ ଓ ପାନୀୟଜଳ ବିଭାଗ, ଜିଲ୍ଲାପାଳ, ଗଞ୍ଜାମ ଓ ଏସପି ଭିଜିଲାନ୍ସ, ବ୍ରହ୍ମପୁରଙ୍କୁ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗରେ ଶ୍ରୀ ମହାନ୍ତି କହିଛନ୍ତି ଦୁଇଟି କାର୍ଯ୍ଯ ଏଷ୍ଟିମେଟ ଓ ଗାଇଡ ଲାଇନ ଅନୁଯାଇ ହୋଇଛି କି ନାହିଁ ଏବଂ ଗୋଟିଏ ସମୟରେ ଦୁଇଟି କାର୍ଯ୍ଯ କିପରି କରାଗଲା ତାର ତଦନ୍ତ କରିବା ସହିତ ଆର୍ଥିକ ଅନିୟମିତତା ଓ ଦୁର୍ନୀତିରେ ସଂପୃକ୍ତ ବିଡିଓ, ଯନ୍ତ୍ରୀ,ପିଇଓ, ଜିଆରଏସ ଓ ସରପଞ୍ଚଙ୍କୁ ତଦନ୍ତ ପରିସରଭୁକ୍ତ କରିବାକୁ ଦାବି କରିଛନ୍ତି। ଭିଜିଲାନ୍ସ ତଦନ୍ତ ପରେ ସମସ୍ତ ତଥ୍ଯ ପଦାକୁ ଆସିଯିବ।