ମାଲକାନଗିରି,ତା:୦୩/୧୧(ପିପିଟି):ପୂର୍ବତନ ଉପ-ବାଚସ୍ପତି ସ୍ବର୍ଗତ ପ୍ରହ୍ଲାଦ ଦୋରାଙ୍କ ନିଜ ଜନ୍ମ ମାଟି ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ମାଥିଲି ବ୍ଲକର ପାଙ୍ଗାମ ଠାରେ ଦ୍ବାଦଶାହ କାର୍ଯ୍ଯ ଭୂମିଆ ସଂପ୍ରଦାୟର ପରମ୍ପରା ଅନୁଯାୟୀ ପୂଜା,ପ୍ରାର୍ଥନା ଓ ଯାଜ୍ଞ ଅନୁଷ୍ଠିତ ହୋଇଯାଇଛି । ଏହି ଦ୍ବାଦଶାହ ଏବଂ ଶ୍ରଦ୍ଧାଞ୍ଜଳୀ ଉତ୍ସବରେ ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ,ପୂର୍ବତନ ସାଂସଦ ବଳଭଦ୍ର ମାଝୀ,ପୂର୍ବତନ ସାଂସଦ ପର୍ଶୁରାମ ମାଝୀ, ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣ ଚନ୍ଦ୍ର ବାକା, ମାଲକାନଗିରି ବିଧାୟକ ଆଦିତ୍ଯ ମାଢି, ବିଜେଡି ଉପଦେଷ୍ଟା କେଶବ ଚନ୍ଦ୍ର ନାୟକ, ପୂର୍ବତନ ଜିଲ୍ଲା ପରିଷଦ ସଭାପତି ଗଙ୍ଗାଧର ବୁରୁଦା,ପୂର୍ବତନ ଅଧ୍ଯକ୍ଷ ରାଜବନ୍ତ କୌର,ହଳଧର ପୂଜାରୀ,ଏମଡି ଆକବର,ଆଡଭୋକେଟ୍ ଭବନୀ ମିଶ୍ର,ପ୍ରଜାପତି ବ୍ରହ୍ମ କୁମାରୀ ସୁନାବେଢା ଶାଖା ସାବିତ୍ରୀ ଦିଦି, ଆଡଭୋକେଟ ଗୁରୁ ମହାନ୍ତି,ସମାଜସେବୀ ଦୁର୍ଗା ତ୍ରିପାଠୀ ପ୍ରମୁଖ ସ୍ମୃତି ଚାରଣ କରିଥିଲେ । ସ୍ବର୍ଗତ ପ୍ରହ୍ଲାଦ ଦୋରା ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ମାଥିଲି ବ୍ଲକର ପାଙ୍ଗାମ ଗ୍ରାମରେ ୧୮ ସେପ୍ଟେମ୍ବର ୧୯୪୬ ମସିହାରେ ଏକ ଆଦିବାସୀ ଭୂମିଆ ପରିବାରରେ ଜନ୍ମ ଗ୍ରହଣ କରିଥିଲେ । ସେ ବିଏ ଏଲଏଲବି ପାଶ କଲା ପରେ ଓକିଲାତି ପେଶାକୁ ଆପଣେଇ ଥିଲେ । ୧୯୭୧ ମସିହାରେ ଦୋରାବାବୁ ଉତ୍କଳ କଂଗ୍ରେସରେ ଯୋଗ ଦେଇ ମାଲକାନଗିରି ନିର୍ବାଚନ ମଣ୍ଡଳୀରୁ ବିଧାୟକ ପ୍ରାର୍ଥି ଭାବେ ନିର୍ବାଚନ ଲଢିଥିଲେ । ୧୯୭୭ ମସିହାରେ ଚିତ୍ରକୋଣ୍ଡା ବିଧାନସଭା ନିର୍ବାଚନ ମଣ୍ଡଳୀରୁ ବିଜୁପଟ୍ଟନାୟକଙ୍କ ଜନତା ଦଳରୁ ଟିକେଟ୍ ପାଇ ବିଜୟ ଲାଭ କରିଥିଲେ । ସେ ୧୯୯୦ରେ ପୁନଶ୍ଚ ଜନତା ଦଳରୁ ବିଜୟ ଲାଭ କରିଥିଲା ବେଳେ ୨୦୦୪ରେ ବିଡେଡି ଟିକେଟରେ ଚିତ୍ରକୋଣ୍ଡା ବିଧାନସଭା ନିର୍ବାଚନ ମଣ୍ଡଳୀରୁ ବିଧାୟକ ଭାବେ ଜୟଯୁକ୍ତ ହୋଇଥିଲେ ।ଦୋରାବାବୁ ଉପ-ବାଚସ୍ପତି ଭାବେ ୨୦.୦୩.୧୯୯୦ ରୁ ୧୫.୦୩.୧୯୯୫ ଏବଂ ୦୩.୦୭.୨୦୦୪ ରୁ ୦୩.୦୭.୨୦୦୯ ପର୍ଯ୍ଯନ୍ତ ରହି ବିଧାନସଭାକୁ ଦକ୍ଷତାର ସହ ପରିନାଳନା ସଂସ୍ତ ବିଧାୟକ ଏବଂ ମନ୍ତ୍ରୀମାନଙ୍କର ପ୍ରଶଂସା ଭାଜନ ହୋଇ ପାରିଥିଲେ। ଶ୍ରୀ ଦୋରା ବିଜୁବାବୁଙ୍କ ମୁଖ୍ଯ ମନ୍ତ୍ରୀତ୍ବ କାଳରେ ଏବଂ ନବୀନବାବୁଙ୍କ ମୁଖ୍ଯ ମନ୍ତ୍ରୀତ୍ବ କାଳରେ ଦୁଇ ଥର ଲେଖାଏଁ ଉପ-ବାଚସ୍ପତି ହେବାର ସୌଭାଗ୍ଯ ଅର୍ଜ୍ଜନ କରିଥିଲେ । ଶ୍ରୀ ଦୋରା ଜଣେ ସଚ୍ଚା ବିଜୁ ପ୍ରେମୀ ଥିଲେ । ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସଦାସର୍ବଦା ନିର୍ଭିକ ଏବଂ ସଚ୍ଚୋଟ ସ୍ବଭାବକୁ ଅଦ୍ଯାବଧି ଅକ୍ଷୁର୍ଣ୍ଣ ରଖିଥିଲେ ।କିଏ ଧନ ପଛରେ ଗୋଡାଏତ କିଏ ଜ୍ଞାନ ପଛରେ ଗୋଡାଏ । କିନ୍ତୁ ଶ୍ରୀ ଦୋରା ସମଗ୍ର ଜୀବନ ଜ୍ଞାନ ପିପାସୁ ଥିଲେ । ଖବର କାଗଜ, ମେଗାଜିନ ପଢିବା ତାଙ୍କର ଅଭିରୁଚି ଥିଲା । ସେ ଜଣେ ସାହିତ୍ଯପ୍ରେମୀ ଏବଂ ସୁବକ୍ତା ମଧ୍ଯ । ମାଲକାନଗିରି ଜିଲ୍ଲାର ସର୍ବାଙ୍ଗୀନ ଉନ୍ନତି ଲାଗି ସର୍ବଦା ସଂର୍ଘଷ କରିଆସିଛନ୍ତି । ସେ ଜଣେ ବିଜ୍ଞ ବ୍ଯକ୍ତି ହେତୁ ମାଲକାନଗିରି ଜିଲ୍ଲାର ଶିକ୍ଷାର ବିକାଶ ଲାଗି ତତ୍ପରତା ଦେଖାଇ ନିଜ ଉଦ୍ଯମରେ ପାଙ୍ଗାମ ଠାରେ ହାତୀ ରାମ ଗୁରୁ ଉଚ୍ଚ ବିଦ୍ଯାଳୟ ଏବଂ ଗୋବିନ୍ଦ ପାଲ୍ଲୀ ଠାରେ ବିଜୁ ପଟ୍ଟନାୟକ ମହାବିଦ୍ଯାଳୟ ପ୍ରତିଷ୍ଠା କରିଛନ୍ତି । ବିଭିନ୍ନ ପଞ୍ଚାୟତ ଏବଂ ବ୍ଲକଗୁଡିକରେ ସ୍କୁଲ କଲେଜ ପ୍ରତିଷ୍ଠା ଲାଗି ରାଜ୍ଯ ସରକାରଙ୍କୁ ଚାପ ପ୍ରୟୋଗ କରି କାର୍ଯ୍ଯ କରିବାରେ ସିଦ୍ଧହସ୍ତ ଥିଲେ । ମାଲକାନଗିରିକୁ ସବ-ଡିଭିଜନରୁ ଜିଲ୍ଲାର ମାନ୍ଯତା ଦେବା ପାଇଁ ମୁଖ୍ଯମନ୍ତ୍ରୀ ବିଜୁବାବୁଙ୍କୁ ଦାବି ଉପସ୍ଥାପନ କରିବାରେ ଶ୍ରୀ ଦୋରାଙ୍କ
ମୁଖ୍ଯ ଭୂମିକା ରହିଥିଲା,ଯାହାକି ମାଲକାନଗିରି ଇତିହାସରେ ଏକ କର୍ତ୍ତବ୍ଯନିଷ୍ଠ ନେତା ଭାବେ ପ୍ରହ୍ଲାଦ ଦୋରାଙ୍କ କୀର୍ତ୍ତି ରାଜି ଜନମାନସରେ ଚିରଦିନ ପାଇଁ ଜାଜୁଲ୍ଯମାନ ରହିବ ।ତାଙ୍କ ହୃଦୟ ଗରିବ,ଆଦିବାସୀ, ଦଳିତମାନଙ୍କ ଉତ୍ଥାନ ପାଇଁ ଅହରହ ଆନ୍ଦୋଳିତ ହେଉଥିଲା । ଜନତାଙ୍କ ନ୍ଯାଯ୍ଯ ଦାବି ପାଇଁ ଦଳମତ ନିର୍ବିଶେଷରେ ଖୋଜା ପଡେ ସେହି ମହାନୁଭବ ପ୍ରହ୍ଲାଦ ଦୋରଙ୍କୁ । ପ୍ରଶାସନ ଅଧିକାରୀମାନଙ୍କ ଠାରୁ କିପରି ଜନସାଧରଣଙ୍କୁ ସେବା ଯୋଗାଇ ଦେବେ,ସେ ସେଥି ପାଇଁ ପ୍ରତି ମୂହିର୍ତ୍ତରେ ଅଣ୍ଟା ଭିଡନ୍ତି ବିନା ସ୍ବାର୍ଥରେ । ଆଜିତ ସବୁଠି ସ୍ବାର୍ଥ ଜଡିତ,ଦୁର୍ନୀତିଗ୍ରସ୍ଥ ନେତା ମାଳମାଳ,ମାତ୍ର ଏମିତି ହୃଦୟ ନିର୍ମଳ ତଥା ପରୋପକାରୀ ସ୍ବାଭିମାନ ନେତା ଆଜି କାଲି ମିଳିବା ଦୁଷ୍ପପ୍ରାପ୍ଯ କହିଲେ ଅତ୍ଯୁକ୍ତି ହେବ ନାହିଁ । ସେ ମାଲକାନଗିରି ଜିଲ୍ଲାର ଗର୍ବ ଏବଂ ଗୌରବ । ସେ ଏମ୍ସ ହସ୍ପିଟାଲ ଭୁବନେଶ୍ବରରେ ଚିକିତ୍ସିତ ହେଉଥିବା ବେଳେ ଗତ ୨୦.୧୦.୨୦୨୧ ବୁଧବାର ଅପରାହ୍ନ ୪ଟା ୪୯ ମିନିଟରେ ଇହ ଲୀଳା ସମ୍ବରଣ କରିଥିଲେ। ତାଙ୍କ ବିୟୋଗରେ ଏକ ଅମୂଲ୍ଯ ରତ୍ନ ପରି ଜଣେ ମହାନୁଭବ ନେତାଙ୍କୁ ଚିର ଦିନ ପାଇଁ ମାଲକାନଗିରି ମାଟି ହରାଇଲା ବୋଲି ବକ୍ତାମାନେ ମତ ବ୍ଯକ୍ତ କରିଥିଲେ ।ଏହି ଦ୍ବାଦଶାହ କାର୍ଯ୍ଯ ତାଙ୍କ ପୁତ୍ର ରଜତ କୁମାର ଦୋରା,ଚିନ୍ମୟ ଦୋରା,ପୁତ୍ରୀ ଚିନ୍ମୟୀ ଦେବୀ,ଗାୟତ୍ରୀ ଦେବୀ ଏବଂ ସ୍ବପରିବାର ବର୍ଗ ଆୟୋଜନ କରିଥିଲେ ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ,ମାଲକାନଗିରି)
Prev Post
Next Post