ଭଞ୍ଜନଗର,୧୮/୦୭(ପିପିଟି); ନିଜର ବିରଳ ବ୍ୟକ୍ତିତ୍ୱ, ଅସାଧାରଣ ଜ୍ଞାନ,ଅଗାଢ଼ ପାଣ୍ଡିତ୍ୟ ବଳରେ ସାହିତ୍ୟ, କାବ୍ୟ, କବିତା ରଚନା କରି ଦେଶ ବିଦେଶରେ ଚର୍ଚ୍ଚିତ ଘୁମୁସର ମାଟିର ଗର୍ବ ଗୌରବ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ। ତାଙ୍କର କାଳଜୟୀ ରଚନା କୁ ନେଇ ଆଜି ମଧ୍ୟ ଆମେ ଗର୍ବୀତ। ତାଙ୍କରି ସ୍ମୃତିରେ ଭଞ୍ଜନଗର ଏନଏସି ତରଫରୁ ସହର ମଧ୍ୟ ଭାଗରେ ସ୍ଥାପିତ ହୋଇଛି କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ଏକ ବିରାଟ ପ୍ରତିମୂର୍ତ୍ତି । ଏଠାରେ ତାଙ୍କରି ଉଦ୍ଦେଶ୍ୟରେ ବିଭିନ୍ନ ଦିବସରେ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ ମଧ୍ୟ କରାଯାଇଥାଏ। ଏହାର ରକ୍ଷଣାବେକ୍ଷଣ ଦାୟିତ୍ୱ ମଧ୍ୟ କିଛି ସଙ୍ଗଠନ ହାତକୁ ନେଇ ନିଜକୁ ଧନ୍ୟ ମଣୁଛନ୍ତି। ବହୁ ସାହିତ୍ୟିକ ଉପେନ୍ଦ୍ର ଭଞ୍ଜଙ୍କୁ ନିଜର ଆଦର୍ଶ ବୋଲି ଗ୍ରହଣ କରି ସମ୍ମାନ ଜଣାଇ ଆସୁଥିବା ବେଳେ କେହି ଦୁର୍ବୁତ୍ତ ଗତ ରାତିରେ ପ୍ରତିମୂର୍ତ୍ତିର ଉପର ଭାଗରେ ଗାମୁଛା ଗୁଡ଼ାଇ ତାହାକୁ ବିଦ୍ରୁପ କରିଥିବା ରବିବାର ସକାଳେ ଦେଖିବାକୁ ମିଳିଥିଲା।ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଏଥିରେ ସମ୍ପୃକ୍ତ ବ୍ୟକ୍ତି ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସହରର କିଛି ବୁଦ୍ଧିଜୀବୀ ଦାବି କରିଛନ୍ତି।