ବ୍ରହ୍ମପୁର,୦୪/୧୦(ପିପିଟି): ତିନି କଳା କୃଷି ଆଇନର ପ୍ରତ୍ୟାହାର ଦାବିରେ ଉତ୍ତର ପ୍ରଦେଶର ଲକ୍ଷ୍ମୀପୁର ଖେରୀରେ ଗତକାଲି ଶାନ୍ତିପୂର୍ଣ୍ଣ ଭାବେ ପ୍ରତିବାଦ କରୁଥିବା କୃଷକଙ୍କ ଉପରେ ବିଜେପିର କେନ୍ଦ୍ରମନ୍ତ୍ରୀଙ୍କ ପୁଅ ନେତୃତ୍ୱରେ ଗାଡ଼ି ଚଢାଇ ୬ ଜଣ କୃଷକଙ୍କୁ ହତ୍ୟା କରାଯାଇଛି । କୃଷକ ବିରୋଧୀ ଏହିଭଳି ଏକ ବର୍ବରୋଚିତ ନରସଂହାରକୁ ବିରୋଧ କରି ଆଜି ସଂଯୁକ୍ତ କିଶାନ୍ ମୋର୍ଚ୍ଚା ଦେଶବ୍ୟାପୀ ପକ୍ଷରୁ ଦେଶବ୍ୟାପୀ ପ୍ରତିବାଦ ପରିପ୍ରେକ୍ଷୀରେ ଆଜି ସ୍ଥାନୀୟ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜିଲ୍ଲାର କୃଷକ ସଙ୍ଗଠନମାନେ ପ୍ରତିବାଦ ବିକ୍ଷୋଭ କରିଛନ୍ତି । ଆଜି ପୂର୍ବାହ୍ନରେ ଆୟୋଜିତ ଏହି ବିକ୍ଷୋଭ ପରେ ଭାରତର ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ତିନି ଦଫା ସମ୍ବଳିତ ସ୍ମାରକପତ୍ର ଉପଜିଲ୍ଲାପାଳଙ୍କ ପ୍ରଦାନ କରାଯାଇଥିଲା । ଏଥିରେ ଲକ୍ଷ୍ମୀପୁର ନରସଂହାର ପାଇଁ ଦାୟୀ ବିଜେପିର କେନ୍ଦ୍ର ମନ୍ତ୍ରୀ, ତାଙ୍କ ପୁଅ ଓ ସହଯୋଗୀମାନଙ୍କ ବିରୋଧରେ ହତ୍ୟା ମୋକଦ୍ଦମା ଦାୟର କରିବା,କୃଷକ ମାନଙ୍କ ବିରୋଧରେ ହିଂସା କରିବାକୁ ଉସୁକାଉଥିବା କେନ୍ଦ୍ର ମନ୍ତ୍ରୀ ଓ ହରିୟାଣାର ମୁଖ୍ୟମନ୍ତ୍ରୀଙ୍କୁ ତୁରନ୍ତ ପଦବୀରୁ ବରଖାସ୍ତ କରିବା ଏବଂ ସୁପ୍ରିମକୋର୍ଟଙ୍କ ତଦାରଖରେ ସମଗ୍ର ଘଟଣାର ଏସଆଇଟି ତଦନ୍ତ କରିବା ଆଦି ଦାବି ରହିଥିଲା । ଆଜିର କାର୍ଯ୍ୟକ୍ରମରେ ସଂଯୁକ୍ତ କିଶାନ୍ ମୋର୍ଚ୍ଚାର ରାଜ୍ୟ ଆବାହକ ମଣ୍ଡଳୀ ସଭ୍ୟ ଭାଲଚନ୍ଦ୍ର ଷଡ଼ଙ୍ଗୀ, ବରିଷ୍ଠ କୃଷକ ନେତା କୈଳାସ ଷଡ଼ଙ୍ଗୀ, ପ୍ରକାଶ ପାତ୍ର, ଏଆଇକେଏମଏସ୍ ରାଜ୍ୟ ସମ୍ପାଦକ ପ୍ରତାପ ନାୟକ, ଜିଲ୍ଲା କମିଟି ସଭ୍ୟ ଲଡୁକିଶୋର ଡାକୁଆ, ସନ୍ତୋଷ କୁମାର ଗୌଡ, ଓଡିଶା କୃଷକ ସଭାର ରାଜ୍ୟ ଉପସଭାପତି ହରିକୃଷ୍ଣ ରେଡ୍ଡୀ, ଜିଲ୍ଲା ସମ୍ପାଦକ ବସନ୍ତ ନନ୍ଦ, ଜିଲ୍ଲା ସଭାପତି ଗୋପାଳ ପାଣିଗ୍ରାହୀ, ବାବୁଲା ନାୟକ, ଏଆଇକେଏସ୍ ଜିଲ୍ଲା ସମ୍ପାଦକ ସୁଦର୍ଶନ ସ୍ଵାଇଁ, ରୋହିତ କୁମାର ସ୍ଵାଇଁ, ଏଆଇକେକେଏମଏସ୍ ନେତା ପପୁନ୍ କୁମାର ସାହୁ, ଶିବାନୀ ଶଙ୍କର ମିଶ୍ର, ଏଆଇକେକେଏସ୍ ଜିଲ୍ଲା ସମ୍ପାଦିକା ପି. ପାର୍ବତୀ, ସାମାଜିକ କର୍ମୀ ଅବନୀ କୁମାର ଗୟା, ଶ୍ରୀନିବାସ ରାଓ ପ୍ରମୁଖ ଯୋଗ ଦେଇଥିଲେ ।