ଭଞ୍ଜନଗର,୦୨/୦୮(ପିପିଟି): ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଉପଖଣ୍ଡ ଡାକ୍ତରଖାନାରେ ରୋଗୀସେବା ବାଧାପ୍ରାପ୍ତ ହୋଇଛି।ଏଠାରେ ମୋଟ ୨୪ଜଣ ଡାକ୍ତରଙ୍କ ସ୍ଥାନରେ ୧୨ଜଣ ଓ ୩୦ଜଣ ସେବୀକା ବଦଳରେ ୧୩ଜଣ କାର୍ଯ୍ୟ କରୁଛନ୍ତି।ସେହିପରି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଭାଗରେ ଡାକ୍ତର ନଥିବା ଏବଂ ଅନ୍ୟାନ୍ୟ ସମସ୍ୟା ସମ୍ପର୍କରେ ଭଞ୍ଜନଗର ଉତ୍କଳ ସାମ୍ବାଦିକ ସଂଘ ତରଫରୁ ଗତ ମାସ ୨୫ତାରିଖରେ ଭଞ୍ଜନଗର ଉପଜିଲ୍ଲାପାଳଙ୍କୁ ଏକ ଦାବୀପତ୍ର ପ୍ରଦାନ କରାଯାଇଥିଲା ଏବଂ ଆଗାମୀ ୮ଦିନ ମଧ୍ୟରେ ସମସ୍ତ ଦାବୀ ପୂରଣ ନହେଲେ ଆନ୍ଦୋଳନ ପାଇଁ ଚେତାବନୀ ଦିଆଯାଇଥିଲା।ହେଲେ ପ୍ରଶାସନ ତରଫରୁ କୌଣସି ପଦକ୍ଷେପ ଗ୍ରହଣ କରା ନଯିବାରୁ ବାଧ୍ୟହୋଇ ମଙ୍ଗଳବାର ଆନ୍ଦୋଳନ ଆରମ୍ଭ ହୋଇଥିଲା। ସଂଘର ସମସ୍ତ କର୍ମକର୍ତ୍ତା ଓ ଅନ୍ୟାନ୍ୟ ସଙ୍ଗଠନର ସଦସ୍ୟ ମାନେ ଏକତ୍ରିତ ହୋଇ ଷ୍ଟେଟ ବ୍ୟାଙ୍କ ଛକରୁ ଏକ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିବା ପରେ ମେଡ଼ିକାଲ ସାମ୍ନାରେ ଧାରଣାରେ ବସିଥିଲେ।କିଛି ସମୟ ପରେ ଭଞ୍ଜନଗର ଉପ ଜିଲ୍ଲାପାଳ ଜ୍ୟୋତି ଶଙ୍କର ରାୟ ଓ ମେଡ଼ିକାଲ ଅଧିକ୍ଷକ ସୀତାଂଶୁ ଶେଖର ଶତପଥି ଆସି ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରି ଅତିଶୀଘ୍ର ୪ଜଣ ଡାକ୍ତରଙ୍କୁ ନିଯୁକ୍ତି ଓ ଅନ୍ୟାନ୍ୟ ସମସ୍ୟାର ସମାଧାନ କରିବାକୁ ପ୍ରତିଶୃତି ଦେଇ ଆନ୍ଦୋଳନରୁ ଓହରି ଯିବାକୁ ପରାମର୍ଶ ଦେଇଥିଲେ।ଏଥିରେ ୟୁଜେଏ ଜିଲ୍ଲା ସମ୍ପାଦକ ପ୍ରଦ୍ୟୁମ୍ନ କୁମାର ପାତ୍ର, ବ୍ଲକ ସଭାପତି ଜୟକୃଷ୍ଣ ପଟ୍ଟନାୟକ, ଉପ ସଭାପତି ପ୍ରଦୀପ କୁମାର ସ୍ୱାଇଁ, ସମ୍ପାଦକ ରବୀନ୍ଦ୍ର ଗୌଡ଼, ସହ ସମ୍ପାଦକ ନିଲୁ ବିଷୋୟୀ, କୋଷାଧ୍ୟକ୍ଷ ଭବାନୀ ପାଳ, ଜିଲ୍ଲା ସଂଯୋଜକ ବିଶ୍ବମ୍ବର ଜେନା, ବ୍ଲକ ସଂଯୋଜକ ନଚିକେତ ପ୍ରଧାନ, ସମୀର ଶତପଥି, ଗିରିସ ସାହୁ, ଚିନ୍ମୟ ବେବର୍ତ୍ତା ଓ ଅନ୍ୟ ମାନେ ଉପସ୍ଥିତ ଥିଲେ। ଏହି ଆନ୍ଦୋଳନରେ ଓକିଲ ସଂଘ, ବରିଷ୍ଠ ନାଗରିକ ମଞ୍ଚ, ରାଧାକୃଷ୍ଣ ପାଠାଗାର, ବାଉଁଶ ଲୁଣ୍ଡି ନଦିଆ ସଂଘ,ଅବସରପ୍ରାପ୍ତ ପୌର କର୍ମଚାରୀ ସଂଘ, ବିପଦର ବନ୍ଧୁ, ସ୍ୱେଚ୍ଛାସେବୀ ସଙ୍ଗଠନ ବାର୍ଡ, ଘୁମୁସର ଲେଖିକା ସଂସଦ, ବିଶ୍ବହିନ୍ଦୁ ପରିଷଦ, କଂଗ୍ରେସ ଓ ବିଜେପି ପକ୍ଷରୁ ସମର୍ଥନ ଜଣାଇଥିଲେ।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )