ଭଞ୍ଜନଗର,୧୪/୦୮(ପିପିଟି); ଭଞ୍ଜନଗର ଅଞ୍ଚଳରେ କ୍ରୀଡାର ବିକାଶ ପାଇଁ ଗତ ଜୁଲାଇ ୧ତାରିଖ ଦିନ ଛତ୍ରପୁର ଠାରେ ଭଞ୍ଜନଗର ଅଞ୍ଚଳବାସୀଙ୍କ ତରଫରୁ ବହୁ କ୍ରୀଡ଼ାବିତ, ଏନ୍ଏସି ର ପୂର୍ବତନ ଅଧ୍ୟକ୍ଷ, ଉପାଧ୍ୟକ୍ଷ, କାଉନସିଲର ଓ କିଛି ବୁଦ୍ଧିଜୀବୀମାନେ ଭିଡ଼ିଓ କନଫରେନସିଙ୍ଗ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଆଲୋଚନା କରି ଭଞ୍ଜନଗର ବ୍ଲକରେ ଏକ ଇନଣ୍ଡୋର ଷ୍ଟାଡିୟମ ସ୍ଥାପନ କରିବା ପାଇଁ ଦାବି କରିଥିଲେ। ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଏକ ଏକର ପରିମିତ ଜମିରେ ୬କୋଟି ୪୦ଲକ୍ଷ ଟଙ୍କା ବ୍ୟୟରେ ଇନଣ୍ଡୋର ଷ୍ଟାଡିୟମ ନିର୍ମାଣ ପାଇଁ ଅର୍ଥ ମଞ୍ଜୁର କରିଛନ୍ତି। ଏହାକୁ ସବୁ ବର୍ଗର ଲୋକ ସ୍ୱାଗତ ଜଣାଇଛନ୍ତି। ଏହି ଅବସରରେ ଶନିବାର ଅପରାହ୍ନରେ ଏକ ମଶାଲ ଶୋଭାଯାତ୍ରାରେ ସ୍ଥାନୀୟ ଯୁବକ, ଯୁବତୀ, କ୍ରୀଡ଼ାବିତ ମାନେ ରଘୁନାଥ ମନ୍ଦିର ଠାରୁ ବାହାରି ମେନ ରୋଡ଼ ଦେଇ ଜଙ୍ଗଲ ବିଭଗ ଡାକ ବଙ୍ଗଳା ଠାରେ ପହଞ୍ଚିଥିଲେ। ସେଠାରେ ଜଙ୍ଗଲ, ପରିବେଶ, ଜଳବାୟୁ ପରିବର୍ତ୍ତନ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ସେମାନଙ୍କୁ ସ୍ୱାଗତ ଜଣାଇଥିଲେ। ଭଞ୍ଜନଗର ଠାରେ ଇନଣ୍ଡୋର ଷ୍ଟାଡିୟମ ପାଇଁ ଅନୁମତି ମିଳିଥିବାରୁ କ୍ରୀଡ଼ା ପ୍ରତି ରୁଚି ରଖିଥିବା ବହୁ କ୍ରୀଡ଼ାବିତ ଓ ନେତୃବୃନ୍ଦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ମନ୍ତ୍ରୀ ଆରୁଖଙ୍କୁ ଧନ୍ୟବାଦ ଜଣାଇଛନ୍ତି।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )