ଇଞ୍ଜିନିୟରିଂ ଚାକିରି ଛାଡି ସଫଳ ମାଛ ଚାଷୀ ହେଲେ ସଂଗ୍ରାମ ।

0 256

ମାଲକାନଗିରି,୦୮/୦୭(ପିପିଟି): ପଡିଆ ବ୍ଲକ ଅନ୍ତର୍ଗତ ଏମଭି- ୭୯ ଗ୍ରାମର ସଂଗ୍ରାମ ଇଞ୍ଜିନିୟରିଂ ଚାକିରି ଛାଡି ନିଜେ ଆତ୍ମନିର୍ଭରଶୀଳ ହେବା ପାଇଁ ମାଛ ଚାଷକୁ ଆପଣାଇ ଆଜି ଜଣେ ସଫଳ ମାଛ ଚାଷୀ ହୋଇ ପାରିଛନ୍ତି । ଦୀର୍ଘ ୧୫ ବର୍ଷ ଧରି ସୁଦୂର ମହାରାଷ୍ଟ୍ରରେ ଏକ ପ୍ରତିଷ୍ଠିତ କମ୍ପାନୀରେ ସହକାରୀ ଇଞ୍ଜିନିୟର ଭାବେ କାମ କରିଥିବା ସଂଗ୍ରାମ କରୋନା ପ୍ରକୋପ ବେଳେ ନିଜ ଘରକୁ ଫେରିଥିଲେ। ଏହାପରେ ନିଜେ କିଭଳି ସ୍ୱାବଲମ୍ବୀ ହୋଇପାରିବେ ସେ ନେଇ ଚିନ୍ତିତ ଥିଲେ। ଏହି ସମୟରେ ୟୁଟ୍ୟୁବରେ ଜୈବପୁଞ୍ଜ ପଦ୍ଧତିରେ ମାଛ ଚାଷ ଦେଖି ପଡିଆ ମତ୍ସ୍ୟଚାଷ ବିଭାଗ ସହଯୋଗରେ ୬ଟି ଟାଙ୍କିରେ ମାଛ ଚାଷ ଆରମ୍ଭ କରିଥିଲେ। ପ୍ରଥମ ପର୍ଯ୍ୟାୟରେ ଦୁଇ ହଜାର ତେଲାପୋଇ ଯାଆଁଳାକୁ ନେଇ ଚାଷ ଆରମ୍ଭ କରିଥିବା ସଂଗ୍ରାମ ଏବେ ରୋହି, ଭାକୁର, ଦେଶୀ ମାଗୁର ଭଳି ଏକାଧିକ ପ୍ରଜାତିର ମାଛ ଯାଆଁଳା ନେଇ ଚାଷ କରିବା ଆରମ୍ଭ କଲେଣି। ଏଥିପାଇଁ ସଂଗ୍ରାମ ଘର ଠାରୁ ଦୂରରେ ରହି ନିଜର ଇଞ୍ଜିନିୟରିଂ ଚାକିରି ସମୟ କଥାକୁ ମନେ ପକାଇ ଥିଲେ ମଧ୍ୟ ମାଛ ଚାଷୀ ଭାବେ ମିଳିଥିବା ସଫଳତା ତାଙ୍କୁ ସ୍ୱାବଲମ୍ବୀ କରିବା ସହ ଜୀବନର ଗତିପଥକୁ ବଦାଳାଇ ଦେଇଥିବା କହିଛନ୍ତି। ବର୍ତ୍ତମାନର ଯୁବପିଢ଼ି ଚାକିରି ମିଳୁନଥିବା କହି ବିଷାଦର ଶିକାର ହେଉଥିବା ବେଳେ ଘରୋଇ ଚାଷ କରି ମଧ୍ଯ ସ୍ୱାବଲମ୍ବୀ ହୋଇପାରିବେ ବୋଲି ସଂଗ୍ରାମ ଯୁବପିଢ଼ିଙ୍କୁ ବାର୍ତ୍ତା ଦେଇଛନ୍ତି ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.