ହିଞ୍ଜିଳିକାଟୁ,୦୬/୦୪(ପିପିଟି): ହିଞ୍ଜିଳିକାଟୁ ନିର୍ବାଚନ ମଣ୍ଡଳୀରେ ମୁଖ୍ୟମନ୍ତ୍ରୀ ପ୍ରତ୍ୟକ୍ଷ ଭାବରେ ସଂପୃକ୍ତି ନରହି ଅଫିସର ଭରସାରେ ସବୁ ଛାଡିଦେଇଛନ୍ତି। ହିଞ୍ଜିଳିକାଟୁ ନିର୍ବାଚନ ମଣ୍ଡଳୀର ଜନତା ମୁଖ୍ୟମନ୍ତ୍ରୀଙ୍କୁ ଭଲପାଉଛନ୍ତି କିନ୍ତୁ ତା ମାନେ ନୁହେଁ ଯେ ଅଫିସର ରାଜ ଚାଲୁ। ହିଞ୍ଜିଳି ପୌର ନିର୍ବାଚନ ଫଳାଫଳ ପରେ ଅସନ୍ତୋଷ ଗନ୍ଧ ପଦାକୁ ଆସିଲାଣି। ହିଞ୍ଜିଳିକାଟୁ ବ୍ଳକରେ ମହୁ ଝରୁଛି। ହିଞ୍ଜିଳି ବ୍ଲକ ଛାଡି ଅନ୍ୟତ୍ର ବଦଳି ହେବାକୁ ମନ ଯାଉନାହିଁ। ହିଞ୍ଜିଳି ବ୍ଲକରେ କାର୍ଯ୍ଯରତ ଯନ୍ତ୍ରୀ ଇଂ ସୀମାଞ୍ଚଳ ଦାଶ ପ୍ରାୟ ୧୭ ବର୍ଷରୁ ଉର୍ଦ୍ଧ୍ବ ଚାକିରୀ କଲେଣି। ସେ ଏତେ ପ୍ରଭାବଶାଳୀ ଯେ ମୁଖ୍ୟମନ୍ତ୍ରୀଙ୍କ ପ୍ରତିନିଧି ଓ ଜିଲ୍ଲା ପ୍ରଶାସନ ତାଙ୍କର ପକେଟରେ ବୋଲି ରାସ୍ତାଘାଟ ଚର୍ଚ୍ଚା ଶୁଣିବାକୁ ମିଳୁଛି। ଯନ୍ତ୍ରୀ ଶ୍ରୀ ଦାଶ ୧୧ ବର୍ଷ ହିଞ୍ଜିଳି ବ୍ଲକରେ ଚାକିରୀ ସମ୍ପର୍କିତ ଖବର ପ୍ରକାଶ ପରେ କିଛି ଦିନ ପାଇଁ ବଦଳି ହୋଇ ପୁଣି ହିଞ୍ଜିଳି ବ୍ଲକରେ ପ୍ରବେଶ କଲେ। ବର୍ତ୍ତମାନ ୨୮/୦୩/୨୦୨୨ ରେ ରାଜ୍ଯ ସରକାର ତାଙ୍କୁ କବିସୂର୍ଯ୍ୟନଗର ବ୍ଲକକୁ ବଦଳିକଲେ। ଏପ୍ରିଲ ୪ ତାରିଖରେ ଶ୍ରୀ ଦାଶ କବିସୂର୍ଯ୍ୟନଗର ବ୍ଲକରେ କାର୍ଯ୍ଯରେ ଯୋଗଦେଇ ଉକ୍ତଦିନ ଡେପୁଟେସେନରେ ପୁଣି ହିଞ୍ଜିଳି ବ୍ଲକରେ କାର୍ଯ୍ଯରେ ଯୋଗଦେଲେ। ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀରେ ସର୍ଭିସ ଆକ୍ଟ ସମ୍ପୂର୍ଣ୍ଣ ଅକାମୀ। ଯନ୍ତ୍ରୀ ଶ୍ରୀ ଦାଶଙ୍କ ପ୍ରତି ଗଞ୍ଜାମ ଜିଲ୍ଲାପାଳଙ୍କ ଅହେତୁକ ଅନୁକମ୍ପା କଣ ପାଇଁ ବୋଲି ବିଭିନ୍ନ ଖଟିରେ ଚର୍ଚ୍ଚା। ମୁଖ୍ୟମନ୍ତ୍ରୀଙ୍କ ପ୍ରତିନିଧି ଦାୟିତ୍ବରେ ଥିବା ଅବସରପ୍ରାପ୍ତ ଅଧିକାରୀଙ୍କ କାର୍ଯ୍ୟଶୈଳୀକୁ ନେଇ ବିଭିନ୍ନ କଥା ଶୁଣିବାକୁ ମିଳୁଛି। ମୁଖ୍ୟମନ୍ତ୍ରୀ ନିଜ ନିର୍ବାଚନ ମଣ୍ଡଳୀରେ କଣ ସବୁ ଘଟୁଛି ନଜର ରଖିବାକୁ ସାଧାରଣରେ ମତ ପ୍ରକାଶ ପାଉଛି। ଖୁବ ଶୀଘ୍ର ହିଞ୍ଜିଳି ବ୍ଲକର ଗୁମର ଖୋଲିବ।