ବ୍ରହ୍ମପୁର,୧୫/୦୬(ପିପିଟି):କୁକୁଡ଼ାଖଣ୍ଡି ବ୍ଲକ ଅନ୍ତର୍ଗତ ରଥ ଚକଟା ସାହିରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ପ୍ରକାଶ ଥାଉ କି ଏକ ବୁଲା ଷଣ୍ଢର ଶିଂଘ ଭାଙ୍ଗି ଦୀର୍ଘ ଦିନ ଧରି ଆହତ ହୋଇଥିଲେ ମଧ୍ୟ ଚିକିତ୍ସା ଅଭାବରୁ ଉକ୍ତ ଆହତ ଜାଗାରେ ଗାତ ସୃଷ୍ଟି ହୋଇ ଜନ୍ଦା, ପିମ୍ପୁଡ଼ି ଓ ପୋକ ଲାଗିଯାଇଥିବା ସ୍ଥାନୀୟ ଅଞ୍ଚଳର ସମାଜସେବୀ ପ୍ରଦୀପ କୁଠିଆଙ୍କ ନଜରକୁ ଆସିଥିଲା । ଏହା ଦେଖି ସେ ହତ୍ ବାକ୍ ହୋଇ କାଳବିଳମ୍ୱ ନକରି ଘଟଣା ସଂମ୍ପର୍କରେ ପଶୁପ୍ରେମୀ ଲଲାଟେନ୍ଦୁ ଚୌଧୁରୀଙ୍କ ଦୃଷ୍ଟି ଗୋଚର କରିବା ସହ ରାଜ୍ୟ ସରକାରଙ୍କ ତରଫରୁ ଜାରି ହୋଇଥିବା ପଶୁ ସହାୟକ ନମ୍ୱର ୧୯୬୨କୁ ଜଣାଇଥିଲେ। ଖବର ପାଇ କୁକୁଡ଼ାଖଣ୍ଡି ଗୋଷ୍ଟି ପଶୁ ଚିକିତ୍ସାଳୟର ଡ଼ାକ୍ତର ପିତବାସ ସାହୁ, କର୍ମଚାରୀ ଅଜୟ ପଟ୍ଟନାୟକ, ରାଜେନ୍ଦ୍ର ପ୍ରଧାନ ପ୍ରମୁଖ ଘଟଣା ସ୍ଥଳରେ ପହଞ୍ଚି ଆହତ ଷଣ୍ଢଟିର ଚିକିତ୍ସା ଆରମ୍ଭ କରିଥିଲେ। ଉକ୍ତ ଷଣ୍ଢଟିର କ୍ଷତ ସ୍ଥାନରେ ଅସ୍ତ୍ରୋପଚାର କରି ସ୍ପିରିଟ ପକାଇବା କ୍ଷଣି ଶତାଧିକ ପୋକ ବାହାରିଥିଲେ। ଯାହାକି ଏକ ହୃଦୟ ବିଦାରକ ଦୃଶ୍ୟ ରହିଥିଲା । ଏଥିରେ ପ୍ରଦୀପ କୁଠିଆ, ଅମିୟ କୁମାର ପଟ୍ଟନାୟକ, ଏ.ପର୍ଶୁରାମ ପାତ୍ର, ଏନ୍.ଦଳେଇ, ଏ.ଚକ୍ରପାଣି, ଏ.ଗଣପତି, ହାବୁଲା ଦଳେଇଙ୍କ ସମେତ ବହୁ ସ୍ଥାନୀୟ ବାସିନ୍ଦା ଉପସ୍ଥିତ ରହି ଚିକିତ୍ସାରେ ସହଯୋଗ କରିଥିଲେ। କିଛି ଦିନ ତଳେ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଶୁଭାରମ୍ଭ କରାଯାଇଥିବା ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗର ରାଜ୍ୟ ସ୍ତରୀୟ ପ୍ରାଣୀ ସେବା ହେଲ୍ପ ଲାଇନ ଗ୍ରାମାଞ୍ଚଳରେ ଆଦୃତ ହେବାରେ ଲାଗିଛି । ଏହି ସେବା ଫୋନ୍ ମାଧ୍ୟମରେ ଘଟଣା ସ୍ଥଳରେ ପହଞ୍ଚି ଆହତ ପଶୁଙ୍କର ଚିକିତ୍ସା କରୁଥିବାରୁ ନିରୀହ ପଶୁମାନଙ୍କର ଜୀବନ ବଞ୍ଚୁଥିବା ଜଣାପଡୁଛି । ଏପରି କାର୍ଯ୍ୟକୁ ବିଭିନ୍ନ ମହଲରେ ଉଚ୍ଚ ପ୍ରଶଂସା କରାଯାଇଛି ।