ଆସନ୍ତା ୧୬ତାରିଖରୁ ଭଞ୍ଜନଗର ଠାରେ ବିଶାଳ ହସ୍ତଶିଳ୍ପ ପ୍ରଦର୍ଶନୀ ।

0 276

ଭଞ୍ଜନଗର,୧୧/୦୫(ପିପିଟି): ଭଞ୍ଜନଗର ସ୍ଥିତ ନିୟନ୍ତ୍ରିତ ବଜାର କମିଟି ପରିସରରେ ଆସନ୍ତା ୧୬ତାରିଖ ଠାରୁ ଜୁନ ୫ତାରିଖ ପର୍ଯ୍ୟନ୍ତ ଭୁବନେଶ୍ବରର ଅଗ୍ରଣୀ ହସ୍ତଶିଳ୍ପ ଅନୁଷ୍ଠାନ ଓଡ଼ିଶା ଗ୍ରାମାଞ୍ଚଳ ଓ ସହରାଞ୍ଚଳ ଉତ୍ପାଦକ ସଂଘ (ଅରୂପା) ପକ୍ଷରୁ ଏକ ବିଶାଳ ହସ୍ତଶିଳ୍ପ ଓ ହସ୍ତତନ୍ତ ବସ୍ତ୍ର ପ୍ରଦର୍ଶନୀ ଅନୁଷ୍ଠିତ ହେବାକୁ ଯାଉଛି।କରୋନା ସକାଶେ ଏଠାରେ ଗତ ଦୁଇ ବର୍ଷ ହେଲା ଏଭଳି କାର୍ଯ୍ୟକ୍ରମ ହୋଇପାରି ନ ଥିଲା। ୧୯୯୦ ମସିହାରୁ ହସ୍ତଶିଳ୍ପୀ ମାନଙ୍କ ପାଇଁ କାର୍ଯ୍ୟ କରି ଆସୁଥିବା ଅରୂପା ସଂଗଠନ ସାରା ଓଡ଼ିଶାରେ ବିଭିନ୍ନ ଜିଲ୍ଲାରେ ସର୍ବଭାରତୀୟ ସ୍ତରରେ ହସ୍ତଶିଳ୍ପ ପ୍ରଦର୍ଶନୀ ଆୟୋଜନ କରିବା ସହ କରୋନା ମହାମାରୀ ସମୟରେ ପ୍ରାୟ ୫ ହଜାର ହସ୍ତଶିଳ୍ପ କାରୀଗରଙ୍କୁ ସାହାଯ୍ୟ ଓ ସହାୟତା ଯୋଗାଇ ଆସିଛି । କାରିଗର ମାନଙ୍କ ନିମନ୍ତେ କଞ୍ଚାମାଲ ଯୋଗାଣ, ପ୍ରଶିକ୍ଷଣ, ବୀମା, ଆମଦାନୀ, ରପ୍ତାନି, କ୍ରୟ ଓ ବିକ୍ରୟ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରି ଆସୁଛି। ଭଞ୍ଜନଗର ଠାରେ ଆୟୋଜିତ ହେବାକୁ ଥିବା ବିଶାଳ ହସ୍ତଶିଳ୍ପ ପ୍ରଦର୍ଶନୀ ପାଇଁ ୧୦୦ଟି ଷ୍ଟଲ୍‌ ବ୍ୟବସ୍ଥା କରାଯାଇଛି । ଯାହା ଦ୍ବାରା ୨୦୦ ଜଣ କାରିଗର ନିଜ ନିଜର ଉତ୍ପାଦ ସହଜରେ ବିକ୍ରୟ କରିପାରିବେ । ଓଡ଼ିଶାର ଶିଳ୍ପୀ ମାନଙ୍କ ଦ୍ବାରା ପ୍ରସ୍ତୁତ ହସ୍ତଶିଳ୍ପ ସହିତ ସବାଇ ଘାସ, ବିଭିନ୍ନ ପ୍ରକାରର ଶାଢ଼ୀ, ଅଳଙ୍କାର, କାଠ, ପିତଳ କାମ, ନାନା ପ୍ରକାର ଶାଢ଼ୀ, ଡ୍ରେସ୍ ମ୍ୟାଟେରିଆଲ ଆଦି କାମର ଜିନିଷ ପ୍ରଦର୍ଶନୀରେ ସ୍ଥାନ ପାଇବ। ଯାହା ଦ୍ବାରା ନିକଟ ଅଞ୍ଚଳର ଉପଭୋକ୍ତା ମାନେ ସହଜରେ ଓ ସ୍ବଳ୍ପ ମୂଲ୍ୟରେ ଏସବୁ ଜିନିଷ କ୍ରୟ ବିକ୍ରୟ କରି ପାରିବେ ବୋଲି ଅରୂପା ସଂଗଠନ ଅଧ୍ୟକ୍ଷ ତଥା ମୁଖ୍ୟ ପରିଚାଳକ ଅଶୋକ କୁମାର ସାହୁ ସୂଚନା ଦେଇଛନ୍ତି ।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Leave A Reply

Your email address will not be published.