ଭଞ୍ଜନଗର,୨୦/୦୧(ପିପିଟି): ଭଞ୍ଜନଗର ଥାନା ପରିସରରେ ବୁଧବାର ଆମ ପୋଲିସ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ନୂତନ ଥାନା ଅଧିକାରୀ ଧିରେସ କୁମାର ଦାସ ଅଧ୍ୟକ୍ଷତା କରିଥିଲେ ଏବଂ ଅନୁପମ ବାନାର୍ଜୀ ସ୍ୱାଗତ ଭାଷଣ ସହ ଅତିଥି ପରିଚୟ ପ୍ରଦାନ କରିଥିଲେ। ସହରରେ ଅପରାଧ ନିୟନ୍ତ୍ରଣ ତଥା ଅପରାଧୀଙ୍କୁ ଧରିବା ପାଇଁ ମୁଖ୍ୟ ରାସ୍ତାରେ ଥିବା ସମସ୍ତ ବ୍ୟବସାୟୀ ନିଜ ଦୋକାନ ସାମ୍ନାରେ ସିସି କ୍ୟାମେରା ଲଗେଇବା ଏବଂ ଥାନା ଛକ ଠାରୁ ରଘୁନାଥ ମନ୍ଦିର ପର୍ଯ୍ୟନ୍ତ ରାସ୍ତାରେ ସିସି କ୍ୟାମେରା ଲଗେଇବାକୁ ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ଆମ ପୋଲିସ ସମିତି ତରଫରୁ ପତ୍ର ମାଧ୍ୟମରେ ଅବଗତ କରିବା ପାଇଁ ନିଷ୍ପତ୍ତି ହୋଇଥିଲା।ସେହିପରି ବାଇପାସ ଛକରେ ମଧ୍ୟ ସିସି କ୍ୟାମେରା ଲଗେଇବା ପାଇଁ ମତ ପ୍ରକାଶ ପାଇଥିଲା। ଟ୍ରାଫିକ ସମସ୍ୟା ଦୂର କରିବା ପାଇଁ ମୁଖ୍ୟରାସ୍ତାରେ ଥିବା ସବୁ ଛକ ମଝିରେ ଲୋକମାନେ ରଖୁଥିବା ବାଇକ ସବୁ ହଟାଯାଇ ଭଞ୍ଜମାର୍ଗ ରେ ଥିବା ପାର୍କିଂ ସ୍ଥାନରେ ରଖିବା ପାଇଁ ଲୋକଙ୍କୁ ସଚେତନ କରିବା ସହ ଆଗାମୀ ପଞ୍ଚାୟତ ନିର୍ବାଚନ ସମୟରେ ଯେପରି କୌଣସି ରାଜନୈତିକ ହିଂସା ନଘଟେ ସେଥିପ୍ରତି ସତର୍କ ରହିବା ଏବଂ ଏସମ୍ପର୍କରେ କୌଣସି ସୂଚନା ମିଳିଲେ ତୁରନ୍ତ ପୋଲିସକୁ ଖବର ଦେବାକୁ ଆଇଆଇସି ଶ୍ରୀ ଦାସ କହିଥିଲେ। ଏଥିରେ ଆମ ପୋଲିସ ସମିତିର ବରିଷ୍ଠ ସଦସ୍ୟ ଅନ୍ତର୍ଯ୍ୟାମୀ ତ୍ରିପାଠୀ, କୃତ୍ତିବାସ ବିଶ୍ୱାଳ, ଜଗବନ୍ଧୁ ଜେନା,ସୁଶାନ୍ତ କୁମାର ମହାପାତ୍ର, ଜଗଦୀଶ ପାଣିଗ୍ରାହୀ, ପ୍ରେସ କ୍ଲବ ସଭାପତି ଲୋକନାଥ କର, ୟୁଜେଏ ସଭାପତି ଜୟକୃଷ୍ଣ ପଟ୍ଟନାୟକ, ଜିଲ୍ଲା ସଂଯୋଜକ ବିଶ୍ବମ୍ବର ଜେନାଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )
Prev Post