ମାଲକାନଗିରି,ତା:୧୯/୦୬(ପିପିଟି); କାଲିମେଳା ଅଞ୍ଚଳର ୬ ଜଣ ଆଦିବାସୀ ଶ୍ରମିକ ଆନ୍ଧ୍ରପ୍ରଦେଶରେ ନିର୍ଯାତିତ ହେଉଥିବାର ଭିଡିଓ ସାମ୍ନାକୁ ଆସିଛି । ଏଥିଯୋଗୁଁ ସରକାର କିମ୍ବା ପ୍ରଶାସନ ସେମାନନଙ୍କୁ ଉଦ୍ଧାର କରିବାକୁ ଆକୁଳ ନିବେଦନ କରିଛନ୍ତି । ଏପରି କି କମ୍ପାନିର ମାଲିକ ଧମକ ଚମକ ଦେଉଥିବା ମଧ୍ୟ ଅଭିଯୋଗ ହୋଇଛି । କାଲିମେଳା ବ୍ଲକର ଚିତ୍ରାଙ୍ଗପାଲ୍ଲୀ ପଞ୍ଚାୟତ ଅନ୍ତର୍ଗତ ସରେଲଗୁଡା ଗ୍ରାମର ଆଡମା କବାସୀ, କଷା କବାସି, ଶିଙ୍ଗା ମାଡକାମି, କଷା ମାଡ଼କାମି, ଦୁଲା ସୋଢି ଓ ମୁନା କାର୍ତ୍ତାମୀ ନାମକ ୬ ଜଣ ଆଦିବାସୀ ଯୁବକ ଗତ ୫ ମାସ ତଳେ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ଜିଲ୍ଲା ଅନ୍ତର୍ଗତ ପେଦାପାଡ ଅଂଚଳରେ ଥିବା ଶଙ୍କର ବୋରୱେଲ ନାମକ ଏକ କମ୍ପନିରେ କାମ କରିବାକୁ ଯାଇଥିଲେ । ଏହି ଆଦିବାସୀ ଯୁବକମାନେ ସେଠାରେ କାମ କରି ଆସୁଥିଲେ ମଧ୍ୟ ମାଲିକ ଆଜି ପର୍ଯ୍ୟନ୍ତ ସେମାନଙ୍କୁ ଟଙ୍କାଟିଏ ପାରିଶ୍ରମିକ ଦେଉନ ଥିବାର ଶ୍ରମିକ ମାନେ ଅଭିଯୋଗ କରିଛନ୍ତି । ଏପରିକି ଖାଇବାକୁ ମଧ୍ୟ ଠିକ ଭାବେ ଦିଆଯାଉନଥିବା ଅଭିଯୋଗ କରିଛନ୍ତି । ମାସକୁ ୧୦ ହଜାର ଟଙ୍କା ଦିଆଯିବ ବୋଲି କୁହାଯାଇଥିବା ବେଳେ ଶ୍ରମିକ ମାନେ ଏହି ଟଙ୍କା ମାଗିଲେ କମ୍ପାନିର ମାଲିକ ପ୍ରାପ୍ୟ ପ୍ରଦାନ କରୁନଥିବା ସହ ଧମକ ଦେଉଥିବାର ଅଭିଯୋଗ ହୋଇଛି । ଏପରିକି ଶ୍ରମିକ ମାନେ ରହୁଥିବା ଘରକୁ ମାଲିକ ଜଣେ ଯୁବକକୁ ପଠାଇ ଠେଙ୍ଗାରେ ମାରିବାକୁ ଧମକ ଦେଉଥିବାର ଏକ ଭିଡିଓରୁ ଜଣାପଡିଛି । ଶ୍ରମିକ ମାନେ ୧୨ ତାରିଖରୁ ଆଉ କାମ କରୁନଥିବା ବେଳେ ସେମାନଙ୍କ ପ୍ରାପ୍ୟ ବାବଦରେ ୩ ଲକ୍ଷ ଟଙ୍କା ମାଲିକଙ୍କ ଠାରୁ ପାଇବାକୁ ଥିବା ପ୍ରକାଶ କରିଛନ୍ତି । ପ୍ରାପ୍ୟ ନ ଦେଇ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେଉଥିବା ଶ୍ରମିକମାନେ ଅଭିଯୋଗ କରିଛନ୍ତି । ସେମାନଙ୍କୁ ତୁରନ୍ତ ସେଠାରୁ ସୁରକ୍ଷିତ ଭାବରେ ଉଦ୍ଧାର କରିବାକୁ ଶ୍ରମିକ ମାନେ ସରକାର ଓ ଜିଲ୍ଲା ପ୍ରଶାସନକୁ ନିବେଦନ କରିଛନ୍ତି ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ,ମାଲକାନଗିରି)
Prev Post