ରାୟଗଡା,୦୮/୦୯(ପିପିଟି); ରାୟଗଡା ଜିଲ୍ଲା ରାମନାଗୁଡା ତହସିଲର ଗୋଗୁପାଡୁ ସର୍କଲ ଅଧିନ ସୁଲୁଡି ମୌଜା ଆନ୍ଧ୍ର ଓଡ଼ିଶା ସୀମାନ୍ତରେ ଅବସ୍ଥିତ। ସେଠାରେ ଆନ୍ଧ୍ର ଓଡ଼ିଶା ସୀମା ଲାଗିଛି। ଫଳରେ ଆନ୍ଧ୍ରଚାଷୀ ଅବାଧରେ ଆସି ଓଡିଶା ଜମିକୁ ଧିରେ ଧିରେ ଅକ୍ତିଆର କରିବାରେ ଲାଗିଛନ୍ତି। ଓଡ଼ିଶାର ନିରୀହ ଗରୀବ ଆଦିବାସୀ ମାନେ ଆନ୍ଧ୍ର ଚାଷୀଙ୍କ ଧୁର୍ତ୍ତତା ଆଗରେ ମୁଣ୍ଡ ନୁଆଇଁ ଦେଇ ଚାଷ କରୁଥିବା ସରକାରୀ ଜମିକୁ ଛାଡିବାକୁ ବାଧ୍ୟ ହେଉଥିଲେ। ବାପଅଜା ଅମଳରୁ ଏହି ଦାଦାଗିରି ଚଳିଆସୁଥିଲା କିନ୍ତୁ ସୁଲୁଡି ମୌଜାର ଲାଉଗୁଡା,କପୁରୀ ଗୁଡା,ଲାଉଗୁଡା କଲୋନୀ,ବଡ଼ଗୁଡା ଓ ସୁଲୁଡି ଗ୍ରାମବାସୀ ଏକଜୁଟ ହୋଇ ଆନ୍ଧ୍ରଚାଷୀଙ୍କ କବଳରୁ ସରକାରୀ ଜମି ଉଦ୍ଧାର କରିବାକୁ ଅଣ୍ଟା ଭିଡିଛନ୍ତି। ସେହି ପରିପ୍ରେକ୍ଷୀରେ ସୋମବାର ଦିନ ସେମାନେ ଏକ ଦାବୀପତ୍ର ରାମନାଗୁଡା ତହସିଲଦାର ଜୟଶ୍ରୀ ମଲ୍ଲିକଙ୍କୁ ପ୍ରଦାନ କରିଥିଲେ। ସେମାନଙ୍କ ଦାବି ଥିଲା ଯେ,ଆନ୍ଧ୍ର ଚାଷୀଙ୍କ ଠାରୁ ଏହି ୧୨୭ରୁ ଉର୍ଦ୍ଧ୍ବ ଏକର ଜମି ଆଣି ଓଡ଼ିଶା ସୀମାରେ ଥିବା ଲାଉଗୁଡା,ସୁଲୁଡି, ଲାଉଗୁଡା କଲୋନୀ,କପୁରୀଗୁଡା ଓ ବଡ଼ଗୁଡାର ଆଦିବାସୀ ଚାଷୀଙ୍କୁ ଜଙ୍ଗଲ ଜମି ଅଧିକାର ଆଇନ ବଳରେ ପ୍ରଦାନ କରାଯାଉ।ତହସିଲଦାର ଜୟଶ୍ରୀ ମଲ୍ଲିକ ସେମାନଙ୍କ ସହ ଆଲୋଚନା କରି କହିଥିଲେ ଯେ,କରୋନା ମହାମାରୀ ସମୟରେ ଏତେ ସଂଖ୍ୟକ ଗ୍ରାମବାସୀ ନ ଆସି ଜଣେ ଦୁଇଜଣ ଆସି ଦାବୀପତ୍ର ଦେବା କଥା। ଏହି ଘଟଣା କୁ ଗୁରୁତ୍ବର ସହନେଇ ତୁରନ୍ତ ତଦନ୍ତ କରି ସମାଧାନ କରିବେ।ଆସିଥିବା ଗ୍ରାମବାସୀ କହିଛନ୍ତି ଯେ,ତୁରନ୍ତ ଏହାର ସମାଧାନ ନ ହେଲେ ଆମେ ରାଜରାସ୍ତା ଓହ୍ଲାଇ ଆନ୍ଦୋଳନାତ୍ମକପନ୍ଥା ଗ୍ରହଣ କରିବୁ। ଏହି ଦାବୀପତ୍ର ପ୍ରଦାନ ସମୟରେ ସୁଲୁଡି ମୌଜାର ଶତାଧିକ ଗ୍ରାମବାସୀ ଉପସ୍ଥିତ ଥିଲେ। ରିପୋର୍ଟ – ନବୀନ ନାୟକ ବେହେରା ।