ଆଧୁନିକତାର ଭିତରେ ହଜିଗଲାଣି ଶଗଡ଼ ଓ ହଳଲଙ୍ଗଳ।

0 262

ବୋଲଗଡ଼,୨୨/୧୧(ପିପିଟି): ସମୟ ବଡ଼ ବଳବାନ ,ସମୟର କସଟି ପଥରରେ ଆମ ଚାରିପାଖୁ ହଜିଯାଇଛି ଅନେକ କିଛି । ଗାଁ କ୍ଷେତରେ ଆଗଭଳି ଆଉ ହଳ ଲଙ୍ଗଳ ଆଉ ଦିସୁନି କି ଶଗଡ଼ ଚକର ଶବ୍ଦ ଓ ବଳଦଙ୍କ ହମ୍ବାରଡି ଆଉ ଶୁଭୁନି । ଆଧୁନିକତାର ଚାକଚକ୍ୟରେ ପୁରୁଣା କାଳିଆ ଶଗଡ଼ ଓ ହଳ ଲଙ୍ଗଳର ସ୍ଥାନ ନେଲାଣି ଆଧୁନିକ ଯନ୍ତ୍ରପାତି ।ସକାଳ ପାଇଲେ ପୂର୍ବ ଆକାଶରେ ସୂର୍ଯ୍ୟଙ୍କ କିରଣ ପଡୁ ପଡୁ ଗାଁ ଦାଣ୍ଡରେ ପଛକୁ ପଛ ଚାଲିଥାନ୍ତି ଚାଷୀ । ମୁଣ୍ଡରେ ଠେକା, ହାତରେ ପାଞ୍ଚଣ ଆଉ ଆଗେ ଆଗେ ବଳଦ ବନ୍ଧା ହଳ ଲଙ୍ଗଳ । ଖୁସି ମନରେ ଚଷା ପୁଅ କ୍ଷେତରେ କାମ କରି ସୂର୍ଯ୍ୟାସ୍ତ ପୂର୍ବରୁ ଘରକୁ ଫେରେ । ମାତ୍ର ଆଜି ଆଉ କ୍ଷେତରେ ହଳ ଲଙ୍ଗଳ ଦିସୁନି ସେଠି ଘୁରୁଛି ନାଲି ନେଳି ରଙ୍ଗର ଟ୍ରାକ୍ଟର । ଘର ଘର ଶବ୍ଦରେ କାନ ତାବଦା ହେଉଛି । ଆଗରୁ ବାହାରୁଚି ଭକ ଭକ କଳା ଧୂଆଁ । ପ୍ରଦୂଷଣରେ ରୁନ୍ଧି ହେଇଯାଉଛି ଜୀବନ । ଚାଷୀ ବାପୁଡା ବା କଣ କରିବ ସମୟର ପ୍ରଚଣ୍ଡ ଆହ୍ୱାନ ଆଗରେ ସେ ହାର ମାନିଛି । କସରା କାଳିଆ ବଳଦଙ୍କ ସହ ତା ଆତ୍ମୀୟତାରେ ପଡିଛି ଭଟା। ସମାନ ଅବସ୍ଥା ଶଗଡ଼ର । ଶଗଡରେ କ୍ଷେତରୁ ନା ଆଉ କଳେଇ ବୁହା ହେଉଛି ନା ସୁନାନାଖି ବୋହୁ ବାପ ଘରୁ ଭାର ନେଇ ଶାଶୂଘର ଯାଉଛି । ଶଗଡ଼ିଆର ସ୍ୱର ଆଉ କାନକୁ ଶୁଭୁନି କି ଶଗଡ଼ ଦଣ୍ଡାରେ ବସି ପିଲାମାନେ ଢ଼ିପିଢ଼ିପା ଖେଳୁନହାନ୍ତି । ଏବେ ଦାଣ୍ଡରେ ଶଗଡ଼ ଗଡ଼ିବା ବଦଳରେ ପିଣ୍ଡାରେ ଶୋଭା ପାଉଛି । ଏହାର କୂପରିଣାମ ମଣିଷ ଭୋଗି ପ୍ରଦ୍ୟୁଷଣର ବିଷକୁ ନିଜେ ନେଉଛି । ସେହିପରି ଗୋ ବଂଶ ହ୍ରାସ କାରଣରୁ ଜୈବିକ ସାରରୁ ବଞ୍ଚିତ ହେଉଛି ମାନବ ସମାଜ । ମଣିଷ ଆଧୁନିକତାର ଶୀର୍ଷରେ ପହଞ୍ଚୁ କିନ୍ତୁ ପାରମ୍ପରିକ ଓ ପ୍ରାଚୀନ ବ୍ୟବସ୍ଥା ଅଭ୍ୟାସରୁ ଦୁରେଇ ନଯାଉ । ଆଧୁନିକତା ଓ ପାରମ୍ପରିକତା ମଧ୍ୟରେ ସମତୁଲ ରହିଲେହିଁ ମଣିଷ ଜୀଇଁବ ସୁସ୍ଥ ଓ ସୁଖୀ ଜୀବନ ।

(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)

Leave A Reply

Your email address will not be published.