ମାଲକାନଗିରି,୧୧/୦୪(ପିପିଟି):ବର୍ତ୍ତାମାନ ଗ୍ରୀଷ୍ମ ଋତୁ ଚାଲିଛି ।ଚାରିଆଡେ ଗ୍ରୀଷ୍ମର ଲହରୀ ଚାଲିଛି । ତୃଷାନିବାରଣ ଲାଗି ଲୋକମାନେ ବିଭିନ୍ନ ପନ୍ଥା ଅବଲମ୍ବନ କରିଥାନ୍ତି । ପୋଷାକ ପରିଛେଦ ଠାରୁ ଆରମ୍ଭ କରି ଖାଦ୍ଯ ପାନୀୟରେ ମଧ୍ଯ ପରିବର୍ତ୍ତନ ଦେଖା ଦେଇଛି । ଏବେ କାକୁଡି,ତରଭୂଜ,ପଇଡ,ଦହି,ଚହ୍ଲା,ଲସି,ଲେମ୍ବୁ ପଣା,ମିଶ୍ରି ପାଣି, ବେଲପଣା,ଫଳରସ, ପଖାଳଭାତ ଆଦି ଖାଇବାକୁ ଲୋକେ ପସନ୍ଦ କରନ୍ତି । ସେହିପରି ତାଳ ସଜ ଏବଂ ତାଳ ରସର ଭୂମିକା ଗ୍ରୀଷ୍ମ ଦିନେ ଲୋକମାନଙ୍କ ପସନ୍ଦ ରହିଥାଏ ।ବିଶେଷ କରି ଆଦିବାସୀ ଅଧ୍ଯୁସିତ ଜିଲ୍ଲାଗୁଡିକରେ ତାଳ ଗଛ ବହୁଳ ସଂଖ୍ଯାରେ ଦେଖା ଯାଏ । ତନ୍ମଧ୍ଯରୁ ମାଲକାନଗିରି ଜିଲ୍ଲା ଅନ୍ଯତମ । ମାଲକାନଗିରି ଜିଲ୍ଲାର ଗୋବିନ୍ଦପଲ୍ଲୀ,ମାଥିଲି,ପାଙ୍ଗାମ,ପାଣ୍ଡ୍ରିପାଣି,ମାଲକାନଗିରି,କାଲିମେଳା,ଏମଭି-୭୯,ପଡିଆ,ମୋଟୁ,ବାଲିମେଳା,କୋରୁକୋଣ୍ଡା,ଖଇରପୁଟ,ଚିତ୍ରକୋଣ୍ଡା,କୁଡୁମୁଲଗୁମ୍ମା ଆଦି ସ୍ଥାନକୁ ତାଳ ସଜ ବିକ୍ରୟ କରିବାକୁ ଆଦିବାସୀମାନେ ଆସିଥାନ୍ତି ।ମାଲକାନଗିରି ସଦରମହକୁମାକୁ ତୁମୁସାପଲ୍ଲୀ,ଚାଲାଣଗୁଡା,ତମସା,ଗୌଜଗୁଡାଗ୍ରାମର ଆଦିବାସୀମାନେ ତାଳ ସଜ ବେପାର କରିବାକୁ ଆସିଥାନ୍ତି । ଏମାନେ ସକାଳୁ ସକାଳୁ ମାଲକାନଗିରି ସଦର ମହକୁମାକୁ ଆସି ବିକ୍ରି କରିଥାନ୍ତି ଓ ତାଳ ସଜ ବିକ୍ରି ଶେଷ ହେଲା ପରେ ଘରକୁ ଫେରନ୍ତି । ତାଳ ଫଳ କାଟିବା ପାଇଁ କଟୁରୀ ଏବଂ ବସ୍ତାରେ ବସ୍ତାଏ ତାଳ ଫଳ ସାଇକଲ ବା ମଟର ସାଇକଲରେ ଲଦି ବଜାପକୁ ଆଣିଥାନ୍ତି । ବର୍ତ୍ତମାନ ସାତଟି ତାଳ ସଜକୁ ୨୦ ଟଙ୍କାରେ ବିକ୍ରି କରିଥାନ୍ତି । ତାଳ ଗ୍ରୀଷ୍ମ ଋତୁରେ ସମସ୍ତଙ୍କର ପ୍ରିୟ । କଅଁଳ ତାଳ ସଜ ଖାଇବାକୁ ମିଠା । ଏଣୁ ପିଲା ଠାରୁ ବୁଢା ଏହି ତାଳ ସଜକୁ ଖାଇବା ପାଇଁ ଚୈତ୍ର ମାସକୁ ଅପେକ୍ଷା କରିଥାନ୍ତି । ତାଳ ଫଳ ଓଡିଶା ସମସ୍ତ ଜିଲ୍ଲାରେ ଉଣା ଅଧିକା ଚୈତ୍ର ଓ ବୈଶାଖ ଦୁଇ ମାସରେ ଉପଲବ୍ଧ ହୋଇଥାଏ । ତାଳ ଫଳ ବୁଢା ହୋଇଗଲେ ଏହା ଖାଦ୍ଯୋପଯୋଗୀ ହୋଇନଥାଏ । ଏଣୁ କଅଁଳ ତାଳକୁ ଗଛରୁ କଢାଯାଇଥାଏ । ତାଳ ଗଛ ଚଢିବା କଷ୍ଟକର ହୋଇଥାଏ । ଦକ୍ଷତା ନଥିବା ଲୋକ ତାଳ ଗଛ ଚଢିବା ସହଜ ସାଧ୍ଯ ନୁହେଁ । କାରଣ ତାଳ ଗଛରେ ଶାଖା ପ୍ରଶାଖା ନଥିବାରୁ ଗଛରୁ ପଡି ମରିବାର ଭୟ ବେଶିଥାଏ । ବେଳେବେଳେ ଅସାବଧାନତା ଯୋଗୁଁ ତାଳ ଗଛରୁ ପଡି ଚଢାଳୀ ମୃତ୍ଯୁ ବରଣ କରିଥାଏ । ସାବିତ୍ରୀ ଅମାବାସ୍ଯାରେ ତାଳ ଫଳର ଚାହିଦା ବେଶି । କାରଣ ସାବିତ୍ରୀ ଅମାବାସ୍ଯାରେ ତାଳ ସଜ ପୂଜାରେ ଲାଗିଥାଏ । କେବଳ ଯେ ଆଦିବାସୀମାନେ ତାଳ ସଜ ବିକ୍ରୟ କରିନଥାନ୍ତି, ସେମାନେ ତାଳ ଗଛର ଭଣ୍ଡାକୁ କାଟି ତାଳ ରସ ମାଟି ଠେକା ଗଛରେ ବାନ୍ଧି ସଂଗ୍ରହ କରିଥାନ୍ତି । ତାଳରସ ପାନ କଲେ ମିଠା ଲାଗିବା ସହ ଗ୍ରୀଷ୍ମ ଦିନେ ତୃଷା ନିବାରଣ କରିଥାଏ । ଏହି ତାଳ ରସକୁ ମଧ୍ଯ ଆଦାସୀ ମହିଳାମାନେ ବିକ୍ରୟ କରି ଦୁଇ ପଇସା ଉପାର୍ଜନ କରିଥାନ୍ତି । କେହି କେହି ତାଳ ରସରୁ ଗୁଡ ପ୍ରସ୍ତୁତ କରିଥାନ୍ତି । ଏହା ବ୍ଯତୀତ ତାଳ ବରଡା ଦ୍ବାରା ଆଦିବାସୀମାନଙ୍କ ଘର ଛପର ହୋଇଥାଏ । ତାଳ ବଉଙ୍ଗରୁ ରଶି ପ୍ରସ୍ତୁତ କରାଯାଇ ବାଡ ବତା ବନ୍ଧା ଯାଇଥାଏ । ତାଳ ଗଛକୁ ଗଡି କରାଯାଇ ଘର ନିର୍ମାଣ କରାଯାଇଥାଏ । ତେବେ ଆଦିବାସୀ ସମାଜରେ ତାଳ ବୃକ୍ଷର ଭୂମିକା ଅତୁଳନୀୟ ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)
Prev Post