ମାଲକାନଗିରି,୦୪/୦୫(ପିପିଟି): ମାଲକାନଗିରି ଜିଲ୍ଲା ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥାରେ ପ୍ରକଳ୍ପ ଅଧିକାରୀ ପଦବୀ ଭାବେ ଆଜି କାର୍ଯ୍ଯରେ ଯୋଗ ଦେଇଛନ୍ତି ତ୍ରିନାଥ ମାଝି । ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି। ଗତ ଏକ ମାସ ହେଲା ଏହି ସଂସ୍ଥାର ପ୍ରକଳ୍ପ ଅଧିକାରୀଙ୍କ ବଦଳି ମାଲକାନଗିରି ଡିଆରଡିଏକୁ ହେବା ପରେ ଆଇଟିଡିଏକୁ କେହି ଅଧିକାରୀ ଆଜି ପର୍ଯ୍ୟନ୍ତ ନିଯୁକ୍ତି ହୋଇନଥିବା ବେଳେ ଉପଜିଲ୍ଲାପାଳଙ୍କୁ ଅତିରିକ୍ତ ଦାୟୀତ୍ବ ନିର୍ବାହ କରୁଥିଲେ।ବର୍ତ୍ତମାନ ଜିଲ୍ଲାର ସମସ୍ତ ଆଦିବାସୀ ସ୍କୁଲ ଓ ହୋଷ୍ଟେଲ ଗୁଡିକ ଖୋଲିଥିବା ବେଳେ ଏହାର ମରାମତି ଓ ଉନ୍ନତି କରିବା ପାଇଁ ଏହି ବିଭାଗ ତରଫରୁ ସମସ୍ତ ପ୍ରସ୍ତୁତି କରାଯାଇଥାଏ। କିନ୍ତୁ ପ୍ରକଳ୍ପ ଅଧିକାରୀ ନଥିବାରୁ ଉନ୍ନୟନ କାର୍ଯ୍ଯ ଠପ ହୋଇ ପଡିଥିଲା। ଗତ ଏକ ମାସ ତଳେ ହଠାତ ଏହି ସଂସ୍ଥାର ପ୍ରକଳ୍ପ ଅଧିକାରୀଙ୍କୁ ଅଚାନକ ସରକାର ବଦଳି କରିବା ପରେ ଏହି ସଂସ୍ଥା ଅଧିକାରୀ ଶୂନ୍ୟ ହୋଇଯାଇଛି। ଜିଲ୍ଲାର ଆଦବାସୀ ମାନଙ୍କୁ ଆତ୍ମ ନିର୍ଭରଶୀଳ କରାଇବା ସହ ସେମାନଙ୍କର ଜୀବନ ଜୀବିକା ଉପରେ ମଧ୍ୟ ଏହି ସଂସ୍ଥା ତରଫରୁ କାମ କରାଯାଇଥାଏ। ଏଥିସହ ଜିଲ୍ଲାର ବିକାଶ କ୍ଷେତ୍ରରେ ଏହି ସଂସ୍ଥା କୋଟି କୋଟି ଟଙ୍କା ଖର୍ଚ୍ଚ କରିଥାଏ। ବର୍ତ୍ତମାନ ଜିଲ୍ଲାରେ ୧୫ରୁ ଊର୍ଦ୍ଧ୍ବ କୋଟି ଟଙ୍କାର କାମ ଚାଲିଛି।ତେବେ ଆଜି ନୂତନ ପ୍ରକଳ୍ପ ଅଧିକାରୀ ତ୍ରିନାଥ ମାଝି ଜିଲ୍ଲାପାଳ ବିଶାଳ ସିଂଙ୍କୁ ସୌଜନ୍ଯ ମୂଳକ ଭାବେ ସାକ୍ଷାତ କଲା ପରେ ମାଲକାନଗିରି ଆଇଟିଡିଏରେ ଯୋଗ ଦେଇଛନ୍ତି । ସେଠାରେ ଥିବା କର୍ମଚାରୀମାନେ ତାଙ୍କୁ ସ୍ବାଗତ କରିଥିଲେ । ପ୍ରକାଶ ଥାଉ କି ଶ୍ରୀ ମାଝି ପୂର୍ବରୁ ମାଲକାନଗିରି ଜିଲ୍ଲାର ପଡିଆ ବ୍ଲକରେ ବିଡିଓ ରୂପେ ଦାୟିତ୍ବ ନିର୍ବାହ କରିଥିଲେ ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)