ମାଲକାନଗିରି,୧୫/୧୨(ପିପିଟି): ମାଲକାନଗିରି ସଦର ମହକୁମାସ୍ଥିତ ଆରଏମସି ପ୍ରାଙ୍ଗଣରେ ୨୦୨୧/୨୨ ଖରିଫ ବର୍ଷ ପାଇଁ ଜିଲ୍ଲା ସ୍ତରୀୟ ଧାନ ସଂଗ୍ରହ ପାଇଁ ମଣ୍ଡିର ଶୁଭାରମ୍ଭ କରାଯାଇଛି । ଏହି କାର୍ଯ୍ଯକ୍ରମରେ ଅତିରିକ୍ତ ଜିଲ୍ଲାପାଳ ବୀରସେନ ପ୍ରଧାନ ମୁଖ୍ଯ ଅତିଥି ଭାବେ ଯୋଗ ଦେଇ ମଣ୍ଡିକୁ ଶୁଭ ଉଦଘାଟନ କରିଥିଲେ । ଅନ୍ଯମାନଙ୍କ ମଧ୍ଯରେ ଉପ-ଜିଲ୍ଲାପାଳ ଅକ୍ଷୟ କୁମାର ଖେମୁଣ୍ଡୁ,ଜିଲ୍ଲା ଯୋଗାଣ ଅଧିକାରୀ ଅଜୟ କୁମାର ରଥ,ଆରଏମସି ସଂପାଦକ ଗୁରୁ ଚରଣ ନାୟକ,ଏସିଏସଓ ପ୍ରଦୀପ ଦାଶ,ମାଲକାନଗିରି ବ୍ଲକ ଯୋଗାଣ ନିରୀକ୍ଷକ ପ୍ରଭାରଞ୍ଜନ ମହାନ୍ତି, ମାଲକାନଗିରି ପୌରାଞ୍ଚଳ ଯୋଗାଣ ନିରୀକ୍ଷକ କୁମୁଦ ଗୋମାଙ୍ଗ ପ୍ରମୁଖ ଯୋଗ ଦେଇଥିଲେ । ଚଳିତ ଖରଫ ବର୍ଷ ପାଇଁ ପ୍ରଥମ କିସ୍ତିରେ ମାଲକାନଗିରି ଜିଲ୍ଲାରୁ ୯ ଲକ୍ଷ ୩୫ ହଜାର କ୍ବିଣ୍ଟାଲ ଧାନ ୬୫ ଗୋଟି ମଣ୍ଡିରୁ ସଂଗ୍ରହ କରାଯିବ । ଗତ ବର୍ଷ ମାଲକାନଗିରି ଜିଲ୍ଲାରୁ ୧୧ ଲକ୍ଷ ୭୦ ହଜାର କ୍ବିଣ୍ଟାଲ ଧାନ ସଂଗ୍ରହ କରାଯାଇଥଲା । ଏହି ଧାନ ୮ଗୋଟି ଲ୍ଯାମ୍ପ ବିଭିନ୍ନ ମଣ୍ଡିରୁ ଧାନ କ୍ରୟ କରିବେ । ଚାଲାଣଗୁଡା ପଞ୍ଚାୟତରୁ ଏକ ମାତ୍ର ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଧାନ କ୍ରୟ କରିବାକୁ ଅନୁମତି ପାଇଥିବା ବେଳେ ଅନ୍ଯ କୌଣସି ନୂତନ ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ଧାନ କ୍ରୟ ଲାଗି ଅନ୍ତର୍ଭୁକ୍ତ କରାଯାଇ ନାହିଁ । ଗତ ବର୍ଷ ସାଧାରଣ କିସମ ଧାନର ମୂଲ୍ଯ କ୍ବିଣ୍ଟାଲ ପିଛା ୧୮୬୪/ଟଙ୍କା ଧାର୍ଯ୍ଯ କରାଯାଇବା ବେଳେ ଚଳିତ ଖରିଫ ବର୍ଷରେ କ୍ବିଣ୍ଟାଲ ପିଛା ସାଧାରଣ କିସମ ଧାନର ମୂଲ୍ଯ ୧୯୪୦/ଟଙ୍କା ସରକାରୀ ଭାବେ ଧାର୍ଯ୍ଯ କରାଯାଇଛି । ଆଜି ମାଲକାନଗିରି ଜିଲ୍ଲାରେ ଥିବା ୧୪ ଗୋଟି ମଣ୍ଡିକୁ ଶୁଭାରମ୍ଭ କରାଯାଇଥିବା ବେଳେ ଧାନ ସଂଗ୍ରହ କାର୍ଯ୍ଯକ୍ରମ ଜାରି ରହିଛି । ଜଣେ ଚାଷୀ ଜଳ ସେଚିତ ଏକ ଏକର ଜମିରୁ ୧୯ କ୍ବିଣ୍ଟାଲ ଧାନ ଏବଂ ଅଣ ଜଳ ସେଚିତ ଏକ ଏକର ଜମିରୁ ୧୩ କ୍ବଣ୍ଟାଲ ଧାନ ବିକ୍ରୟ କରି ପାରିବ । ସେହି ପରି ଜଣେ ଚାଷୀ ଧାନ ମଣ୍ଡିରେ ସର୍ବାଧିକ ୭୫ କ୍ବିଣ୍ଟାଲ ଧାନ ଦିନକୁ ବିକ୍ରୟ କରି ପାରିବ ବୋଲି ଜିଲ୍ଲା ଯୋଗାଣ ଅଧିକାରୀ ଶ୍ରୀ ରଥ ପ୍ରକାଶ କରିଛନ୍ତି । ଜିଲ୍ଲାରେ ୩୮୫୨୪ ଜଣ ଚାଷୀ ଧାନ ବିକ୍ରୟ ଲାଗି ନାମ ପଞ୍ଜୀକରଣ କରିଥିବା ଜଣା ପଡିଛି । ୨୭ ଗୋଟି ମିଲର ବିଭିନ୍ନ ମଣ୍ଡିରୁ ଧାନ ସଂଗ୍ରହ କରି ମିଲକୁ ଆଣିବାର ବ୍ଯବସ୍ଥା କରାଯାଇଛି ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ,ମାଲକାନଗିରି)
Next Post