ମାଲକାନଗିରି,୦୨/୧୨(ପିପିଟି): ପ୍ରତି ବର୍ଷ ପରି ଆଜି ଠାରୁ ନକ୍ସଲମାନେ ପିଏଲଜିଏ ସପ୍ତାହ ପାଳନ କରିବାକୁ ଆରମ୍ଭ କରିଛନ୍ତି । ଡିସେମ୍ବର ୦୨ ତାରିଖ ଠାରୁ ଆସନ୍ତା ୦୮ ତାରିଖ ପର୍ଯ୍ୟନ୍ତ ଏହି ସପ୍ତାହ ପାଳନ କରିବା ଲାଗି ନକ୍ସଲମାନେ ଆହ୍ୱାନ ଦେଇଛନ୍ତି। ଜିଲ୍ଲାର ଦୁର୍ଗମ ଅଞ୍ଚଳରେ ପୋଷ୍ଟର ଏବଂ ବ୍ୟାନର ମାରି ପିଏଲଜିଏ ସପ୍ତାହକୁ ପାଳନ କରିବାକୁ ନିର୍ଦ୍ଦଶ ଜାରି କରିଛନ୍ତି।ପିଏଲଜିଏ ସପ୍ତାହକୁ ଦୃଷ୍ଟିରେ ରଖି ଜିଲ୍ଲା ପୋଲିସ. ମାଲକାନଗିରି ଜିଲ୍ଲାର ସମସ୍ତ ସୀମାକୁ ସିଲ କରି ଗମନାଗମନ ଉପରେ ତୀକ୍ଷଣ ନଜର ରଖିଛି। ବିଭିନ୍ନ ସନ୍ଦିଗ୍ଧ ଅଞ୍ଚଳରେ ବିଏସଏଫ,ଏସଓଜି,ଡିଭିଏଫ ଯବାନମାନେ ଜୋରଦାର କୁମ୍ବିଂ ଅପରେସନକୁ ତ୍ବରାନ୍ମିତ କରୁଥିବା ଦେଖିବାକୁ ମିଳିଛି। ସୀମାରେ ଅଚିହ୍ନା ଲୋକଙ୍କର ଯାନବାହାନ ଯାଞ୍ଚ କରାଯାଉଛି। କୌଣସି ଅପ୍ରୀତିକର ଘଟଣାକୁ ଏଡାଇବା ପାଇଁ ପୋଲିସ ବିଭାଗର ଗୁଇନ୍ଦା ସଂସ୍ଥାକୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ନକ୍ସଲଙ୍କ ପିଏଲଜିଏ ସପ୍ତାହ ପାଳନ ସମୟରେ ଯେ କୌଣସି ମାଓ ହିଂସା ହେବାର ସମ୍ଭାବନାକୁ ଏଡାଇ ଦିଆଯାଇ ନପାରେ। ତେଣୁ ଦୁର୍ଗମ ଅଞ୍ଚଳରେ ଲୋକମାନେ ଭୟ ଓ ଆତଙ୍କରେ ରହିଥିବା ଦେଖିବାକୁ ମିଳିଛି। ମାଓବାଦୀଙ୍କୁ ନଡରି ଯାନବାହାନ ନିର୍ଭୟରେ ମାଲକାନଗିରିର ଯେ କୌଣସି ସ୍ଥାନକୁ ଚଳନା ଅବ୍ଯାହତ ଜାରି ରଖିବା ପାଇଁ ପୋଲିସ ଜନସାଧାରଣଙ୍କୁ ଆହ୍ବାନ କରିଛି। ସୂଚନାଯୋଗ୍ୟ ଯେ ପିଏଲଜିଏ ସପ୍ତାହ ପାଳନ ଯୋଗଁ ମାଲକାନଗିରି ଜିଲ୍ଲାକୁ ସରକାରୀ ବସ ଗୁଡିକର ଯାତାୟତକୁ ବାତିଲ କରି ଦିଆ ଯାଇଛି । ଅନ୍ୟଦିଗରେ ପୁଲିସ ସ୍ୱାଭିମାନ ଅଞ୍ଚଳରେ ନକ୍ସଲଙ୍କୁ ଦମନ କରିବା ପାଇଁ ବିଏସଏଫ କ୍ୟାମ୍ପଗୁଡିକ ପ୍ରତିଷ୍ଠା କରୁଛି। ସ୍ୱାଭିମାନ ଅଂଚଳର ୭ଟି ସ୍ଥାନରେ ବିଏସଏଫ କ୍ୟାମ୍ପ ପ୍ରତିଷ୍ଠା କରାଯାଇଥିବା ବେଳେ ଆହୁରି ବିଏସଏଫ କ୍ୟାମ୍ପ ପ୍ରତିଷ୍ଠା ନେଇ ଆଲୋଚନା ଚାଲିଥିବା ଜଣାପଡିଛି। ସ୍ୱାଭିମାନ ଅଂଚଳରେ ନକ୍ସଲକୁ ଦମନ କରିବା ନେଇ ପୁଲିସର ଲଗାତାର ସଫଳତାରେ ନକ୍ସଲ ହିଂସାତ୍ମକ ହୋଇପଡିଛନ୍ତି। ନକ୍ସଲଙ୍କ ଗତିବିଧିକୁ ରୋକ ଲଗାଇବାରେ ସୁରକ୍ଷାକର୍ମୀ ଦିନରାତିକୁ ଏକ କରିଦେଇଛନ୍ତି। ଜାନବାଇ ଠାରୁ ଆରମ୍ଭ କରି ଗୋରାସେତୁ ପର୍ଯ୍ୟନ୍ତ ବିଏସଏଫ କ୍ୟାମ୍ପ ପ୍ରତିଷ୍ଠା କରାଯାଇଥିବା ବେଳେ ଏହି ଅଂଚଳରେ ନକ୍ସଲଙ୍କ ଗତିବିଧି ଏକ ପ୍ରକାର ଠପ୍ ହୋଇଯାଇଛି।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ,ମାଲକାନଗିରି)