ବ୍ରହ୍ମପୁର,୧୪/୧୨: ଦୀର୍ଘ ଦିନର ନୀରବତା ପରେ ସରକାରୀ କରୋନା କଟକଣା ମୁକ୍ତ ହେତୁ ନାଟ୍ୟଋତୁଟିକୁ ଅତ୍ୟନ୍ତ ଉତ୍ସାହପୂର୍ଣ୍ଣ ସହକାରେ ପାଳନ ପାଇଁ ଆଖଡ଼ାଶାଳ ଗୁଡ଼ିକ ସମ୍ପ୍ରତି ଚଳଚଞ୍ଚଳ ହୋଇ ଉଠୁଥିବା ପରିଲକ୍ଷିତ । ଜିଲ୍ଲାର ସଦର ମହକୁମା ଛତ୍ରପୁର ସହର ନିକଟବର୍ତ୍ତୀ ଅଗସ୍ତି ନୂଆ ଗାଁ ସ୍ଥିତ ଅଗସ୍ତୀଶ୍ଵର ନାଟ୍ୟ ସଂସଦର ଆଖଡ଼ାଶାଳ ସଜବାଜ ହେଉଛି ନୂଆ ବର୍ଷରେ ନୂଆ ନାଟକଟେ ପାଇଁ । ନାଟ୍ୟ-ବିଦ୍ୟା-ବୁଦ୍ଧ ପ୍ରଫୁଲ୍ଲ ବେହେରାଙ୍କ ରଚିତ ତଥା ନାଟ୍ୟ-ସୂର୍ଯ୍ୟ ଦେବେନ୍ଦ୍ର ପ୍ରସାଦ ଶର୍ମାଙ୍କ ନିର୍ଦ୍ଦେଶନା ନିମନ୍ତେ ଉଦ୍ଦିଷ୍ଟ ନାଟକ “ଯୋଉଁ ରାତିର ସକାଳ ନାହିଁ”ର ପୋଥି ପୂଜା ଆନନ୍ଦ ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଗ୍ରାମ୍ୟ ସଭାପତି ଅକ୍ଷୟ କୁମାର ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସାଂସ୍କୃତିକ କାର୍ଯ୍ୟକ୍ରମରେ ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ ସଚିବ ସୁବାସ ଚନ୍ଦ୍ର ସାହୁ ରୋଶନ୍ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଓଡ଼ିଆ ନାଟ୍ୟ ସଂସ୍କୃତି ବିଭବକୁ ଅଭିବୃଦ୍ଧି କ୍ଷେତ୍ରରେ ଗ୍ରାମ୍ୟ ନାଟ୍ୟଶାଳା ଗୁଡ଼ିକର ଭୂମିକା ଅତୀବ ଗୁରୁତ୍ୱପୂର୍ଣ୍ଣ ହେତୁ ଏହି ଆଖଡ଼ାଶାଳ ଗୁଡ଼ିକ ପ୍ରତି ସଂସ୍କୃତି ବିଭାଗ ସ୍ବତନ୍ତ୍ର ଦୃଷ୍ଟି ଦେବା ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ । ଏହି ଅବରରେ ଉଭୟ ନାଟ୍ୟକାର ଓ ନିର୍ଦ୍ଦେଶକଙ୍କ ସହ ବରିଷ୍ଠ ନାଟ୍ୟ ସଂଗଠକ ତଥା ସୁନାମଧନ୍ୟ ମଞ୍ଚ ଅଭିନେତା ପ୍ରଦୀପ କୁମାର ନାୟକ ସମ୍ମାନିତ ଅତିଥି ଭାବେ ଯୋଗଦେଇ ନାଟକଟି ନୂଆ ବର୍ଷରେ ଦକ୍ଷିଣ ଓଡ଼ିଶା ମଞ୍ଚ କଳାକାର ସମ୍ମିଳନୀ ଆୟୋଜିତ ନାଟକ ପ୍ରତିଯୋଗିତାରେ ଅଂଶ ଗ୍ରହଣ ନେଇ ସୂଚନା ଦେଇଥିଲେ । ନାଟ୍ୟ ସାଂସଦ ସମ୍ପାଦକ ନିବାସୀ ଗୌଡ ସ୍ବାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ପୋଥି ପୂଜା ଓ ଆଖଡ଼ା ପରିଚାଳନା କ୍ଷେତ୍ରରେ ସୁରେନ୍ଦ୍ର ନାହାକ, ଶିବ ସେନାପତି, ଗୁରେନ୍ଦ୍ର ନାହାକ ସହଯୋଗ କରିଥିବା ବେଳେ ପରିଶେଷରେ ସଦାନନ୍ଦ ଷଡ଼ଙ୍ଗୀ ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ ।