ଆଇନାନୁମୋଦିତ ପନ୍ଥା ଅବଲମ୍ବନ ନକରି ବସ୍ତି ଉଛେଦ ଅଭିଯାନ ବିରୁଦ୍ଧରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଫେରାଦ ହୋଇଛନ୍ତି ରେଗେଡି ବସ୍ତିବାସିନ୍ଦା ।
ଭୁବନେଶ୍ୱର, ୦୮/୦୨(ପିପିଟି);କୌଣସି ପ୍ରକାର ଆଇନାନୁମୋଦିତ ପନ୍ଥା ଅବଲମ୍ବନ ନକରି ବିଡିଏ ପକ୍ଷରୁ ବସ୍ତି ଉଛେଦ ଅଭିଯାନ ବିରୁଦ୍ଧରେ ଆଜି ତା ୮ ଫେବୃଆରୀରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଯାଇ କଳାରାହାଙ୍ଗ ଗ୍ରାମ ପଂଚାୟତ ୱାର୍ଡ ନଂ ୮ ରେଗେଡି ବସ୍ତି ଅଞ୍ଚଳରେ ରହୁଥିବା ଭୂମିହୀନ ଶ୍ରମଜୀବୀ ପରିବାରଙ୍କ ପକ୍ଷରୁ ଲିଖିତ ଅଭିଯୋଗ କରିଛନ୍ତି। ଗତ ୪ ଫେବୃଆରୀରେ ଏହି ଗରୀବ ପରିବାର ମାନଙ୍କ ଘର ବଳପୂର୍ବକ ଭାଙ୍ଗିବାକୁ ବିଡିଏ, ବିଏମସିର ମିଳିତ ଉଛେଦକାରୀ ଦଳ ଆସିଥିଲେ। ବହୁ କାକୁତି ମିନତୀ ପରେ ସେମାନଙ୍କୁ ବାଧ୍ୟକରି ୭ ଦିନ ଭିତରେ ଆମେ ନିଜେ ନିଜେ ଘର ଛାଡ଼ି ଚାଲିଯିବୁ ବୋଲି ଏକ ଆବେଦନ ପତ୍ର ଉପରେ ଦସ୍ତଖତ କରାଇ ଚାଲିଯାଇଥିଲେ। କରୋନା ମହାମାରୀ କଟକଣା ଜନିତ ଲକଡାଉନ ସଟଡାଉନ ଫଳରେ ଗତ ୧୧ ମାସ ଧରି ରୋଜଗାର ହରାଇ ଭୋକ ଉପାସରେ ପଡିଥିବା ବେଳେ ଅଚାନକ ଘର ଭଙ୍ଗା ବେଡ଼ି ଉପରେ କୋରଡା ମାଡ଼ ସଦୃଶ ବୋଲି ରେଗେଡି ବସ୍ତିବାସିନ୍ଦା ଅଭିଯୋଗ କରିଛନ୍ତି। ଏହାପୂର୍ବରୁ ସେମାନଙ୍କୁ କୌଣସି ନୋଟିସ ଦିଆଯାଇନଥିଲା। ସ୍ୱାଭାବିକ ନ୍ୟାୟ ପ୍ରକ୍ରିୟା ଅନୁସରଣ କରାଯାଇନାହିଁ। ଗୋଟିଏ ପଟରେ ସରକାର ବସ୍ତିବାସିନ୍ଦାଙ୍କୁ ସହରର ଜୀବନ ରେଖା ଘୋଷଣା କରି ସେମାନଙ୍କୁ ଜମି ଓ ଘର ଯୋଗାଇଦେବାକୁ ଆଇନ ପ୍ରଣୟନ କରିଥିବା ବେଳେ ନିଜେ କରିଥିବା ଆଇନକୁ କୌଣସି ସମ୍ମାନ ନଦେଇ ବିଲଡର ଜମି ମାଫିଆଙ୍କ ସ୍ୱାର୍ଥରେ ବେଆଇନ ଭାବେ ବସ୍ତି ଉଛେଦ ଅଭିଯାନ ଜାରୀ ରଖିଛନ୍ତି। ଆମ ଦେଶର ସମ୍ବିଧାନ ଅନୁସାରେ ପଞ୍ଚାୟତକୁ ସ୍ୱାୟତ ଶାସନ କ୍ଷମତା ଦିଆଯାଇଥିବା ବେଳେ, କଳାରାହାଙ୍ଗ ଗ୍ରାମ ପଞ୍ଚାୟତ ବିଡିଏ ଅଞ୍ଚଳରେ ମିଶ୍ରଣ ସମ୍ପର୍କରେ ବିଧିବଦ୍ଧ ବିଜ୍ଞପ୍ତି ତଥା ପ୍ରକ୍ରିୟା ଗ୍ରହଣ କରାଯାଇନଥିବା ସ୍ଥଳେ ବିଡିଏ ଓ ବିଏମସି ପଂଚାୟତ ଅଞ୍ଚଳରେ ପଶି ବିନା ନୋଟିସରେ ବଳପୂର୍ବକ ଘର ଭାଙ୍ଗିବା ଅତ୍ୟନ୍ତ ଅନ୍ୟାୟ, ଅସାମ୍ବିଧାନିକ ଓ ଅଗଣତାନ୍ତ୍ରୀକ ବୋଲି ବସ୍ତିବାସିନ୍ଦା ତାଙ୍କ ଅଭିଯୋଗ ପତ୍ରରେ ଉଲ୍ଲେଖ କରିଛନ୍ତି। ଏହା ସେମାନଙ୍କର ଏକମାତ୍ର ଆଶ୍ରୟସ୍ଥଳୀ। ଏହି ଘର ଭାଙ୍ଗିଦେଲେ ସେମାନଙ୍କ ଜୀବିକା ଚାଲିଯିବ, ସେମାନେ ଭୋକ ଉପାସରେ ମରିଯିବେ, ପିଲାଛୁଆଙ୍କ ଭବିଷ୍ୟତ ଅନ୍ଧକାର ହୋଇଯିବ ଦର୍ଶାଇ ଏହି ବଳପୂର୍ବକ ଉଛେଦ ମାନବିକ ଅଧିକାର ତଥା ବାସଗୃହ ଅଧିକାରର ଉଲଂଘନ ଏବଂ ଏହା ଭାରତ ସ୍ଵାକ୍ଷର କରିଥିବା ମିଳିତ ଜାତିସଂଘ ଘୋଷଣା ପତ୍ରର ଖୋଲା ଉଲଂଘନ କରୁଛି ଦର୍ଶାଇ ତୁରନ୍ତ ଏଭଳି ବେଆଇନ ଉଛେଦ ଅଭିଯାନ ବନ୍ଦ ରଖିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଲିଖିତ ଭାବେ ଜଣାଇଛନ୍ତି। ଗ୍ରାମ ପଂଚାୟତ ଅଧୀନରେ ବାସ ଜରୁଥିବା ଏହି ଶ୍ରମଜୀବୀ ଭୂମିହୀନ ପରିବାର ମାନଙ୍କୁ ବର୍ତ୍ତମାନ ରହୁଥିବା ଜମିର ପଟା ଯୋଗାଇ ଦେବାକୁ ସେମାନେ ଦାବି କରିଛନ୍ତି। ଏଥିସହ ଯଦି କୌଣସି ସର୍ବସାଧାରଣ ସ୍ୱାର୍ଥ ଦୃଷ୍ଟିରୁ ଉଛେଦ ନିତ୍ୟାନ୍ତ ଜରୁରୀ ଥାଏ ତେବେ ଉଛେଦର ଯଥେଷ୍ଟ ପୂର୍ବରୁ ବିକଳ୍ପ ଥଇଥାନ ଯୋଗେଇ ଦେବାକୁ ସେମାନେ କହିଛନ୍ତି। କଳାରାହାଙ୍ଗ ଗ୍ରାମ ପଂଚାୟତ ଅଞ୍ଚଳ ରେଗେଡି ବସ୍ତିବାସିନ୍ଦାଙ୍କ ପକ୍ଷରୁ ଚିନ୍ମୟୀ ମହାରଣା, ଚନ୍ଦନ ମହାପାତ୍ର, କବିବର ମହାଳିକ, ବାସୁଦେବ ମହାରଣା, କମଳିନୀ ସାହୁ, ସୁମନ୍ତ ନାଏକ, ରୋହିତ କୁମାର ନାୟକ ଆଦିଙ୍କ ନେତୃତ୍ୱରେ ଅର୍ଦ୍ଧ ଶତାଧିକ ବସ୍ତିବାସିନ୍ଦା ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଯାଇ ଅଭିଯୋଗ ପ୍ରକୋଷ୍ଠରେ ଥିବା ଅଧିକାରୀଙ୍କୁ ସାକ୍ଷାତ କରିଥିଲେ। ବର୍ଷିଆନ ଶ୍ରମିକ ନେତା ଦୀନବନ୍ଧୁ ମହାରଣା ସେମାନଙ୍କୁ ସହଯୋଗ କରିଥିଲେ।