ଆଇଏମଏସଟି ଉଚ୍ଚ ବିଦ୍ଯାଳୟରେ ବାର୍ଷିକ ଉତ୍ସବ ।

0 303

ମାଲକାନଗିରି,୨୩/୧୨(ପିପିଟି): ମାଲକାନଗିରି ସହର ତଥା ଜିଲ୍ଲାର ସର୍ବପୁରାତନ ଇଂରାଜୀ ମିଡିୟମ ବିଦ୍ୟାଳୟ ଆଇଏମଏସଟି ଉଚ୍ଚ ବିଦ୍ୟାଳୟର ୪୭ତମ ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ୧୯୭୬ ମସିହାରେ ଆରମ୍ଭ ହୋଇଥିବା ଏହି ବିଦ୍ୟାଳୟରେ ପ୍ରାୟ ୧୧ ଶହରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି ଏବଂ ସେମାନଙ୍କ ପାଇଁ ୫୦ ଉର୍ଦ୍ଧ୍ବ ଶିକ୍ଷକ ଶିକ୍ଷୟିତ୍ରୀ ନିଯୁକ୍ତ ଅଛନ୍ତି। ଏହି ସମାରୋହରେ ମାଲକାନଗିରି ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ମହେଶ୍ୱର ଚନ୍ଦ୍ର ନାୟକ ମୁଖ୍ୟ ଅତିଥି ଭାବରେ ଏବଂ ମାଲକାନଗିରି ତହସିଲଦାର ଚନ୍ଦନ କୁମାର ଭୋଇ ଏବଂ ଅତିରିକ୍ତ ତହସିଲଦାର ଜଗଦିଶ କାର୍ତ୍ତାମୀ ସମ୍ମାନିତ ଅତିଥି ଭାବରେ ଯୋଗଦେଇଥିଲେ ଏବଂ ଛାତ୍ରଛାତ୍ରୀମାନଙ୍କୁ ଉଦବୋଧନ ଦେଇଥିଲେ। ମୁଖ୍ୟ ଅତିଥି ଅତିରିକ୍ତ ଜିଲ୍ଲାପାଳ ଛାତ୍ରଛାତ୍ରୀମାନଙ୍କୁ ଭଲ ପାଠପଢ଼ା ସହିତ ଉତ୍ତମ ଚରିତ୍ର ଗଠନ,କ୍ରୀଡା, ଚିତ୍ରାଙ୍କନ, ନୃତ୍ୟ, ସଙ୍ଗୀତ ଇତ୍ୟାଦି ବିଷୟରେ ମଧ୍ୟ ପାରଙ୍ଗମ ହେବା ପାଇଁ ଉପଦେଶ ଦେଇଥିଲେ। ଏହା ପରେ ଅତିଥିମାନେ ପ୍ରବନ୍ଧ, ସଙ୍ଗୀତ, ବକ୍ତୃତା, ଚିତ୍ରାଙ୍କନ,ରାଇମସ ଏବଂ କୁଇଜ୍ ପ୍ରତିଯୋଗିତାରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ। ଏଥିସହିତ ସିବିଏସଇ,ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ସବୁଠାରୁ ଅଧିକ ନମ୍ବର ରଖିଥିବା ଛାତ୍ରଛାତ୍ରୀ ମାନଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା। ବିଦ୍ୟାଳୟର ପ୍ରିନ୍ସିପାଲ ୱାଇ. ଯୀଶୁଦାସ ବାର୍ଷିକ ବିବରଣୀ ପାଠ କରିଥିଲେ । ଆଇ ଏମଏସଟି ଓଡ଼ିଶା ଓ ଛତିଶଗଡ଼ ଫିଲ୍ଡ କୋଅର୍ଡିନେଟର ତଥା ଯାଯକ ଶିବରାଜ,ଯାଯକ ଡାନିଏଲ ମାନୁଆଲ ରାଜ, ବରିଷ୍ଠ ଶିକ୍ଷକ ଶିବ ପ୍ରସାଦ କିର୍ତ୍ତନୀୟା,ଉପାଧ୍ଯକ୍ଷା ସୁଧାମଣୀ ତାଣ୍ଡି ମଧ୍ୟ ପୁରସ୍କାର ପ୍ରଦାନ କରିଥିଲେ ଏବଂ ଅତିଥିମାନଙ୍କୁ ସ୍ବାଗତ କରିଥିଲେ। ଏହାପରେ ବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କ ଦ୍ବାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବିଦ୍ୟାଳୟର ନର୍ସରୀ ଠାରୁ ଦଶମ ଶ୍ରେଣୀର ଛାତ୍ରଛାତ୍ରୀମାନେ ଓଡ଼ିଶୀ ସହିତ, କୋରାପୁଟିଆ, ସମ୍ବଲପୁରୀ ଏବଂ ଅନ୍ୟାନ୍ୟ ନୃତ୍ୟ, ଗୀତ, ନାଟକ, ସ୍କିଟ ଏବଂ ଟାବଲୋ ମାଧ୍ୟମରେ ଦର୍ଶକ ମାନଙ୍କୁ ମନ୍ତ୍ରମୁଗ୍ଧ କରିଦେଇଥିଲେ । ହଜାର ହଜାର ସଂଖ୍ୟାରେ ଦର୍ଶକ ଉକ୍ତ କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ । ବିଦ୍ୟାଳୟ ପରିସରରେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ପୋଲିସ ପକ୍ଷରୁ, ସୁରକ୍ଷା ବ୍ୟବସ୍ଥା ମଧ୍ୟ ଯୋଗାଇ ଦିଆଯାଇ ଥିଲା। ଏହି ଉତ୍ସବରେ ବିଦ୍ୟାଳୟର ବିଭିନ୍ନ ଶିକ୍ଷକ ଶିକ୍ଷୟିତ୍ରୀ ଯଥାକ୍ରମେ, ବନିତା,କରା ତୟାଲୁ, ସୁମିତ୍ରା ମୁର୍ମୁ, ନିରୁପମା ସାନ୍ତପାତ୍ର, ସୁଜାତା ଡାକୁଆ, ଶୋଭା, ହେଲେନ ମିସ୍ ସନ୍ତୋଷିନୀ, ମୌସୁମୀ ପରିଡ଼ା, ଗରିମା ଛତ୍ରୀ ସର୍ବଶ୍ରୀ ଫିଲିମନ ହାଁସଦା,ଅଜିତ ଖୋସଲା, ସୁନ୍ଦର କୁମାର,ମେସକ ରାଜାୟା, ଯୋସେଫ, ଅନୀଲ ତେଲଗିରି, ଦିନେଶ ତଥା ଅନ୍ୟାନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଏହି ବାର୍ଷିକ ଉତ୍ସବକୁ ସଫଳ କରିବା ପାଇଁ, ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ କରିଥିଲେ ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.