ଉଲୁଣ୍ଡା, ୦୩/୧୦(ପିପିଟି); ସାମାନ୍ୟ ବର୍ଷାରେ ବେହାଲ ହୋଇପଡୁଛି ବିରମହାରାଜପୁର ମୁଖ୍ୟ ଛକ ନିକଟସ୍ଥ କଲେଜ ରାସ୍ତା । ସାମାନ୍ୟ ବର୍ଷାରେ ରାସ୍ତା ମଝିରେ ଆଣ୍ଠୁଏ ପାଣି ଜମି ରହିବା ଫଳରେ ଜନ ସାଧାରଣ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।ସୁବର୍ଣ୍ଣପୁର ଜିଲ୍ଲା ବିରମହାରାଜପୁର ସହରର ମୁଖ୍ୟ ଛକ କଲେଜ ରାସ୍ତା ର ଦୁରାବସ୍ଥା ବର୍ତ୍ତମାନ ସ୍ଥାନୀୟ ଲୋକଙ୍କ ପାଇଁ ମୁଣ୍ଡ ବ୍ୟଥାର କାରଣ ପାଲଟିଛି । ସାମାନ୍ୟ ବର୍ଷା ହେଲେ ଏହି ରାସ୍ତାରେ ଜମି ରହୁଛି ଆଣ୍ଠୁଏ ପାଣି । ବିଶେଷ କରି ବର୍ଷା ଦିନ ଆସିଲେ ରାସ୍ତା ମଝିରେ ପାଣି ଜମି ଏକ କୁତ୍ରିମ ପୋଖରୀ ସୃଷ୍ଟି ହେଉଛି । ଫଳରେ ପଥଚାରି ବିଶେଷ ଅସୁବିଧାର ସମ୍ମୁଖିନ ହେଉଥିବାର ଦେଖିବାକୁ ମିଳୁଛି । ରାସ୍ତାରେ ଡ୍ରେନେଜ ବ୍ୟବସ୍ତା ନ ଥିବାରୁ ଏଭଳି ସମସ୍ୟା ସୃଷ୍ଟି ହେଉଛି । ଫଳରେ ଯାତାୟତରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ସାଧାରଣ ଲୋକ । ରାସ୍ତାଟି ସହରର ଅନ୍ୟତମ ମୁଖ୍ୟ ରାସ୍ତା ହୋଇଥିବାରୁ ଏହାଉପରେ ସମସ୍ତେ ନିର୍ଭର କରିଥାନ୍ତି ।ଏହି ରାସ୍ତାଦେଇ ସମସ୍ତ ସରକାରୀ କାର୍ଯ୍ୟାଳୟ ଯଥା ଉପଜିଲ୍ଲାପାଳ କାର୍ଯ୍ୟାଳୟ, ମହାବିଦ୍ୟାଳୟ,,ହାଇସ୍କୁଲ ,ଡାକ୍ତରଖାନା,କୃଷି କର୍ଯ୍ୟାଳୟ ଆଦି ରହିଥିବାରୁ ସମସ୍ତଙ୍କୁ ଏହି ରାସ୍ତାରେ ନିର୍ଭର କରିବାକୁ ପଡୁଛି ।ଏଥିପ୍ରତି ବାରମ୍ବାର ସ୍ଥାନୀୟ ଜନସାଧାରଣଙ୍କ ତରଫରୁ ରାସ୍ତା ମରାମତି ସହ ଡ୍ରେନେଜ ବ୍ୟବସ୍ଥା ପାଇଁ ବିଭାଗର ଦୃଷ୍ଟି ଆକର୍ଷଣ କରାଗଲେ ମଧ୍ୟ ଏ ପର୍ଯ୍ୟନ୍ତ ବିଭାଗ ପକ୍ଷରୁ କୌଣସି ତତ୍ପରତା ଦେଖାଦେଇନାହିଁ । ଫଳରେ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି । (ରିପୋର୍ଟ -ଶାନ୍ତନୁ କୁମାର କର୍ଣ୍ଣ ।)