ତିର୍ତ୍ତୋଲ,୩୧/୦୫(ପିପିଟି); ମୋ ସ୍କୁଲ୍ ଅଭିଯାନ,ସର୍ବଶିକ୍ଷା ଅଭିଯାନ, ଆଦର୍ଶ ସ୍କୁଲ ଯୋଜନା ଏହିପରି ମାଳ ମାଳ ଯୋଜନା ରାଜ୍ୟ ଓ କେନ୍ଦ୍ର ସରକାର ହାତକୁ ନେଉଥିଲେ ମଧ୍ୟ ସରକାରୀ ସ୍କୁଲ ପ୍ରତି ଅଭିଭାବକ ତଥା ଛାତ୍ରଛାତ୍ରୀଙ୍କ ମଧ୍ୟରେ ନିରୁତ୍ସାହ ଦିନକୁ ଦିନ ବୃଦ୍ଧି ପାଉଛି । ଓଡିଶା ଶିଶୁମାନଙ୍କ ମାଗଣା ଓ ବାଧ୍ୟତାମୂଳକ ଶିକ୍ଷା ଅଧିକାର ଅଧିନିୟମ,୨୦୦୯ ଦ୍ଵାରା ପ୍ରଦତ୍ତ କ୍ଷମତା ବଳରେ ବିଦ୍ୟାଳୟ ବିକାଶ ଯୋଜନା, ବିଦ୍ୟାଳୟ ପରିଚାଳନା କମିଟି ଇତ୍ୟାଦି କାର୍ଯ୍ୟ କରୁଥିଲେ ମଧ୍ୟ ପ୍ରଳପ୍ରସୁ ନ ହେବାର କାରଣ କ’ଣ ହୋଇପାରେ ? ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ,ନନ୍ଦନ-୧ । ୧୧୬ ବର୍ଷ ତଳେ ପ୍ରତିଷ୍ଠା ହୋଇଥିବା ଏହି ସ୍କୁଲର ଇତିହାସ ଯେତିକି ବିବାଦୀୟ ସେତିକି ଗୌରବମୟ । ବିଭିନ୍ନ ବ୍ୟକ୍ତିବିଶେଷ ଏହି ସ୍କୁଲରେ ପାଠପଢି ନିଜକୁ ପ୍ରତିଷ୍ଠିତ କରାଇ ପାରିଥିବା ଵେଳେ ଵଦଳି ନାହିଁ ଏହି ସ୍କୁଲର ଅବସ୍ଥା । ୟଶ୍ ବାତ୍ୟା ପୂର୍ବରୁ ହୋଇଥିବା କାଳବୈଶାଖୀ ବର୍ଷାରେ ୪୦ ଫୁଟ ଲମ୍ବର ତାଜା ଭୁଷୁଡି ପଡିଥିବାବେଳେ ଏହି ମାତ୍ର ତିନି ବର୍ଷ ତଳେ ତିଆରି ହୋଇଥିବା ପାଚେରୀ ନିର୍ମାଣ ସରିବାର ଦିନ କେଇଟାରେ ଭୁଷୁଡି ପଡ଼ିଥିଲା । ମାତ୍ର ଦଶବର୍ଷ ତଳେ ନିର୍ମିତ ହୋଇଥିବା ନୂତନ ବିଦ୍ୟାଳୟ ଗୃହକାର୍ଯ୍ୟ ଅତ୍ୟନ୍ତ ନିମ୍ନମାନର । କାନ୍ଥରେ ବିଭିନ୍ନ ସ୍ଥାନରେ ଫାଟ ସୃଷ୍ଟି ହୋଇ ଅତ୍ୟନ୍ତ ବିପଦ ସଂକୁଳ ଅବସ୍ଥାରେ ରହିଛି । ଶୌଚାଳୟ ମଧ୍ୟରେ ଜଙ୍ଗଲ ପରିବେଶ ବିଷଧର ଜନ୍ତୁଙ୍କ ଅଭୟାରଣ୍ୟ । ଛାତ ଉପରେ ଘାସ ଗାଲିଚା । ଝରକାର ତାଜା ଗୁଡିକ ତଳକୁ ପଡ଼ିବାକୁ ଅପେକ୍ଷାରତ । କରୋନା ମହାମାରୀ ରେ ଛାତ୍ରଛାତ୍ରୀଙ୍କ ନିମନ୍ତେ ବିଦ୍ୟାଳୟ ବନ୍ଦ ରହିଵାଟା ସେମାନଙ୍କ ପାଇଁ ଈଶ୍ୱରଙ୍କ ଆଶିର୍ବାଦ ।କେତେବେଳେ ଯେ କି ଅଘଟଣ ଘଟିବ ସେ ଆଶଙ୍କାରେ ଛାତ୍ରଛାତ୍ରୀ ତଥା ଅଭିଭାବକ । ତିର୍ତ୍ତୋଲ ଵିଡିଓ ଓ ପଟିଲୋ ସରପଞ୍ଚଙ୍କୁ ବାରମ୍ବାର ଏ ବିଷୟରେ ଅବଗତ କରିଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ହେଉନାହିଁ ବୋଲି ପ୍ରକାଶ କରିଛନ୍ତି କାର୍ଯ୍ୟକାରୀ ପ୍ରଧାନଶିକ୍ଷକ । (ରିପୋର୍ଟ – ସୁକାନ୍ତ କୁମାର ମହାନ୍ତି ।)