ମାଲକାନଗିରି,୨୦/୦୮(ପିପିଟି):ମାଲକାଗିରି ଜିଲ୍ଲା ସଦର ବ୍ଲକ ପାଣ୍ଡ୍ରିପାଣି ଆଶ୍ରମ ବିଦ୍ୟାଳୟରେ ଗତ କାଲି ଜଣେ ନବମ ଶ୍ରେଣୀର ଛାତ୍ର ପେଟ ଵ୍ୟଥା ଯୋଗୁଁ ଅସୁସ୍ଥ ହୋଇପଡିଥିଲା । ତେବେ ଏହି ଘଟଣା ହଷ୍ଟେଲ ବା ସ୍କୁଲରେ ଥିବା ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ଅବଗତ କରାଯାଇଥିଲା । କିନ୍ତୁ ସେହି ଛାତ୍ରର ଦେହ ଅସୁସ୍ଥ ହେବା ପରେ କିଛି ଔଷଧ ଦେଇ ଚୁପ ବସି ଥିଲେ ।ଆଜି ସକାଳେ ଛାତ୍ର ସନିଆର ଦେହ ଗୁରୁତର ଅସୁସ୍ଥ ହେବାରୁ ତାକୁ ସ୍ଥାନୀୟ ପାଣ୍ଡ୍ରିପାଣି ପ୍ରାଥମିକ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ପରେ ଛାତ୍ର ଜଣକ ଦେହ ଅଧିକ ଗୁରୁତର ହେବାରୁ ମାଲକାନଗିରି ମୁଖ୍ଯ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । କିନ୍ତୁ ଚିକିତ୍ସା ସମୟରେ ଛାତ୍ରଟିର ମୃତ୍ୟୁ ଘଟିଥିଲା । ମୃତ ନବମ ଶ୍ରେଣୀ ଛାତ୍ର ନାମ ସନିଆ ଦୋରା ଏବଂ ତାଙ୍କ ଘର ଖଇରପୁଟ ବ୍ଲକ ଅନ୍ତର୍ଗତ ପୋଡାଭାଟା ଗ୍ରାମରେ ବୋଲି ଜଣାପଡିଛି। ସନିଆ ଦୋରା ବାପା ମା ଛେଉଣ୍ଡ ଥିବା ବେଳେ ତାଙ୍କ ସଂପର୍କୀୟ ଲୋକେ ଉଚ୍ଚଶିକ୍ଷା ପାଇଁ ତାକୁ ପାଣ୍ଡ୍ରିପାଣି ଆଶ୍ରମସ୍କୁଲରେ ଭର୍ତ୍ତି କରି ହଷ୍ଟେଲରେ ରହି ପାଠ ପଢିବାର ବ୍ଯବସ୍ଥା କରିଥିଲେ । ଛାତ୍ରର ମୃତ୍ୟୁକୁ ନେଇ ଗ୍ରାମବାସି ମାନେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଗୋଲାପ ପୂଜାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ମାଲକାଗିରି ଥାନାରେ ଅଭିଯୋଗ କରିଛନ୍ତି । ମାଲକାଗିରି ଥାନା ପକ୍ଷରୁ ତଦନ୍ତ କରାଯିବ ବୋଲି କୁହାଯାଇଛି । ଅନ୍ଯପକ୍ଷରେ ଗ୍ରାମବାସୀଙ୍କ ମଧ୍ଯରେ ଉତ୍ତେଜନା ଲାଗି ରହିଛି ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)
Next Post