ଅବସରପ୍ରାପ୍ତ ସେନାଧିକାରୀଙ୍କ ଅଭିନବ ପ୍ରୟାସ, ଦେଶର ସୁରକ୍ଷା ପାଇଁ ଚଳାଇଛନ୍ତି ଉଦ୍ୟମ ।

0 249

ଯାଜପୁର,୦୬/୧୧(ପିପିଟି); ସେ ଜଣେ ଅବସରପ୍ରାପ୍ତ କେନ୍ଦ୍ରୀୟ ସୁରକ୍ଷା ଅଧିକାରୀ । ଦୀର୍ଘଦିନ ଧରି ଦେଶମାତୃକାର ସେବା କରିବା ପରେ ଅବସର ନେଇଛନ୍ତି । ଅବସର ପରେ ପରିବାର ସହିତ ମୌଜମସ୍ତି ଜୀବନ ଅତିବାହିତ କରିଥାନ୍ତେ ବରଂ ତାହା ନକରି ସେ ନିଜର ଅଭିଜ୍ଞତା ସହ ସମୟର ସଦୁପଯୋଗ କରିବାକୁ ମନ ବଳାଇଛନ୍ତି । ଏବେ ବି ଦେଶର ସୁରକ୍ଷା ପାଇଁ ଅହରହ ଚେଷ୍ଟିତ । ଅବାଟକୁ ଚାଲିଯାଉଥିବା ଆଜିର ଯୁବପୀଡି କିପରି ସଂସ୍କାରୀ ହେବେ ଏବଂ ନିଜର ଭବିଷ୍ୟତ ଗଡି ଦେଶମାତୃକାର ସେବା କରିବେ ସେ ନେଇ ଚେଷ୍ଟା ଚଳାଇଛନ୍ତି । ଏଭଳି ଜଣେ ବୟକ୍ତିତ୍ୱ ହେଉଛନ୍ତି ଯାଜପୁର ଜିଲ୍ଲା ବ୍ରହ୍ମବରଦା ଅଂଚଳର ଅବସରପ୍ରାପ୍ତ ସେନାଧିକାରୀ ଅକତର ହୁସେନ ଖାଁ ।ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ବ୍ରହ୍ମବରଦା ଅଂଚଳର ଅବସରପ୍ରାପ୍ତ ଆଭ୍ୟନ୍ତରୀଣ ସେନା ସୁରକ୍ଷା ଅଧିକାରୀ ଅକତର ହୁସେନ । ବୟସ ତାଙ୍କର ପାଖାପଖି ୬୪ । ଯିଏକି ସିଆରଏସଏଫରେ ଦୀର୍ଘ ୩୭ବର୍ଷ କାର୍ଯ୍ୟ କରିବା ପରେ ଡିଏସପି ପଦବୀରୁ ଅବସର ନେଇଛନ୍ତି । ହେଲେ ଏବେ ବି ଯୁବ ସୁଲଭ ତାଙ୍କର ହାଭଭାବ । ଅନବରତ ସେ ଚଳଚଂଚଳ । ଚାକିରୀରେ ଥିବା ସମୟରେ ଦେଶମାତୃକା ସେବା ପାଇଁ ଯେଉଁ ସୁଯୋଗ ମିଳିଥିଲା ତାହା ହୁଏତ ଆଉ ତାଙ୍କୁ ମିଳିବ ନାହିଁ । ହେଲେ ଦେଶର ଆଭ୍ୟନ୍ତରୀଣ ଓ ସୀମା ସୁରକ୍ଷା ପାଇଁ ନୂତନ ଯୋଦ୍ଧା ଗଢିବା ପଣ କରିଛନ୍ତି । ପ୍ରତିଦିନ ଭୋର ସମୟରୁ ଉଠି ବ୍ରହ୍ମବରଦା ଓ ଆଖାପଖ ଅଂଚଳର ଯୁବକଙ୍କୁ ବିନା ମୂଲ୍ୟରେ ସେନାରେ ଭର୍ତ୍ତି ହେବା ପାଇଁ ତାଲିମ ଦେଉଛନ୍ତି । ଶତ୍ରୁର ଇଟାର ଜବାବ କିପରି ପଥରରେ ଦେବାକୁ ହେବ ସେ ନେଇ ସେ ଯୁବକମାନଙ୍କ ମଧ୍ୟରେ ସଂସ୍କାର, ଶକ୍ତି ଓ ସାହାସ ବଢାଉଛନ୍ତି । ୨୦୧୮ମସିହାରେ ଅବସର ନେବା ପରେ ଅକତର ହୁସେନ ଗାଁକୁ ଫେରିଥିଲେ । ଗ୍ରାମାଂଚଳରେ ଯୁବକମାନଙ୍କ ମଧ୍ୟରେ ସମାଜ ପ୍ରତି କର୍ତ୍ତବ୍ୟ ଓ ଦେଶପ୍ରେମର ଭାବନା ଜାଗ୍ରତ କରିବାକୁ ପ୍ରୟାସ ଆରମ୍ଭ କରିଥିଲେ । ଏନେଇ ବ୍ରହ୍ମବରଦା ମହାବିଦ୍ୟାଳୟ ଖେଳ ପଡିଆରେ ପ୍ରଶିକ୍ଷଣ ଦେବା ଆରମ୍ଭ କରିଥିଲେ । ଏବେ ପ୍ରତ୍ୟେହ ୪୦ରୁ ଅଧିକ ଯୁବକଙ୍କୁ ସେ ସେନାରେ ଜଣେ ପ୍ରକୃତ ଯୋଦ୍ଧା ଭାବରେ ଭର୍ତ୍ତି ହେବା ପାଇଁ ଦୌଡକୂଦ ସାଙ୍ଗକୁ ବାୟାମ, ଫିଟନେସ୍, ଯୋଗ, ପ୍ରାଣାୟାମ, ସମାୟାନୁବର୍ତିତା, ଶୃଙ୍ଖଳା ଓ ସାଧାରଣ ଜ୍ଞାନ ଭଳି ତାଲିମ ଜାରି ରଖିଛନ୍ତି । ସେନାରେ ଯୁବକମାନଙ୍କ ପାଇଁ ଅନେକ ସୁଯୋଗ ରହିଥିବା ବେଳେ ତାଙ୍କର ତାଲିମ ସ୍ଥାନୀୟ ଅଂଚଳର ଯୁବକ ମାନଙ୍କ ମଧ୍ୟରେ ଆହୁରି ଉତ୍ସାହ ସୃଷ୍ଟି କରୁଛି । ତାଙ୍କ ଠାରୁ ତାଲିମ ପାଇ ଅନେକ ପୋଲିସ ଓ ସେନାରେ କାର୍ଯ୍ୟ କରୁଥିବା ସେ କହିଛନ୍ତି । ତାଙ୍କ ତାଲିମ କେବଳ ଚାକିରୀ ପାଇଁ ନୁହେଁ ବରଂ ସମାଜରେ ଜଣେ ଶୃଙ୍ଖଳିତ ନାଗରିକ ଭାବେ ଠିଆ ହେବା ତାଙ୍କର ମୂଳ ଲକ୍ଷ୍ୟ । କେବଳ ସେ ବିନା ମୂଲ୍ୟରେ ଯୁବକମାନଙ୍କୁ ପ୍ରଶିକ୍ଷଣ ଦେଇଥାନ୍ତି ତାହା ନୁହେଁ ବରଂ ନିଜ ଅଂଚଳରେ ସମାଜସେବା ମଧ୍ୟ ଜାରି ରଖିଛନ୍ତି ।

Leave A Reply

Your email address will not be published.