ଭୁବନେଶ୍ବର,୩୦/୦୩(ପିପିଟି): ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଦ୍ଵାରା ପ୍ରତିଷ୍ଠିତ ରାଜନୈତିକ ଦଳ ” ଅଲ୍ ଇଣ୍ଡିଆ ଫରୱାର୍ଡ ବ୍ଲକ୍ ” ର ଜାତୀୟ ପରିଷଦ ବୈଠକ ଅପ୍ରେଲ ୮ ଓ ୯ , ୨୦୨୨ ରିଖ ଦୁଇ ଦିନ ଧରି ଭୁବନେଶ୍ୱର ଲୋହିଆ ଏକାଡେମୀ ପରିସରରେ ଅନୁଷ୍ଠିତ ହେବ । ଏହି ଜାତୀୟ ପରିଷଦ ବୈଠକରେ ସାରା ଦେଶରୁ ୨୦୦ ରୁ ଉର୍ଦ୍ଧ ଫରୱାର୍ଡ ବ୍ଲକର ନେତୃତ୍ୱ କାରି ସାଥୀମାନେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଆଜି ଯେତବେଳେ ସମଗ୍ର ଭାରତବର୍ଷ ସଙ୍କଟ ମଧ୍ୟ ଦେଇ ଗତିକରୁଛି ଠିକ୍ ସେତିକି ବେଳେ ଫରୱାର୍ଡ ବ୍ଲକର ଏହି ଜାତୀୟ ପରିଷଦ ବୈଠକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ସମଗ୍ର ଦେଶ ଅତୀତରେ କଂଗ୍ରେସର କୁଶାସନ ଦେଖିଛି ଏବଂ ଗତ କିଛି ବର୍ଷ ଧରି ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ବି.ଜେ.ପି ସରକାର ଜନବିରୋଧୀ ନିଷ୍ପତିକୁ ଅଙ୍ଗେ ଲିଭାଉଛି । ଦେଶରେ ବେକାରୀ ସମସ୍ୟା ଉତ୍କଟ ହେବାରେ ଲାଗିଛି । ଶିକ୍ଷା ଓ ସ୍ଵାସ୍ଥ୍ୟ ଭିତ୍ତିଭୂମିର ଅଭାବ ଫଳରେ ସାଧାରଣ ମଣିଷ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ସ୍ବାଧୀନତାର ୭୫ ବର୍ଷ ପରେ ମଧ୍ୟ ମଣିଷ ବଞ୍ଚିବା ପାଇଁ ଖାଦ୍ୟ , ବସ୍ତ୍ର , ବାସଗୃହର ଯେଉଁ ସର୍ବନିମ୍ନ ଆବଶ୍ୟକତା ରହିଛି ତାହା ପୂରଣ କରିବା ଦିଗରେ ଉଭୟ କେନ୍ଦ୍ର ଓ ରାଜ୍ୟସରକାର ମାନେ ବ୍ୟର୍ଥ ହୋଇଛନ୍ତି । ଶ୍ରମଜୀବୀ ମଣିଷ ନିତ୍ୟଦିନ ଶୋଷଣର ଶିକାର ହେଉଛନ୍ତି । ସାରା ଦେଶରେ ଦୁର୍ନୀତି , ଭ୍ରଷ୍ଟାଚାର ବଢ଼ିବାରେ ଲାଗିଛି । ପେଟ୍ରୋଲ , ଡିଜେଲ୍ , ଇନ୍ଧନ ଗ୍ୟାସ ସମେତ ଅତ୍ୟାବଶ୍ୟକୀୟ ସାମଗ୍ରୀର ଦରବୃଦ୍ଧି ଫଳରେ ସାଧାରଣ ମଣିଷ ଅସ୍ତବ୍ୟସ୍ତ ହୋଇପଡ଼ିଛି । କେନ୍ଦ୍ର ସରକାରଙ୍କ ବିମୁଦ୍ରି କରଣ ଓ ଜି.ଏସ.ଟି ଭଳି ଜନବିରୋଧୀ ନିଷ୍ପତି ଫଳରେ କ୍ଷୁଦ୍ର ବ୍ୟବସାୟୀ ଓ ସାଧାରଣ ଜନତା ଦିନକୁ ଦିନ ତଳିତଳାନ୍ତ ହେବାରେ ଲାଗିଛନ୍ତି । ଦେଶର ପୁଞ୍ଜି ହାତଗଣତି ପୁଞ୍ଜିପତିଙ୍କ ହାତରେ ଠୁଳ ହେବାରେ ଲାଗିଛି । ଗଣତନ୍ତ୍ର ଉପରେ ପୁଞ୍ଜିତନ୍ତ୍ର ଭାରି ହେବାରେ ଲାଗିଛି । ଏଭଳି ଏକ ଘଡିସନ୍ଧି ମୁହୂର୍ତ୍ତରେ ଭୁବନେଶ୍ୱର ଠାରେ ଅନୁଷ୍ଠିତ ହେଉଥିବା ଏହି ଜାତୀୟ ପରିଷଦ ବୈଠକରେ ଅନ୍ୟାନ୍ୟ ସାଂଗଠନିକ ବିଷୟ ସମେତ ଉପରୋକ୍ତ ପ୍ରସଙ୍ଗଗୁଡିକ ଉପରେ ଆଲୋଚନା କରାଯାଇ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ପ୍ରଦର୍ଶିତ ପଥରେ ପାର୍ଟିର ଆଗାମୀ ଦିନର ରଣନୀତି ନିର୍ଧାରଣ କରାଯିବ । ନେତାଜୀ ସୁବାଷଙ୍କ ସ୍ୱପ୍ନର ଭାରତବର୍ଷ ଗଠନ ଦିଗରେ ପାର୍ଟିର ଆଗାମୀ ଦିନର କର୍ଯ୍ୟଖସଡା ନିର୍ଧାରଣ କରାଯିବ । ଏହି ଦୁଇଦିନିଆ ଜାତୀୟ ପରିଷଦ ବୈଠକରେ ଫରୱାର୍ଡ ବ୍ଲକର ସର୍ବଭାରତୀୟ ସଭାପତି ଏନ୍.ଭାଲପାନ୍ ନାୟାର , ସାଧାରଣ ସମ୍ପାଦକ ତଥା ପୂର୍ବତନ ସାଂସଦ ଦେବବ୍ରତ ବିଶ୍ବାସ , ଉପସଭାପତି ତଥା ତାମିଲନାଡୁର ପୂର୍ବତନ ବିଧାୟକ ପି.ଭି.କାଦିରମଣ , ଜାତୀୟ ସମ୍ପାଦକ ତଥା ପଶ୍ଚିମବଙ୍ଗର ପୂର୍ବତନ ମନ୍ତ୍ରୀ ନରେନ୍ ଦେ , ହାପି ଜଲାମ୍ ସୈରାନି , ଜି.ଦେବରାଜନ , ନରେନ୍ ଚାଟାର୍ଜୀ , ଟି.ୟୁ.ସି.ସି ର ଜାତୀୟ ସାଧାରଣ ସମ୍ପାଦକ ଜି.ଆର ଶିବଶଙ୍କରଙ୍କ ସମେତ ବିଭିନ୍ନ ରାଜ୍ୟର ଫରୱାର୍ଡ ବ୍ଲକର ନେତୃମଣ୍ଡଳୀ ଏବଂ ଛାମୁଆଁ ସଙ୍ଗଠନ ମାନଙ୍କର ସର୍ବଭାରତୀୟ ନେତାମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ବୋଲି ଆଜି ଫରୱାର୍ଡ ବ୍ଲକର ରାଜ୍ୟ କାର୍ଯ୍ୟାଳୟ ଠାରେ ଅନୁଷ୍ଟତ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରାଯାଇଛି । ଆଜି ଅନୁଷ୍ଠିତ ଏହି ସାମ୍ବାଦିକ ସମ୍ମିଳନୀରେ ଫରୱାର୍ଡ ବ୍ଲକର ରାଜ୍ୟ ସଭାପତି ପୂର୍ଣ୍ଣ ଚନ୍ଦ୍ର ପାଢି , ସାଧାରଣ ସମ୍ପାଦକ ଜ୍ୟୋତି ରଞ୍ଜନ ମହାପାତ୍ର , ଭୁବନେଶ୍ୱର ଜିଲ୍ଲା କମିଟିର ଆବାହକ ବେଣୁଧର ହରିଚନ୍ଦନ ପ୍ରମୁଖ ଉପସ୍ଥିତ ଥିଲେ ।