ଅପମିଶ୍ରିତ ଫାଷ୍ଟଫୁଡ୍ ଓ ଷ୍ଟ୍ରିଟ୍ ଫୁଡ୍ ଖାଦ୍ୟକୁ ନେଇ ବଢ଼ୁଛି ଅସନ୍ତୋଷ ।

0 269

ରାଜସୁନାଖଳା,୧୦/୦୩(ପିପିଟି): ନୟାଗଡ଼ ଓ ଖୋର୍ଦ୍ଧା ଜିଲ୍ଲା ମଧ୍ୟ ଭାଗରେ ଅବସ୍ଥିତ ରାଜସୁନାଖଳା ଏକ ପ୍ରମୁଖ ବ୍ୟବସାୟିକ ପେଣ୍ଠସ୍ଥଳୀ। ତେବେ ଏହି ଅଞ୍ଚଳରେ ଥିବା ବିଭିନ୍ନ ହୋଟେଲ,ଫାଷ୍ଟଫୁଡ୍, ଉଠା ଜଳଖିଆ ଦୋକାନ ଓ ମିଠା ଦୋକାନରେ ଅପମିଶ୍ରିତ ତଥା ନିମ୍ନମାନର ଖାଦ୍ୟ ପଦାର୍ଥ ବିକ୍ରି ହେଉଥିବା ନେଇ ବାରମ୍ବାର ଅଭିଯୋଗ ହେଉଥିଲେ ମଧ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ନିୟମିତ ଚଢ଼ଉ କରାଯାଉନାହିଁ । ଫଳରେ ଜନସାଧାରଣ ଓ ଖାଉଟିଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । କାଁଭାଁ ଖାଦ୍ୟ ସୁରକ୍ଷା ବିଭାଗ ପକ୍ଷରୁ ଚଢ଼ଉ ହେଉଥିବା ବେଳେ ଏହା ଲୋକ ଦେଖାଣିଆ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି । ବିଭାଗୀୟ କର୍ମଚାରୀମାନେ କେତେବେଳେ କେମିତି ଦିନ ବେଳେ ବୁଲିଚାଲି ଫେରିଯାଉଥିବା ବେଳେ ସନ୍ଧ୍ୟା ସମୟରେ ଆଦୌ ଚଢ଼ଉ କରାଯାଉନାହିଁ । ଫଳରେ ସ୍ଥାନୀୟ ଅଞ୍ଚଳରେ ଯଥା: ଧଳାପଥର, କଳାପଥର,ବୋଲଗଡ,ପିଚୁକୁଳି ବଜାରରେ ସନ୍ଧ୍ୟା ସମୟରେ ଛତୁ ଫୁଟିଲା ପରି ଏକାଧିକ ଷ୍ଟ୍ରିଟ୍‌ଫୁଡ୍ ଓ ଫାଷ୍ଟଫୁଡ୍‌ର ଅସ୍ଥାୟୀ ଦୋକାନ ଖୋଲୁଛି । କିଛି ସ୍ଥାନରେ ବାସି ଖାଦ୍ୟ ବିକ୍ରି ହେଉଥିବା ନେଇ ଅଭିଯୋଗ ହେଉଛି। ତେବେ ଖାଦ୍ୟର ମାନ ତଦାରଖ ପାଇଁ ବିଭାଗ ପକ୍ଷରୁ ଅଦିନିଆ ଯାଞ୍ଚକୁ ଲୋକ ଦେଖାଣିଆ ବୋଲି ଅଞ୍ଚଳବାସୀ କୁହନ୍ତି । ବିଭାଗୀୟ କର୍ତ୍ତୃପକ୍ଷ ଓ ଜିଲ୍ଲାପାଳ ଏ ଦିଗରେ ଦୃଷ୍ଟି ଦେଇ କାର୍ଯ୍ୟାନୁଷ୍ଠାନ ନେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି ।

(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)

Leave A Reply

Your email address will not be published.