ବେଲଗୁଣ୍ଠା,୦୩/୧୨(ପିପିଟି):ବିଜ୍ଞାପିତ ଅଞ୍ଚଳ ପରିଷଦ ବେଲଗୁଣ୍ଠା ତରଫରୁ ଅନ୍ତର୍ଜାତୀୟ ଦିବ୍ୟାଙ୍ଗ ଦିବସ ପାଳନ ହୋଇ ଯାଇଛି । ପରିଷଦର ନିର୍ବାହୀ ଅଧିକାରୀ ଏସ . ରାକେଶ କୁମାର ପାତ୍ରଙ୍କ ଅଧ୍ୟକ୍ଷତାରେ ସହରର ୪୦ ଜଣ ଦିବ୍ୟାଙ୍ଗ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ମୁଖ୍ୟତଃ ଦିବ୍ୟାଙ୍ଗଙ୍କ ନିମନ୍ତେ ସରକାରଙ୍କ ବିଭିନ୍ନ ଜନ ମଙ୍ଗଳ ଯୋଜନା ଗୁଡିକ ଆଲୋଚନା କରିବା ସଙ୍ଗେ ସଙ୍ଗେ ଅଂଶ ଗ୍ରହଣ କରିଥିବା ଦିବ୍ୟାଙ୍ଗ ମାନଙ୍କ ମଧ୍ୟରେ ଏକ ପରିମଳ ସମ୍ପର୍କିତ କୁଇଜ ପ୍ରତିଯୋଗିତା କରି ପୁରସ୍କାର ବିତରଣ କରାଯାଇଥିଲା । ସାମାଜିକ, ଅର୍ଥନୈତିକ, ରାଜନୈତିକ ଓ ସାଂସ୍କୃତିକ କ୍ଷେତ୍ରରେ ଦିବ୍ୟାଙ୍ଗ ମାନଙ୍କର ଭୂମିକାକୁ ନିଶ୍ଚିତ କରି ମୁଖ୍ୟସ୍ରୋତରେ ସାମିଲ କରିବା ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ ଥିଲା । ପରିଷଦର ଏଭଳି ଏକ କାର୍ଯ୍ୟକ୍ରମକୁ ଉପସ୍ଥିତ ଦିବ୍ୟାଙ୍ଗ ମହିଳା ଓ ପୁରୁଷ ଖୁସି ବ୍ୟକ୍ତ କରି ପ୍ରଶଂସା କରିଥିଲେ । ପରିଷଦ ତରଫରୁ ସହର ମିଶନ ପରିଚାଳକ ପ୍ରଫୁଲ୍ଲ ଷଡ଼ଙ୍ଗୀ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ସୁଶାନ୍ତ କୁମାର ମିଶ୍ର, ଗୟାଚାନ୍ଦ ସାହୁ, ବାବୁଲା ଗୌଡ଼, ଜି ପ୍ରବୀଣ କୁମାର ସହଯୋଗ କରିଥିଲେ ।
(ରିପୋର୍ଟ- ସୁଶାନ୍ତ କୁମାର ବେହାରା। )