କୋଦଳା,୧୩/୧୧(ପିପିଟି):ଅଦିନିଆ ଲଗାଣ ବର୍ଷା । ତିନିଦିନ ହୋଇଗଲା ବର୍ଷା ଛାଡିବାର ନା ନେଉନାହିଁ । ଚାରିଆଡେ କେବଳ ପାଣି ହିଁ ପାଣି !ପାଣି ମଧ୍ୟରୁ ଚାଷୀଙ୍କ କ୍ରନ୍ଦନ!ବର୍ଷ ଯାକର କଷ୍ଟ ଓ କରିଥିବା ଋଣ କିପରି ସୁଝିବେ । ଆଉ ଧାନ କିଛି ନାହିଁ ଧୋଇ ହୋଇଯାଇଛି, ତାକୁ କୁଢ଼ କୁଢ଼ କରି ହୁଡାକୁ ଆଣି ରଖୁଛନ୍ତି । ଏମିତି ଏକ ଦୃଶ୍ୟମାନ ହୋଇଥିଲା କୋଦଳା ଏନଏସି ଅନ୍ତର୍ଗତ ୧ନମ୍ବର ୱାର୍ଡ ବି. ନୂଆପଲି ଗ୍ରାମରେ । ଲଗାଣ ବର୍ଷା ରେ ନିକଟରେ ବହି ଯାଉଥିବା ଖରଖରୀ ନଦୀଜଳ ବିଳମଧ୍ୟକୁ ମାଡି ସେହି ଗ୍ରାମର ବହୁ ଚାଷୀଙ୍କ କଟଆଯାଇଥିବା ଧାନ କ୍ଷେତ ସମ୍ପୂର୍ଣ ନଷ୍ଟ ହୋଇଯାଇଛି । ବହୁତ ଭାଶି ଯାଇଥିବା ବେଳେ ଯାହାବି ବଞ୍ଚିଛି ତାହା କୌଣସି କାମକୁ ନୁହଁ । ଏହି ବର୍ଷ ଭଲ ଆଦାୟ ହେବ ବୋଲି ଚାଷୀ ଆଶା କରିଥିବା ବେଳେ ତାଙ୍କ ପରିବାର ଉପରେ ଅକାଳ ଚଡକ ପଡିବା ଭଳି ତାଙ୍କ ଆଶା ଧୂଳିସାତ ହୋଇଯାଇଛି । କେମିତି ପରିବାର ଚଲାଇବେ, ଋଣ ସୁଝିବେ ସେହି ଚିନ୍ତା ରେ ଭାଙ୍ଗି ପଡିଛନ୍ତି ଗ୍ରାମବାସୀ ।ପରେ ପରେ ଦୁଃଖ ଜଣାଇବା ପାଇଁ ତହସିଲ କାର୍ଯ୍ୟଳୟ ଆସି ଛୁଟି ଲାଗି କାର୍ଯ୍ୟଳୟ ବନ୍ଦ ହୋଇଥିବା ଜାଣି ଗ୍ରାମକୁ ଫେରିଥିବା ଜଣାପଡିଛି । ସେହିପରି ଫାଷୀ ପଞ୍ଚାୟତରେ ମଧ୍ୟ ଅନୁରୂପ ଘଟଣା ଦେଖିବାକୁ ମିଳିଛି ସେଠାରେ ସେହି ଏକା ଦୁଃଖ । କୋଦଳା ମର୍ଦ୍ଦମେଖ ଯିବା ରାସ୍ତା ରେ ମଧ୍ୟ ପାଣିମାଡି କୃତ୍ରିମ ହ୍ରଦର ଭ୍ରମ ଶୃଷ୍ଟି ହେଉଛି । କଟାହୋଇ ରଖିଥିବା ଧାନ ଉଦ୍ଧାର ହୋଇପାରି ନ ଥିବା ବେଳେ କଟାହେବାକୁ ଥିବା ଧାନଗଛ ଉପରେ ପାଣି ଚାଲିଛି । ଯାହାଫଳରେ ଚାଷୀ ଚିନ୍ତାରେ ପଡି ଭଗବାନଙ୍କୁ ସ୍ମରଣ କରୁଥିବା ବେଳେ କ୍ଷତି ପୂରଣ ଦେବାକୁ ସରକାରଙ୍କୁ ଗୁହାରି କରିଛନ୍ତି । ଏହାକୁ ନେଇ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ଦୁଃଖ ପ୍ରକାଷ କରିବା ସହିତ କ୍ଷତିଗ୍ରସ୍ଥ ଚାଷୀଙ୍କ ଜମି ନିକଟକୁ ଯାଇ ଅନୁସନ୍ଧାନ କରି ସେମାନଙ୍କ ପାଇଁ ସହଯୋଗର ହାତ ବଢ଼ାଇବାକୁ ଜିଲ୍ଲାପାଳଙ୍କୁ ଅନୁରୋଧ କରିଛନ୍ତି ।
(ରିପୋର୍ଟ- ସୂର୍ଯ୍ୟ ନାରାୟଣ ବଡୁ। )
Next Post