ଭଞ୍ଜନଗର,୨୯/୧୨(ପିପିଟି): ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭଗ ଏବଂ ଓଡିଶା ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ଲୋକ ସଙ୍ଗୀତ, ଦାସକାଠିଆ ଓ ପାଲାକୁ ନେଇ ଅଜାଦି କା ଅମୃତ ଉତ୍ସବ ମଙ୍ଗଳବାର ଉଦଘାଟିତ ହୋଇଯାଇଛି।ଏଥିରେ ମୁଖ୍ୟ ଅତିଥି ଭାବେ ଜଙ୍ଗଲ, ପରିବେଶ ଜଳବାୟୁ ପରିବର୍ତ୍ତନ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଯୋଗ ଦେଇଥିଲେ। ଓଡିଶା ସଙ୍ଗୀତ ନାଟକ ଏକାଡେମୀ ଉପସଭାପତି ମନ୍ମଥ କୁମାର ଶତପଥୀ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ, ଜିଲ୍ଲା ସଂସ୍କୃତି ବିଭାଗ ଅଧିକାରୀ ଅକ୍ଷୟ କୁମାର ସେଠୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ପ୍ରଥମ ସନ୍ଧ୍ୟାରେ ହିଞ୍ଜିଳିକାଟୁର ରାଧାଶ୍ୟାମ ସାହୁଶର୍ମା ଓ ସାଥି ଏବଂ ଦୁର୍ଗାମାଧବ ପୁରର ସୁରେନ୍ଦ୍ର ନାଥ ଦାସ ଶର୍ମା ଓ ସାଥି ଦାସକାଠିଆ ପରିବେଷଣ କରିଥିଲେ । ପରେ ଖୋର୍ଦ୍ଧା ବାଘମାରିର ଖଗେଶ୍ବର ମାର୍ଥା ଓ ସାଥି ଏବଂ ବାଲିପାଟଣାର ଜୟନ୍ତ ସେନାପତି ଓ ସାଥି ପାଲା ପରିବେଷଣ କରିଥିଲେ। ଭୁବନେଶ୍ବରରୁ ଆସିଥିବା କଣ୍ଠଶିଳ୍ପୀ ବିଭୁ କିଶୋର ଦାସ ଓ ସାଥି ଲୋକ ସଙ୍ଗୀତ ଗାନ କରିଥିବା ବେଳେ ନରେନ୍ଦ୍ରପୁର ଗଞ୍ଜାମ ଲୋକନୃତ୍ୟ କେନ୍ଦ୍ରର ମହିଳା କଳାକାରମାନେ ରଣପା ଓ ଚଢ଼େୟା ନୃତ୍ୟ ପରିବେଷଣ କରିଥିଲେ। ଦିଗପହଣ୍ଡି ଶ୍ରୀ ଦଧିବାମନ ଢୁମ୍ପା ସଙ୍ଗୀତ କଳାପୀହର କଳାକାରମାନେ ଢୁମ୍ପା ବାଦ୍ୟ ଓ ସଙ୍ଗୀତ ପରିବେଷଣ କରିଥିଲେ। ଯାହାକି ଉପସ୍ଥିତ ଦର୍ଶକ ମାନଙ୍କ ମନ ମୋହିଥିଲା।ସେହିପରି ଦ୍ଵିତୀୟ ଦିବସରେ ମୁଖ୍ୟ ଅତିଥି ଓଡିଶା ସଙ୍ଗୀତ ନାଟକ ଏକାଡେମୀର ଉପସଭାପତି ମନ୍ମଥ କୁମାର ଶତପଥି, ସମ୍ମାନିତ ଅତିଥି ରୂପେ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଆଶୁତୋଷ ଗୌରବ କର ଓ ଗଞ୍ଜାମ ଜିଲ୍ଲା ଲୋକ କଳା ସଂସ୍କୃତି ସଂଘ ଉପସଭାପତି ସନ୍ତୋଷ କୁମାର ପାଢୀ ଯୋଗ ଦେଇଥିଲେ। ବାଳକୃଷ୍ଣ ମିଶ୍ର ଓ ସାଥି ଏବଂ ଦେବେନ୍ଦ୍ର ନାଥ ଦାଶ ଓ ସାଥି ଦାସକାଠିଆ ଗଙ୍ଗାଧର ପୁହାଣ ଓ ସାଥି ଏବଂ ଲଷ୍ମୀପ୍ରିୟ ଦାସ ଓ ସାଥି ପାଲା ପରିବେଷଣ କରିଥିଲେ।ସନ୍ଧ୍ୟାରେ ପାରମ୍ପରିକ ଲୋକ ସଙ୍ଗୀତ ସନ୍ତୋଷ କୁମାର ପାଢୀ, ସୁରେନ୍ଦ୍ର ସାହୁ ଓ ବଳରାମ ଗୌଡ଼ ପରିବେଷଣ କରିଥିବା ବେଳେ ଆଲୋକ ସାହୁ ଓ ସାଥି ଦିଗପହଣ୍ଡି ଏବଂ ରାଜୀବ ମାଝୀ ଓ ସାଥି କଳାହାଣ୍ଡି ବାଦ୍ୟ ବିଚିତ୍ରା ସହ ଲୋକ ସଙ୍ଗୀତ ପରିବେଷଣ କରିଥିଲେ।ବୁଧବାର କାର୍ଯ୍ୟକ୍ରମର ଶେଷ ଦିବସ ତେଣୁ ବହୁ ଲୋକ ଏହାକୁ ଦିନସାରା ଉପଭୋଗ କରୁଥିବା ଦେଖାଯାଇଛି।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )