ଜଗତସିଂହପୁର,୨୪/୦୬(ପିପିଟି);ଅଗ୍ନିପଥ ଯୋଜନାକୁ ଜଗତସିଂହପୁର ରେ ମଧ୍ୟ ବିରୋଧ କରାଯାଇଛି । ସଂଯୁକ୍ତ କିଷାନ ମୋର୍ଚ୍ଚା ଡ଼ାକରାରେ ଆଜି ଜଗତସିଂହପୁର ଟାଉନ ଠାରେ ଅଖିଳ ଭାରତ କୃଷକ ସଭା ,ଓଡ଼ିଶା କୃଷକ ସଭା , ଅଲଇଣ୍ଡିଆ କୃଷକ କ୍ଷେତ ମୂଲିଆ ସଂଗଠନ ପକ୍ଷରୁ ପ୍ରତିବାଦ ବିକ୍ଷୋଭ ଅନୁଷ୍ଠିତ ହୋଇଛି । ଅଗ୍ନିପଥ ଯୋଜନା ପ୍ରତ୍ୟାଖ୍ୟାନ କରିଵା, ନିଯୁକ୍ତି କ୍ଷମ ସମସ୍ତ ଯୁବକ-ଯୁବତୀ ମାନଙ୍କୁ ସ୍ଥାୟୀ ନିଯୁକ୍ତି ଦେଵା , ଭାରତର ସାର୍ବଭୌମତ୍ବକୁ ସୁରକ୍ଷିତ ରଖିବା, ସମସ୍ତ ଠିକା ନିଯୁକ୍ତି ପ୍ରଥା ବିଲୋପ କରିବା, ସେନାବାହିନୀରେ ଫାଙ୍କା ପଡିଥିବା ୧ ଲକ୍ଷ ୨୫ ହଜାର ସୈନିକ ପଦବୀ ତୁରନ୍ତ ପୂରଣ କରିବା , ସେନା ମୁଖ୍ୟମାନେ ଗଣମାଧ୍ୟମ ସମ୍ମୁଖରେ ବିଜେପିର ପ୍ରବକ୍ତା ମାନଙ୍କ ପରି ଆଲୋଚନା ବନ୍ଦ କରିବା ସହ ଆନ୍ଦୋଳନକାରୀ ଯୁବକମାନଙ୍କୁ ଧମକ ଦେବା ବନ୍ଦ କରିବା, ସେନାବାହିନୀର ସାଂପ୍ରଦାୟୀକରଣ ଉଦ୍ୟମ ବାତିଲ କରିବା ଇତ୍ୟାଦି ଦାବିରେ ଏହି ପ୍ରତିବାଦ ସଭା ଦେଶବ୍ୟାପୀ କରାଯାଇଛି । ଜଗତସିଂହପୁର ଠାରେ ଅନୁଷ୍ଠିତ ଏହି ସଭାରେ ଅଖିଳ ଭାରତ କୃଷକ ସଭାର ଜିଲ୍ଲା ସଭାପତି ଶ୍ରୀନିବାସ ଜୁଝିଆର ସିଂ ସଭାପତିତ୍ୱ କରିଥିଲେ । ଏହି ସଭାରେ ସିପିଆଇ ଜିଲ୍ଲା ସମ୍ପାଦକ ଅଭିଜିତି ସାହୁ , ଅଖିଳ ଭାରତ କୃଷକ ସଭାର ରାଜ୍ୟ ସଭାପତି ଶଶୀଭୂଷଣ ସ୍ୱାଇଁ ,ଜିଲ୍ଲା ସମ୍ପାଦକ ପିତାମ୍ବର ଦାସ ,ଜିଲ୍ଲା ଉପସଭାପତି ରାଜକିଶୋର ଦାସ ,ଜିଲ୍ଲା ସହ ସମ୍ପାଦକ ଦାମୋଦର ବେହେରା , ଜିଲ୍ଲା କୋଷାଧ୍ୟକ୍ଷ ନାରାୟଣ ଭୋଳ , ଅଖିଳ ଭାରତ ଯୁବ ସଂଘ ର ରାଜ୍ୟ ଉପସଭାପତି ସତ୍ୟ ରଞ୍ଜନ ମହାନ୍ତି , ଉତ୍କଳ ମହିଳା ସମିତି ର ରାଜ୍ୟ ସମ୍ପାଦିକା ଜିଣ୍ମୟୀ ସାହାଣୀ ,କ୍ଷେତ ମୂଲିଆ ନେତା ତ୍ରୈଲୋକ୍ୟ ଜେନା , ଯୁବ ନେତା ଅଜୟ ବେହେରା , ଏଆଇକେକେଏସର ପ୍ରଦୀପ୍ତ ରାମ,ସୁବାସ ସ୍ବାଇଁ,ଓଡ଼ିଶା କୃଷକ ସଭାର ଲୋଭାକାନ୍ତ ସ୍ଵାଇଁ, ଗଣେଶ୍ଵର ସ୍ବାଇଁ,କମ୍ୟୁନିଷ୍ଟ ନେତା ବିଜୟ ମହାନ୍ତି ପ୍ରମୁଖ ଯୋଗଦେଇ ଥିଲେ । ସଂଯୁକ୍ତ କୃଷକ ମୋର୍ଚ୍ଚା ପକ୍ଷରୁ ମାନ୍ୟବର ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ଜଗତସିଂହପୁର ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଥିଲା ।
(ରିପୋର୍ଟ – ସୁକାନ୍ତ କୁମାର ମହାନ୍ତି । )