ଅଖିଳ ଭାରତ କୃଷକ ସଂଘର୍ଷ ସମନ୍ବୟ ସମିତିର ରାଜ୍ୟ ସ୍ତରୀୟ ପ୍ରତିନିଧି କନଭେନସନ୍ ଉଦଯାପିତ ।

0 612

ଭୁବନେଶ୍ୱର,ତା୨୧/୧୦; କୃଷି କ୍ଷେତ୍ରରୁ କର୍ପୋରେଟ୍ ହଟାଅ-କୃଷି ଓ କୃଷକ ବଞ୍ଚାଅ ଆହ୍ୱାନ ଦେଇ ଜନବିରୋଧୀ କୃଷି ଆଇନ୍ ବିରୋଧରେ ଆଜି ଭୂବନେଶ୍ୱର ନେତାଜୀ ଭବନ(ଫରୱାଡ୍ ବ୍ଲକ ଅଫିସ)ରେ ଅଖିଳ ଭାରତ କୃଷକ ସଂଘର୍ଷ ସମନ୍ବୟ ସମିତି ପକ୍ଷରୁ ଏକ ରାଜ୍ୟସ୍ତରୀୟ କନଭେନସନ୍ ଆୟୋଜିତ ହୋଇଯାଇଛି । ବିଭିନ୍ନ କୃଷକ ସଂଗଠନ ମାନଙ୍କ ପକ୍ଷରୁ ସର୍ବଶ୍ରୀ ସନାତନ ପାତ୍ର, ସୁରେଶ ପାଣିଗ୍ରାହୀ, ଅଶୋକ ପ୍ରଧାନ, ଜ୍ୟୋତିରଞ୍ଜନ ମହାପାତ୍ର, ଭାଲଚନ୍ଦ୍ର ଷଢଙ୍ଗୀ, ଶଙ୍କର ସାହୁ, ବାସୁଦେବ ଦାସ, ନରେନ୍ଦ୍ର ମହାନ୍ତି, ସଚ୍ଚିନ୍ ମହାପାତ୍ର ପ୍ରମୁଖଙ୍କୁ ନେଇ ଗଠିତ ସଭାପତି ମଣ୍ଡଳୀ କନଭେନସନ୍ କୁ ପରିଚାଳନା କରିଥିଲେ । ଅଲ୍ ଇଣ୍ଡିଆ ଅଗ୍ରଗାମୀ କିଷାନ୍ ସଭା ପକ୍ଷରୁ ଜ୍ୟୋତି ରଞ୍ଜନ ମହାପାତ୍ରଙ୍କ ସ୍ୱାଗତ ଅଭିଭାଷଣ ପରେ ଅଲ୍ ଇଣ୍ଡିଆ କିଷାନ ସଭା(ଓଡ଼ିଶା)ର ରାଜ୍ୟ ସଂପାଦକ ସୁରେଶ ପାଣିଗ୍ରାହୀ କନଭେନସନ୍ ର ଭିତ୍ତିପତ୍ର ତଥା ଘୋଷଣାପତ୍ର ଉପସ୍ଥାପନ କରିଥିଲେ ।
ଅଲ୍ ଇଣ୍ଡିଆ କ୍ଷେତ ମଜଦୁର୍ କିଷାନ ସଭାର ଶ୍ରୀକାନ୍ତ ମହାନ୍ତି କୃଷକର ସର୍ବନାଶକାରୀ କର୍ପୋରେଟ୍ ମଡେଲ କୃଷି ଆଇନ୍ ବିରୋଧରେ ଏକାଠି ହେବାକୁ ଆହ୍ୱାନ ଦେଇ କୃଷକକୁ ସର୍ବନିମ୍ନ ସହାୟକ ମୂଲ୍ୟ ଦେବାକୁ ପଞ୍ଜାବ ସରକାର ଆଣିଥିବା ବିଲ୍ ସଦୃଶ ଓଡିଶା ସରକାର ଅନୁରୂପ ବିଲ୍ ଆଣିବାକୁ ଦାବି କରିଥିଲେ । ଅଲ୍ ଇଣ୍ଡିଆ କିଷାନ ସଭା(ଓଡିଶା)ର ଜଗନ୍ନାଥ ମିଶ୍ର କର୍ପୋରେଟ୍ ଶୋଷଣ ଓ ସାଂପ୍ରଦାୟିକ ରାଜନୀତିକୁ ଚରିତାର୍ଥ କରିବାକୁ ସରକାର ଜାତି ଓ ଧର୍ମ ନାମରେ ଜନସାଧାରଣଙ୍କୁ ଭାଗଭାଗ କରିବାକୁ ଷଢ଼ଯନ୍ତ୍ର କରୁଛନ୍ତି ବୋଲି ଅଭିଯୋଗ କରିଥିଲେ । ବାସୁଦେବ ଦାସଙ୍କ ବୈପ୍ଳବିକ ସଙ୍ଗୀତ ପରିବେଷଣ ପରେ ଗୋପବନ୍ଧୁ କୃଷକ ସଂଘ, ବଲାଙ୍ଗୀରର ବିରଞ୍ଚି ବରିହା, ରାଷ୍ଟ୍ରୀୟ କିଷାନ ମଜଦୁର୍ ମହାସଂଘର ସଚ୍ଚିନ୍ ମହାପାତ୍ର ବ୍ୟବସ୍ଥାଗତ ଶୋଷଣ ବିରୋଧରେ ଆମକୁ ଲଢ଼େଇ କରିବା ସହିତ କୃଷି ଓ କୃଷକର ସମସ୍ୟା ସହିତ ତୃଣମୂଳ ସ୍ତରରେ କାମ କରୁଥିବା ସଂଗଠନ ଗୁଡିକୁ ଐକ୍ୟବଦ୍ଧ କରିବା ଦିଗରେ ଉଦ୍ୟମ କରିବାକୁ ଆହ୍ୱାନ ଦେଇଥିଲେ ।ଅଲ୍ ଇଣ୍ଡିଆ କିଷାନ ମଜଦୁର୍ ସଭାର ଭାଲଚନ୍ଦ୍ର ତାଙ୍କର ବକ୍ତବ୍ୟରେ ମୋଦୀ ସରକାର ଗୋଟିଏ ଦେଶ ଗୋଟିଏ ବଜାର ସ୍ଲୋଗାନ ଦେଉଥିବା ବେଳେ ସରକାରୀ ମଣ୍ତି ବ୍ୟବସ୍ଥା ବାହାରେ କର୍ପୋରେଟ୍ ତଥା ପ୍ରାଇଭେଟ୍ ବେପାରୀ ମାନଙ୍କ ପାଇଁ ଦ୍ବାର ଉନ୍ମୃକ୍ତ କରି ବାସ୍ତବରେ ଦୁଇଟି ବଜାର କାର୍ଯ୍ୟକାରୀ କରୁଛନ୍ତି, ଯାହା କୃଷକମାନଙ୍କ ସର୍ବନାଶ ପାଇଁ ଉଦ୍ଦିଷ୍ଟ ବୋଲି ମତ ଦେଇଥିଲେ।ଅଲ୍ ଇଣ୍ଡିଆ ଅଗ୍ରଗାମୀ କିଷାନ ସଭାର ଅନିରୁଦ୍ଧ ମଲ୍ଲିକ ଗ୍ରାମାଞ୍ଚଳରେ ଏହି ଭଳି ପ୍ରତିବାଦ ଗୁଡିକୁ ତୀବ୍ରତର କରିବାକୁ ମତ ଦେଇଥିବା ବେଳେ ଅଲ୍ ଇଣ୍ଡିଆ କିଷାନ ସଭା ର ନୃସିଂହ ବେହେରା କର୍ପୋରେଟ୍ ଦଲାଲରାଜ୍ ବିରୋଧରେ ପ୍ରତ୍ୟେକ ଅଞ୍ଚଳରେ ଜନସାଧାରଣଙ୍କୁ ସଚେତନ ଓ ସଂଗଠିତ କରିବା ଉପରେ ଗୂରୁତ୍ୱ ଆରୋପ କରିଥିଲେ । ଚାଷୀ ମୂଲିଆ ସୁରକ୍ଷା ଓ ସଂଗ୍ରାମ ପରିଷଦ, କନ୍ଧମାଳର ବଳଭଦ୍ର ମଳିକ କନ୍ଧମାଳ ଜିଲ୍ଲାରେ ହଳଦୀ ଚାଷୀ ଓ ମକାଚାଷୀ ମାନଙ୍କୁ ସରକାର ଓ ବ୍ୟବସାୟୀ ମାନଙ୍କ ଶୋଷଣ ବିଷୟରେ ବର୍ଣ୍ଣନା କରି ଜଳ-ଜମି ଓ ଜଙ୍ଗଲର ସୁରକ୍ଷା ପାଇଁ ମିଳିତ ଆନ୍ଦୋଳନ ବ୍ୟତୀତ ଅନ୍ୟ ରାସ୍ତା ନାହିଁ ବୋଲି ମତ ଦେଇଥିଲେ। ଅଲ୍ ଇଣ୍ଡିଆ କିଷାନ ମହାସଭାର ଅଶୋକ ପ୍ରଧାନ ଜନବିରୋଧୀ କୃଷି ଆଇନ୍ ବିରୋଧରେ ଆଗାମୀ ନଭେମ୍ବର ୨୬ ତାରିଖରେ ଦେଶବ୍ୟାପୀ ଗାମାଞ୍ଚଳ ବନ୍ଦକୁ ସଫଳ କରିବାକୁ ଆହ୍ୱାନ ଦେଇଥିବା ବେଳେ ଅଖିଳ ଭାରତ କ୍ରାନ୍ତିକାରୀ କୃଷକ ସଭାର ଶଙ୍କର ସାହୁ ଚାଷୀ ମାନଙ୍କ ମୁହଁରେ ହସ ଫୁଟାଇବା ପାଇଁ କୃଷକବିରୋଧୀ ଆଇନ୍ ପ୍ରତ୍ୟାହାର ହେବା ଅତ୍ୟନ୍ତ ଜରୁରୀ ବୋଲି କହିଥିଲେ । ଅଗ୍ରଗାମୀ କୃଷି ଶ୍ରମିକ ୟୁନିୟନ ର ନାରାୟଣ ଡ଼ାଳୁଆ ତାଙ୍କର ବକ୍ତବ୍ୟରେ କେବଳ ଧାନଚାଷୀ ନୁହେଁ, ପାନଚାଷୀ ଓ ଦୁଗ୍ଧ ଚାଷୀ ମାନଙ୍କୁ ମଧ୍ୟ ଏହି ବ୍ୟାପକ ଆନ୍ଦୋଳନରେ ସାମିଲ କରିବାକୁ ପ୍ରସ୍ତାବ ଦେଇଥିବା ବେଳେ ଅଲ୍ ଇଣ୍ଡିଆ କିଷାନ ସଭାର ନାରୀନେତ୍ରୀ ପ୍ରମୋଦିନୀ ସାହୁ ଅତ୍ୟାବଶ୍ୟକ ସାମଗ୍ରୀ ଆଇନର ସଂଶୋଧନ ଫଳରେ କଳାବଜାରୀ ଓ ଅସାଧୁ ବ୍ୟବସାୟୀ ମାଲେମାଲ୍ ହେବେ, କିନ୍ତୁ କୃଷକ ମାନଙ୍କ ସମେତ ସାଧାରଣ ଖାଉଟି ଶୋଷିତ ହେବେ ବୋଲି ମତ ଦେଇଥିବା ବେଳେ ଉପକୂଳୀୟ ଜମି ଜଙ୍ଗଲ ସୁରକ୍ଷା ସମିତିର ବଟକୃଷ୍ଣ ସ୍ୱାଇଁ ପଲ୍ଲୀରୁ ଦିଲ୍ଲୀ ପର୍ଯ୍ୟନ୍ତ ଆନ୍ଦୋଳନକୁ ସଂପ୍ରସାରିତ କରିବା ଉପରେ ଗୁରୁତ୍ୱ ଦେଇଥିଲେ । ଅଲ୍ ଇଣ୍ଡିଆ କିଷାନ ସଭାର ସନାତନ ପାତ୍ର କନଭେନସନ୍ ର ଘୋଷଣା ପତ୍ରକୁ ସ୍ୱାଗତ କରିଥିବାବେଳେ ସଭପତି ମଣ୍ଡଳୀ ପକ୍ଷରୁ ଇନସାଫ୍ ର ରାଜ୍ୟ ଆବାହକ ନରେନ୍ଦ୍ର ମହାନ୍ତି କନଭେନସନ୍ ର ଗୃହୀତ ପ୍ରସ୍ତାବ ସଂପର୍କରେ ଘୋଷଣା କରିଥିଲେ ଓ ସମସ୍ତଙ୍କୁ ଧନ୍ୟବାଦ ଦେଇ ଆଗାମୀ ୨୬ ନଭେମ୍ବରରେ ଦେଶବ୍ୟାପୀ ଗ୍ରାମାଞ୍ଚଳ ବନ୍ଦ ଡାକରାକୁ ସଫଳ କରିବାକୁ ଆହ୍ୱାନ ଦେଇଥିଲେ ।

Leave A Reply

Your email address will not be published.