ମାଲକାନଗିରି,୧୨/୦୧(ପିପିଟି): ହକି ପୁରୁଷ ବିଶ୍ୱକପ୍ ୨୦୨୩ ର ଅୟୋଜକ ସାଜିଛି ଓଡ଼ିଶା। ଏହାକୁ ସହର ଠାରୁ ଆରମ୍ଭ କରି ତୃଣମୂଳ ସ୍ତର ପର୍ଯ୍ୟନ୍ତ ଉତ୍ସବର ପରିବେଶ ସୃଷ୍ଟି କରିବା ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି। ସେହି ପରିପ୍ରେକ୍ଷୀରେ ମାଲ୍ୟବନ୍ତ ମହୋତ୍ସବ ପାଳନ ଅବସରରେ ଜିଲ୍ଲା ସଂସ୍କୃତି ପରିଷଦ ଏବଂ ଜିଲ୍ଲା କ୍ରୀଡ଼ା ବିଭାଗ ପକ୍ଷରୁ ଏକ ମିନି ମାରାଥନର ଆୟୋଜନ ହୋଇଯାଇଅଛି । ବିଶ୍ୱକପ ହକି ମହାକୁମ୍ଭ ସହ ଜିଲ୍ଲା ସ୍ତରୀୟ ଲୋକ ମହୋତ୍ସବ ମାଲ୍ୟବନ୍ତକୁ ଉତ୍ସାହର ସହ ପାଳନ କରିବା ସହ ପରସ୍ପର ମଧ୍ୟରେ ସଂହତି ସ୍ଥାପନ କରିବା ଉଦ୍ଦେଶ୍ୟ ନେଇ ଆଜି ଏହାର ଆୟୋଜନ କରାଯାଇଛି। ଏହି ମିନି ମାରାଥନ କୋରୁକୋଣ୍ଡା-୫ଟି ଉଚ୍ଚ ବିଦ୍ୟାଳୟରୁ ଆରମ୍ଭ ହୋଇ ମାଲକାନଗିରି ବୁଟିଗୁଡା ବିଦ୍ୟାଳୟରେ ପରିସମାପ୍ତି ଘଟିଥିଲା। ବୁଟିଗୁଡ଼ାଠାରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ବଳଭଦ୍ର ଦୀପ, ଜିଲ୍ଲା କ୍ରୀଡ଼ା ଅଧିକାରୀ ଧ୍ରୁବ ଚରଣ ମୁଦୁଲି ଏବଂ ଡିପିଏମ ମିଶନ ଶକ୍ତି ପବିତ୍ର ମୋହନ ବାରା ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହି ଗଣ ଦୌଡରେ ପ୍ରାୟ ୨୦୦ ଜଣ ମହିଳା ଓ ପୁରୁଷ ଭାଗ ନେଇଥିଲେ । ୬ ବର୍ଷର ବାଳକ ରୁଦ୍ର ପ୍ରସାଦ ସେଠୀ ଏହି ଗଣ ଦୌଡର ମୁଖ୍ୟ ଆକର୍ଷଣ ଥିଲେ। ସେ ୧୫ କିଲୋମିଟର ରାସ୍ତା ଅତିକ୍ରମ କରି ଗଣଦୌଡକୁ ସଂପୂର୍ଣ୍ଣ କରିଛନ୍ତି। ସେହିପରି ବୁଟିଗୁଡା ଠାରେ ଉପ ଜିଲ୍ଲାପାଳ ଅକ୍ଷୟ କୁମାର ଖେମୁଣ୍ଡୁ ଉପସ୍ଥିତ ରହି ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରିଥିଲେ । ଏହି ଗଣ ଦୌଡରେ ବୁଦ୍ରାବିଶି ନାୟକ, ଫୁଲ ସୁନ୍ଦର ପୂଜାରୀ ଓ ସୁନୀଲ ମାଢି ପୁରୁଷଙ୍କ ବର୍ଗରେ ଯଥାକ୍ରମେ ପ୍ରଥମ ,ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିଲେ । ସେହିପରି ମହିଳାଙ୍କ ବର୍ଗରେ ପ୍ରିତିରେଖା ମାର୍ଡି ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। କ୍ରୀଡ଼ା ବିଭାଗ ପକ୍ଷରୁ ସମସ୍ତ ସ୍ବେଚ୍ଛାସେବୀ ଓ ପ୍ରତିଯୋଗୀଙ୍କ ପାଇଁ ଟି-ସାର୍ଟର ବ୍ୟବସ୍ଥା କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲାସ୍ତରୀୟ ସମସ୍ତ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ରହି ଗଣ ଦୌଡକୁ ସଫଳ କରାଇଥିଲେ।
(ରିପୋର୍ଟ :ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)